Advertisment

Driving Odisha’s Growth: ବିକଶିତ ଓଡ଼ିଶା ପାଇଁ ସଞ୍ଜିବନୀ, ଶିଳ୍ପ କରିଡ଼ରଠୁ ଜଳପଥ ଯାଏଁ ମିଳିଲା ଗୁରୁତ୍ୱ, ମିଳିବ ୨୩୭୯୩ କୋଟି ଅନୁଦାନ

କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟର ପଂଚାୟତଗୁଡ଼ିକୁ ୧୮,୭୧୫କୋଟି ଟଙ୍କା ଓ ପୌର ସଂସ୍ଥାଗୁଡ଼ିକୁ ୫୦୭୮କୋଟି ଟଙ୍କାର ଅନୁଦାନ ମିଳିବ । ଏଥିରୁ ୨୦୨୬-୨୭ ବର୍ଷରେ ୬୫୨କୋଟି ଟଙ୍କା ପୌର ସଂସ୍ଥା ପାଇଁ ଓ ୨୪୦୪କୋଟି ଟଙ୍କା ପଂଚାୟତଗୁଡ଼ିକୁ ମିଳିବ ।

author-image
Prakaash Sethi
Budget-2026

୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ସଂସଦରେ ଉପସ୍ଥାପିତ କରିଛନ୍ତି। ଏହି ବଜେଟ୍ ଓଡ଼ିଶା ପାଇଁ ସଞ୍ଜିବନୀ ସଦୃଶ ହୋଇଛି ତଥା ବିକାଶର ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ‘ବିକଶିତ ଭାରତ’ ସଂକଳ୍ପରେ ଓଡ଼ିଶାକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ିତୋଳିବା ପାଇଁ ଶିଳ୍ପ, ଭିତ୍ତିଭୂମି, ଜଳପଥ ଓ ପର୍ଯ୍ୟଟନ କ୍ଷେତ୍ରରେ ବଡ଼ଧରଣର ନିବେଶ ନିମନ୍ତେ ବଜେଟରେ ପ୍ରାବଧାନ ହୋଇଛି ।

Advertisment

 ବିଶେଷକରି ଖଣିଜ ସମୃଦ୍ଧ ଅଂଚଳଗୁଡ଼ିକୁ ଶିଳ୍ପ କେନ୍ଦ୍ର ଓ ବନ୍ଦର ସହିତ ଜଳପଥ ମାଧ୍ୟମରେ ସଂଯୋଗ କରିବା ତଥା ରାଜ୍ୟର ପ୍ରାକୃତିକ ସଂପଦର ଉପଯୁକ୍ତ ବ୍ୟବହାର ପାଇଁ ସ୍ୱତନ୍ତ୍ର କରିଡର ସ୍ଥାପନ ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି । ଏହି ବଜେଟ୍ କେବଳ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବ ନାହିଁ, ବରଂ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ଅନେକ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଜଣାପଡ଼ିଛି ।


ଓଡ଼ିଶାରେ ସ୍ଥାପନ ହେବ ‘ରେୟାର ଆର୍ଥ କରିଡର, ନୂଆ ଶିଳ୍ପ ଓ ନିଯୁକ୍ତିର ଦ୍ୱାର

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଏକ ପ୍ରମୁଖ ଖଣିଜସମୃଦ୍ଧ ରାଜ୍ୟ ଭାବେ ଗୁରୁତ୍ୱ ମିଳିଛି। ଓଡ଼ିଶାରେ ଏକ ସ୍ୱତନ୍ତ୍ର ‘ରେୟାର ଆର୍ଥ କରିଡର' ସ୍ଥାପନ କରାଯିବ।ଏହାଦ୍ୱାରା ରାଜ୍ୟରେ ଥିବା ବିରଳ ମୃତ୍ତିକା ଖଣିଜ ପଦାର୍ଥର ଖନନ, ପ୍ରକ୍ରିୟାକରଣ ଓ ଅନୁସନ୍ଧାନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ । ଏହି କ୍ଷେତ୍ରରେ ବିଦେଶୀ ର୍ନିଭରଶୀଳତା କମିବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

Advertisment

ଏଥିସହ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାଇଁ ବ୍ୟବହୃତ ଯନ୍ତ୍ରପାତି ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଥିବାରୁ ଖଣି ଶିଳ୍ପରେ ବଡ଼ଧରଣର ନିବେଶ ଆସିବାର ସମ୍ଭାବନା ରହିଛି । ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ କରାଯାଇଛି, ଯାହା ଓଡ଼ିଶାର ଶିଳ୍ପାଂଚଳରେ ନୂଆ ନିବେଶ ପାଇଁ ବାଟ ଫିଟାଇବ । ଖଣି କ୍ଷେତ୍ରରେ ଥିବା ସେଲରମାନଙ୍କ ପାଇଁ ଟିସିଏସ୍ ହାରକୁ ୨%କୁ ଯୁକ୍ତିସଙ୍ଗତ କରାଯାଇଛି ।


ଜାତୀୟ ଜଳପଥ-୫ ବିକାଶ ସହ ସୁଦୃଢ଼ ହେବ ଶିଳ୍ପ-ବନ୍ଦରର ଭିତ୍ତିଭୂମି

ଓଡ଼ିଶାର ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ପାଇଁ ଜାତୀୟ ଜଳପଥ-୫ କୁ କାର୍ଯ୍ୟକ୍ଷମ କରିବାକୁ ବଜେଟରେ ବ୍ୟବସ୍ଥା ହୋଇଛି।ଏହି ଜଳପଥ ତାଳଚେର ଓ ଅନୁଗୋଳ ଭଳି ଖଣିସମୃଦ୍ଧ ଅଂଚଳକୁ କଳିଙ୍ଗନଗର ଶିଳ୍ପ କେନ୍ଦ୍ର ଏବଂ ପାରାଦୀପ ଓ ଧାମରା ବନ୍ଦର ସହିତ ସିଧାସଳଖ ଯୋଡ଼ିବ। ଏହି ଜଳପଥର ବିକାଶ ସହ ‘ଆଂଚଳିକ ଉତ୍କର୍ଷ କେନ୍ଦ୍ର' ମାନ ସ୍ଥାପନ କରାଯାଇ ଯୁବପିଢ଼ିଙ୍କୁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଦିଆଯିବ।ଏଥିସହ ପଶ୍ଚିମବଙ୍ଗର ଦାନକୁନିଠାରୁ ସୁରଟ ପର୍ଯ୍ୟନ୍ତ ନୂତନ ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ ହେବ,ଯାହାକି ଓଡ଼ିଶାର କୋଇଲା ଓ ଇସ୍ପାତ ପରିବହନ ବ୍ୟୟକୁ ହ୍ରାସ କରିବାରେ ସକ୍ଷମ ହେବ ବୋଲି ଜଣାପଡ଼ିଛି ।

ହସ୍ତତନ୍ତ କାରିଗରଙ୍କ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ' ଓ 'ସମର୍ଥ ୨.୦' 

ପାରମ୍ପରିକ ହସ୍ତତନ୍ତ ଓ ବୟନଶିଳ୍ପକୁ ବିଶ୍ୱସ୍ତରୀୟ କରିବା ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ'ଅଭିଯାନ ଆରମ୍ଭ କରାଯିବ। ଏହି ଯୋଜନା ମାଧ୍ୟମରେ ସମ୍ବଲପୁରୀ ଭଳି ଓଡ଼ିଶାର ପାରମ୍ପରିକ ବୟନକଳାର ବ୍ରାଣ୍ଡିଂ ଏବଂ ଗ୍ଲୋବାଲ ମାକେର୍ଟ୍ ଲିଙ୍କେଜ୍ ସହଜ ହୋଇପାରିବ।ଏହା ସହିତ ‘ସମର୍ଥ ୨.୦' ଯୋଜନାରେ ବୟନ ଶିଳ୍ପରେ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରି ବୁଣାକାର ଓ ଯୁବକମାନଙ୍କୁ ଆଧୁନିକ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଦିଆଯିବାର ପ୍ରାବଧାନ ରହିଛି ।


ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟ ସେବାରେ ନୂଆ ସମ୍ଭାବନା

ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟର ଉପକୂଳବର୍ତ୍ତୀ କଇଁଛ ଅଣ୍ଡାଦାନ ସ୍ଥଳଗୁଡ଼ିକରେ ‘ର୍ଟଟଲ ଟ୍ରେଲ୍‌' ବିକାଶ କରିବାକୁ ଘୋଷଣା କରାଯାଇଛି । ଏଥିସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଢ଼ଲକ୍ଷ ବହୁମୁଖୀ ସେବାକାରୀଙ୍କୁ ତାଲିମ ଦେବା ଓ ଆଂଚଳିକ ମେଡିକାଲ ହବ୍ ସ୍ଥାପନ କରିବା ଯୋଜନା ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବ । ଶିକ୍ଷା କ୍ଷେତ୍ରରେ ପ୍ରତି ଜିଲ୍ଲାରେ ଛାତ୍ରୀ ନିବାସ ନିର୍ମାଣ ପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଛି, ଯାହା ଗ୍ରାମାଂଚଳର ଛାତ୍ରୀମାନଙ୍କ ପାଇଁ ବରଦାନ ସଦୃଶ ହେବ।

ନଡ଼ିଆ ଚାଷୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ସହାୟତା

ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ବଜେଟରେ ସ୍ୱତନ୍ତ୍ର ‘ନଡ଼ିଆ ପ୍ରୋତ୍ସାହନ ଯୋଜନା' ଘୋଷଣା କରାଯାଇଛି । ଏହି ଯୋଜନାରେ ଓଡ଼ିଶା ଭଳି ପ୍ରମୁଖ ନଡ଼ିଆ ଉତ୍ପାଦନକାରୀ ରାଜ୍ୟଗୁଡ଼ିକରେ ପୁରୁଣା ଓ ଅଣ-ଉତ୍ପାଦନକାରୀ ଗଛ ବଦଳରେ ନୂଆ ଉନ୍ନତ କିସମର ଚାରା ଲଗାଇବାକୁ ସହାୟତା ମିଳିବ । ସେହିପରି ମତ୍ସ୍ୟ ସଂପଦର ବିକାଶ ପାଇଁ ୫୦୦ ଜଳାଶୟ ଓ ଅମୃତ ସରୋବରର ସମନ୍ୱିତ ବିକାଶ କରାଯିବ । ବିଶେଷ କରି ମତ୍ସ୍ୟଜୀବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଷ୍ଟାର୍ଟଅପ୍ ଓ ବଜାର ସଂଯୋଗୀକରଣ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ, ଯାହା ଦେଶର ଅନ୍ୟଭାଗ ସମେତ ଓଡ଼ିଶାର ବିଶାଳ ମତ୍ସ୍ୟଜୀବୀ ସମୁଦାୟକୁ ଲାଭବାନ କରିବ ।

ରାଜ୍ୟର ସ୍ୱାୟତ୍ତ ସଂସ୍ଥାକୁ ମିଳିବ ୨୩,୭୯୩କୋଟିର ଅନୁଦାନ

ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ର କ୍ୟାବିନେଟ୍ ଗ୍ରହଣ କରିଥିବାରୁ ଓଡ଼ିଶାର ପଂଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ୨୦୨୬-୩୧ ମସିହା ମଧ୍ୟରେ ମୋଟ ୨୩,୭୯୩କୋଟି ଟଙ୍କାର ଅନୁଦାନ ମିଳିବ ବୋଲି ଜଣାପଡ଼ିଛି । କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟର ପଂଚାୟତଗୁଡ଼ିକୁ ୧୮,୭୧୫କୋଟି ଟଙ୍କା ଓ ପୌର ସଂସ୍ଥାଗୁଡ଼ିକୁ ୫୦୭୮କୋଟି ଟଙ୍କାର ଅନୁଦାନ ମିଳିବ । ଏଥିରୁ ୨୦୨୬-୨୭ ବର୍ଷରେ ୬୫୨କୋଟି ଟଙ୍କା ପୌର ସଂସ୍ଥା ପାଇଁ ଓ ୨୪୦୪କୋଟି ଟଙ୍କା ପଂଚାୟତଗୁଡ଼ିକୁ ଅନୁଦାନ ଆକାରରେ ମିଳିବ ।

ସେହିପରି ଓଡ଼ିଶାର ଭୌଗୋଳିକ ସ୍ଥିତି ପାଇଁ ଏହାକୁ ଏକ ‘ହାଇ-ରିସ୍କ' ରାଜ୍ୟ ଭାବେ କମିଶନଙ୍କ ସୁପାରିଶରେ ଦର୍ଶାଯାଇଛି (ସ୍କୋର: ୧୨.୦୩) । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ନିମନ୍ତେ କମିଶନ ମୋଟ ୧୧,୮୬୬ କୋଟି ଟଙ୍କା ସୁପାରିଶ କରିଛନ୍ତି ।