Advertisment

Major IAS Reshuffle in Odisha: ସୁରେନ୍ଦ୍ର କୁମାରଙ୍କଠୁ କାଢ଼ି ନିଆଗଲା ଇସ୍ପାତ ଓ ଖଣି, ବର୍ଷେ ପରେ ଫେରିଲେ ବିଷ୍ଣୁପଦ,ମୃଣାଳିନୀଙ୍କୁ ନୂଆ ନିଯୁକ୍ତି

ଲାଂଚ କାରବାର ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ପ୍ରାୟ ବର୍ଷକ ପରେ  ନୂଆ ଦାୟିତ୍ୱକୁ ଫେରିଛନ୍ତି । ୨୦୦୨ ବ୍ୟାଚ୍ ଆଇଏଏସ୍ ମୃଣାଳିନୀ ଦର୍ଶୱାଲ ଦୀର୍ଘବର୍ଷ ପରେ ଭୁବନେଶ୍ୱର ଫେରିଛନ୍ତି ।

author-image
Prakaash Sethi
Lokseba-bhawan

ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୨୧ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦେବା ସହ ବିଭିନ୍ନ କାରଣ ପାଇଁ  ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କଠୁ ଇସ୍ପାତ ଓ ଖଣି ବିଭାଗ କାଢ଼ି ନିଆଯାଇଛି ।

Advertisment

ସେହିପରି ଲାଂଚ କାରବାର ମାମଲାରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀ ପ୍ରାୟ ବର୍ଷକ ପରେ  ନୂଆ ଦାୟିତ୍ୱକୁ ଫେରିଛନ୍ତି । ୨୦୦୨ ବ୍ୟାଚ୍ ଆଇଏଏସ୍ ମୃଣାଳିନୀ ଦର୍ଶୱାଲ ଦୀର୍ଘବର୍ଷ ପରେ ଭୁବନେଶ୍ୱର ଫେରିଛନ୍ତି ଓ ତାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେଡି ସରକାର ସମୟରୁ ପାଇଥିବା ଦାୟିତ୍ୱକୁ ବିଜେପି ସରକାରରେ ମଧ୍ୟ ତୁଲାଉଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କଠୁ କୃଷି ବିଭାଗ ଏବଂ ଉଷା ପାଢ଼ୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗକୁ କାଢ଼ି ନିଆଯାଇଛି । ଦୀର୍ଘ ଦେଢ଼ବର୍ଷ ପରେ ମଧ୍ୟ ପଶ୍ଚିମାଂଚଳ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀକୁ ପୂରଣ ନକରି ସରକାର କାମଚଳା ଅଧ୍ୟକ୍ଷ ଭାବେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରଥମଥର ପାଇଁ ୨୦୧୦ ବ୍ୟାଚର ୩ଜଣ ଆଇଏଏସ ଅଫିସରଙ୍କୁ ୩ଟି ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି। ମୋହନ ସରକାର କ୍ଷମତାକୁ ଆସିବାର ଦେଢ଼ବର୍ଷ ଭିତରେ ଶୀର୍ଷ ଆଇଏଏସ୍ ଅଫିସରସ୍ତରରେ ଏହା ଦ୍ୱିତୀୟ ବୃହତ୍ ବଦଳି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି  IAS Reshuffleର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବାପରେ ଏହା ଜଣାପଡ଼ିଛି ।

Advertisment

କାହାକୁ ମିଳିଲା କେଉଁ ଦାୟିତ୍ୱ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ କୁମାର ସିଂଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସେହିପରି ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କଠୁ ଇସ୍ପାତ ଓ ଖଣି ବିଭାଗ ଏବଂ ଓଏମସି ଅଧ୍ୟକ୍ଷ ଦାୟିତ୍ୱ କାଢ଼ି ନିଆଯାଇ କେବଳ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ସେ ଅତିରିକ୍ତ ଭାବେ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱ ମଧ୍ୟ ତୁଲାଇବେ ।

ଲାଂଚ କାରବାରରେ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇ ଗତ ୨୦୨୪ ଡିସେମ୍ବର ମାସରୁ ଓଏସଡି ଭାବେ କାର୍ଯ୍ୟ କରୁଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ କେବିକେ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ଚିତ୍ରା ଅରୁମୁଗମଙ୍କ ଶ୍ରମ ଓ ଇଏସଆଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ସହ ଅତିରିକ୍ତ ଭାବେ ବିଜ୍ଞାନ ଓ କାରିଗର କୌଶଳ ବିଭାଗ ଏବଂ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ବିଜେଡି ଶାସନ କାଳରୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଦାୟିତ୍ୱରେ ଥିବା ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ କୁମାର ପାଢ଼ୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।

ସେହିପରି ଅରବିନ୍ଦଙ୍କ ପତ୍ନୀ ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କଠୁ ବାଣିଜ୍ୟ ଓ ପରିବହନ ବିଭାଗ କାଢ଼ି ନିଆଯାଇଛି । ସେ ବିଜେଡି ଶାସନ ସମୟରୁ ଏହି ବିଭାଗର ଦାୟିତ୍ୱରେ ଥିଲେ । ଉଷାଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି । ସେ ଅତିରିକ୍ତ ଭାବେ ଇଡକୋ ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ ।


୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । 

ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ସଚିବ ଶୁଭା ଶର୍ମାଙ୍କଠୁ ମହିଳା ଓ ଶିଶୁ ବିକାଶ ବିଭାଗ କାଢ଼ି ନିଆଯାଇ କେବଳ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଅଯାଇଛି ।

୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରବେ ।

ସେହିପରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ ଗିରିଶଙ୍କୁ ଓଡ଼ିଶା ଖଣି ନିଗମ(ଓଏମସି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସେହିପରି ୨୦୦୨ ବ୍ୟାଚ୍ ଆଇଏଏସ୍ ଡାକ୍ତର ମୃଣାଳିନୀ ଦର୍ଶୱାଲ ଦୀର୍ଘବର୍ଷ ପରେ ଭୁବନେଶ୍ୱର ଫେରିଛନ୍ତି । ନୂଆଦିଲ୍ଲୀରେ ସ୍ୱତନ୍ତ୍ର ଆବାସିକ କମିଶନର ଭାବେ କାର୍ଯ୍ୟ କରୁଥିବା ମୃଣାଳିନୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

ସେହିପରି ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଦିଆଯାଇଛି । ସେ ରାଜ୍ୟ ସମବାୟ ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ପର୍ଯ୍ୟଟନ ବିଭାଗ ସଚିବ ୨୦୦୭ ବ୍ୟାଚ୍ ଆଇଏଏସ୍ ବଳବନ୍ତ ସିଂଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ନ୍ୟସ୍ତ ହୋଇଛି ।

୨୦୦୭ ବ୍ୟାଚ୍ ଆଇଏଏସ୍ ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗର  ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ୨୦୧୦ ବ୍ୟାଚ୍ ଆଇଏଏସ୍ ସୁଧାଂଶୁ ମୋହନ ସାମଲଙ୍କୁ କଟକ କେନ୍ଦ୍ରାଂଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ , ଓରସାକ୍ ଓ ଷ୍ଟାର୍ଟଅପ୍ ଓଡ଼ିଶା ସିଇଓ ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରଶ୍ମିତା ପଣ୍ଡାଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଦାୟିତ୍ୱ ଭାବେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

ମତ୍ସ୍ୟ ନିର୍ଦ୍ଦେଶକ ୨୦୧୦ ବ୍ୟାଚ୍ ଆଇଏଏସ୍ ସିଦ୍ଦିକ ଆଲମଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ ବଦଳି କରିଛନ୍ତି । ସେ ଭୁବନେଶ୍ୱର କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

୨୦୧୦ ବ୍ୟାଚ୍ ଆଇଏଏସ୍ ମାନସୀ ନିମ୍ଭଲଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

ସେହି ବ୍ୟାଚର ଆଇଏଏସ୍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକ୍ସନ୍ ନିଗମ(ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

ଦକ୍ଷିଣାଂଚଳ ଆରଡିସି ୨୦୧୨ ବ୍ୟାଚ୍ ଆଇଏଏସ୍ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଂଚଳର ଇନଚାର୍ଜ ଆରଡିସି ଓ ପଶ୍ଚିମାଂଚଳ ବିକାଶ ପରିଷଦର ଇନଚାର୍ଜ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।

IAS Reshuffle