
ଇଜି ଅଫ ଡୁଇଙ୍ଗ ବିଜିନେସ୍ ଓ ବିକାଶର ଗୋଲାପୀ ଚିତ୍ର ଦେଖାଇ ରାଜ୍ୟ ସରକାର ‘ଶିଳ୍ପାୟନ’ର ବାହାବା ନେଉଥିବାବେଳେ ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତର ‘ମେକ୍ ଇନ୍ ଓଡ଼ିଶା’ଅସଲ ସ୍ଥିତିକୁ ଉଜାଗର କରିଛି । ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ରାମଚନ୍ଦ୍ର କାଡାମଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଉତ୍ତରରେ ରାଜ୍ୟକୁ ମେକ୍ ଇନ୍ ଓଡ଼ିଶାର ୪ଟି ସଂସ୍କରଣରେ ୨୦୧୬ରୁ ଏପର୍ଯ୍ୟନ୍ତ ମୋଟ ୨୩.୭୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରସ୍ତାବ ମିଳିଥିବା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ।
ସେହିପରି ୨୦୧୬ ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ଆସିଥିବା ଶିଳ୍ପ ସଂସ୍ଥାରୁ ଅନେକ ସାଢ଼େ ୯ବର୍ଷ ପରେ ମଧ୍ୟ ନିଜର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇନଥିବା ମନ୍ତ୍ରୀଙ୍କ ଉତ୍ତରରୁ ସୂଚନା ମିଳିଛି । କେବଳ ଏହି ଶିଳ୍ପ ସଂସ୍ଥାଗୁଡ଼ିକ ନୁହେଁ ଦୀର୍ଘ ବର୍ଷ ଧରି ଅନେକ ଶିଳ୍ପ ସଂସ୍ଥା ହଜାର ହଜାର ଏକର ବହୁମୂଲ୍ୟ ଜମିକୁ ଶିଳ୍ପ ନାଁରେ ହାତେଇ ରଖିଛନ୍ତି । ଏସବୁକୁ ‘ବ୍ୟବହୃତ କିନ୍ତୁ ଅକାମୀ’ ବର୍ଗରେ ରଖି ସରକାର ବି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି ।
ତେବେ ବିଭାଗୀୟ ଅଫିସରମାନଙ୍କ ଖାମଖିଆଲି ମନୋଭାବ ଯୋଗୁ ଗୃହରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ମୁହଁରେ ଭୁଲ୍ ତଥ୍ୟ ଦିଆଯାଇଛି । ମେକ୍ ଇନ ଓଡ଼ିଶା-୨୦୨୨ରେ ମାତ୍ର ୧୯ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା କହି ଗୃହକୁ ବିଭ୍ରାନ୍ତ କରାଯାଇଛି ।
ବିଧାନସଭାରେ ମନ୍ତ୍ରୀଙ୍କ ମୁହଁରେ ବିଭାଗ ଦେଲା ଭୁଲ୍ ତଥ୍ୟ
ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା' କନକ୍ଲେଭ ମାଧ୍ୟମରେ ଓଡ଼ିଶାରେ ଶିଳ୍ପ ବିପ୍ଳବ ଆଣିବାର ଯେଉଁ ଡିଣ୍ଡିମ ପିଟୁଥିଲେ, ତାହାର ଅସଲ ମୁଖା ଏବେ ଖୋଲିଯାଇଛି । ୨୦୧୬ରୁ ୨୦୨୫ ମସିହା ମଧ୍ୟରେ ୪ଟି କନକ୍ଲେଭର ସଂସ୍କରଣରେ ରାଜ୍ୟକୁ ମୋଟ ୨୩,୭୨,୪୦୭.୨୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ।
ତେବେ ବିଧାନସଭାରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ଦର୍ଶାଇଛନ୍ତି ଯେ, ମେକ ଇନ୍ ଓଡ଼ିଶା-୨୦୨୨ ସଂସ୍କରଣରେ ମାତ୍ର ୧୯ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ।ଯାହାକି ସରକାର ବାବୁମାନଙ୍କ ଅବହେଳାକୁ ଉଜାଗର କରିବା ସହ ମନ୍ତ୍ରୀଙ୍କ ମୁହଁରେ ମଧ୍ୟ ବିଧାନସଭାରେ ମିଥ୍ୟା ତଥ୍ୟ ଦେବାକୁ ପଛାଇନାହାନ୍ତି । ଯଦିଓ ୨୦୨୨ କନକ୍ଲେଭରେ ୪.୪୫ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିଲା ।
୨୦୧୬ କନକ୍ଲେଭରେ ୨.୪୩ ଲକ୍ଷ କୋଟି ଟଙ୍କା, ୨୦୧୮ କନକ୍ଲେଭରେ ୩.୯୪ଲକ୍ଷ କୋଟି ଟଙ୍କା ଓ ୨୦୨୫ କନକ୍ଲେଭ(ବିଜେପି ସରକାର)ରେ ମୋଟ ୧୨.୮୯ ଲକ୍ଷକୋଟି ଟଙ୍କାର ନିବେଶ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସୂଚନା ଦେଇଛନ୍ତି ।
ସେହିପରି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟ ସିଙ୍ଗଲୱିଣ୍ଡୋ ସିଷ୍ଟମରେ ୨୦୨୪ ଏପ୍ରିଲରୁ ୨୦୨୫ ନଭେମ୍ବର ମାସ ମଧ୍ୟରେ ମୋଟ ୩୨୪ଟି ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁନିକ ମୋଟ ୭ଲକ୍ଷ ୬ହଜାର ୨୦୯କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବା ସହ ୪ଲକ୍ଷ ୫୭ହଜାର ୨୫୨ ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି ।
ପମ୍ଫା ପ୍ରତିଶ୍ରୁତିର ପାହାଡ଼: କାଗଜରେ ଅଟକିଛି ଲକ୍ଷଲକ୍ଷ କୋଟିର ନିବେଶ
୨୦୧୬ ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ରାଜ୍ୟରେ ନିବେଶ ପ୍ରତିଶ୍ରୁତି ଦେଇଥିବା ଶିଳ୍ପ ସଂସ୍ଥାଗୁଡ଼ିକର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ସାଢ଼େ ୯ବର୍ଷ ପରେ ମଧ୍ୟ ଅନେକ ବୃହତ୍ ଶିଳ୍ପ ଆଜିସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ । ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ୁଛି ଯେ, ୨୦୧୬ ସଂସ୍କରଣରେ ମୋଟ ୫୧ଟି ଶିଳ୍ପ ଓଡ଼ିଶାରେ ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସାଢ଼େ ୯ବର୍ଷ ପରେ ସେଥିରୁ ମାତ୍ର ୮ଟି ଶିଳ୍ପ ଉତ୍ପାଦନକ୍ଷମ ହୋଇଛନ୍ତି । ୬୬୫୦କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଦେଇଥିବା ଏସାର ଷ୍ଟିଲ ଭଳି ୧୪ଟି ଶିଳ୍ପ ସଂସ୍ଥାର ପ୍ରକଳ୍ପ ଏବେ ପ୍ରାରମ୍ଭିକ ପର୍ଯ୍ୟାୟ(ଆପ୍ରୁଭଡ) ସ୍ଥିତିରେ ରହିଛନ୍ତି ଅର୍ଥାତ୍ ଗ୍ରାଉଣ୍ଡରେ କିଛିବି କାର୍ଯ୍ୟ ଆରମ୍ଭ ହୋଇନାହିଁ । ବାକି ୨୯ଟି ପ୍ରକଳ୍ପ ‘କାର୍ଯ୍ୟକାରିତା ଅଧୀନ’ରେ ରହିଛି ।
ସେହିପରି ୨୦୧୬ରେ ବୁଝାମଣା କରିଥିବା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ ଓ ଟାଟା ଷ୍ଟିଲ୍ ଏସଇଜେଡ୍ ଭଳି ପ୍ରତିଷ୍ଠିତ କଂପାନୀର ପ୍ରକଳ୍ପ ମଧ୍ୟ ୯ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନାହିଁ । ପ୍ରଶ୍ନ ଉଠୁଛି, ଯଦି ପ୍ରଥମ ସଂସ୍କରଣର ଶିଳ୍ପଗୁଡ଼ିକ ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ, ତେବେ ଲକ୍ଷ ଲକ୍ଷ ନିଯୁକ୍ତି ଆସିବ କେଉଁଠୁ? ଏପରିକି ୨୦୨୫ ସଂସ୍କରଣ ପାଇଁ ଯେଉଁ ୧୩ ଲକ୍ଷ କୋଟିର ସ୍ୱପ୍ନ ଦେଖାଯାଉଛି, ସେଥିମଧ୍ୟରୁ ଅଧିକାଂଶ କମ୍ପାନୀଙ୍କର ଆବେଦନ ଏପର୍ଯ୍ୟନ୍ତ ଦାଖଲ ମଧ୍ୟ ହୋଇନଥିବା ଜଣାପଡ଼ିଛି ।
ଶିଳ୍ପ ନାଁରେ ଜମି ହଡ଼ପ: ନିବେଶ ଶୂନ କିନ୍ତୁ ଜମି ଦଖଲ ଶତପ୍ରତିଶତ
ରାଜ୍ୟରେ ଶିଳ୍ପାୟନର ଦ୍ୱାହି ଦେଇ ସରକାର ବିଭିନ୍ନ କଂପାନୀକୁ ହଜାର ହଜାର ଏକର ମୂଲ୍ୟବାନ ଜମି ଟେକି ଦେଇଛନ୍ତି, କିନ୍ତୁ ବାସ୍ତବ ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ । ବିଧାନସଭାରେ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ, ଅନେକ କମ୍ପାନୀ ଜମି ନେଇ ସାରିବା ପରେ ମଧ୍ୟ ସେଠାରେ କୌଣସି ଉତ୍ପାଦନ କରୁନାହାନ୍ତି କିମ୍ବା କାରଖାନା ବନ୍ଦ କରି ବସିଛନ୍ତି । ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଅନୁଗୋଳ ଜିଲ୍ଲାର ମୋନେଟ୍ ଇସ୍ପାତ ଆଣ୍ଡ ଏନର୍ଜି ଲିମିଟେଡ୍ ।
ସରକାରୀ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଅନୁଗୋଳର ଛେଣ୍ଡିପଦା ତହସିଲ ଅଂଚଳରେ ୬୧.୨୭୦ ଏକର ଜମି ଅକ୍ତିଆର କରିଛି । ଏହି ଜମିର ସ୍ଥିତି "ବ୍ୟବହୃତ କିନ୍ତୁ ଅକାମୀ’ ବୋଲି ଦର୍ଶାଯାଇଛି । ଅର୍ଥାତ୍, ଜମି ନିଆଯାଇଛି, ହୁଏତ କିଛି ନିର୍ମାଣ ହୋଇଛି, କିନ୍ତୁ ଏବେ ସେଠାରେ କୌଣସି କାର୍ଯ୍ୟ ହେଉନାହିଁ କିମ୍ବା ନିଯୁକ୍ତି ସୃଷ୍ଟି ହେଉନାହିଁ । ସେହିପରି ଅନୁଗୋଳରେ ଅନ୍ୟ ଏକ ପ୍ରକଳ୍ପ ପାଇଁ ୫୫୩.୮୨୦ ଏକର ଜମି ନେଇ ତାକୁ ମୋନେଟ୍ ପାୱାର କୋ. ଲିମିଟେଡ୍ ମଧ୍ୟ ସମାନ ସ୍ଥିତିରେ "ବ୍ୟବହୃତ କିନ୍ତୁ ଅକାମୀ’ ପକାଇ ରଖିଛି । ଏହି ଜମି ଗୁଡ଼ିକ ନା ଚାଷ କାମରେ ଲାଗୁଛି ନା ଶିଳ୍ପ ଉନ୍ନତିରେ, କେବଳ କମ୍ପାନୀର ସମ୍ପତ୍ତି ଭାବେ ବର୍ଷ ବର୍ଷ ଧରି ପଡ଼ିରହିଛି ।
କେବଳ ଅଚଳ କାରଖାନା ନୁହେଁ, ରାଜ୍ୟର ଅନେକ ସ୍ଥାନରେ କମ୍ପାନୀଗୁଡ଼ିକ ସରକାରଙ୍କଠୁ ଜମି ନେଇ ମଧ୍ୟ ଖଣ୍ଡିଏ ଇଟା ବି ପକାଇ ନାହାନ୍ତି । ଝାରସୁଗୁଡ଼ା ଜିଲ୍ଲାରେ କୋଣାର୍କ ଇସ୍ପାତ ଲିମିଟେଡ୍ ୧୧୪ ଏକର ଜମି, ସୁନ୍ଦରଗଡ଼ ଜିଲ୍ଲାରେ ଦେଓ ମାଇନ୍ସ ଆଣ୍ଡ ମିନେରାଲ୍ସ ୧୪୨ଏକର ଜମି, ବଲାଙ୍ଗୀର ଜିଲ୍ଲାରେ ସାହାରା ଇଣ୍ଡିଆ ପାୱାର କର୍ପୋରେସନ୍ ଲିମିଟେଡ୍ ୪୬୬ ଏକର ଜମି ଅକ୍ତିଆର କରିଥିଲେ ମଧ୍ୟ ସେଠାରେ ଶିଳ୍ପର ନାଁ ଗନ୍ଧ ନାହିଁ । କଟକ ଜିଲ୍ଲାରେ ଭିସା ପାୱାର ୪୯୫ ଏକର ଓ ଅନୁଗୋଳର ମହାନଦୀ ଅବାନ୍ ପାୱାର ଲିମିଟେଡ୍ ୪୫୫ ଏକର ଜମି ନେଇ କୌଣସି କାର୍ଯ୍ୟ କରିନାହାନ୍ତି । ଏହି କମ୍ପାନୀଗୁଡ଼ିକ କେବଳ ଜମି ଅକ୍ତିଆର କରି ରଖିଛନ୍ତି ସିନା, ରାଜ୍ୟର ଅର୍ଥନୀତିରେ ଏମାନଙ୍କର କୌଣସି ଯୋଗଦାନ ନାହିଁ ।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଏଭଳି ବ୍ୟାପକ ଜମି ହଡ଼ପ ସତେ୍ତ୍ୱ ସରକାର ଜମି ଫେରାଇ ଆଣିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି କିମ୍ବା କେବଳ କାଗଜପତ୍ରରେ ସୀମିତ ରହିଛନ୍ତି । ଯଦିଓ ସରକାର ଦାବି କରୁଛନ୍ତି ଯେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡକୋ) ଆଇନ ଅନୁଯାୟୀ ନୋଟିସ୍ ଦିଆଯାଉଛି, କିନ୍ତୁ ବାସ୍ତବରେ ଅଧିକାଂଶ ମାମଲା କୋର୍ଟ କଚେରୀରେ ଅଟକି ରହିଛି । ଯେଉଁ ଜମି ଗରିବ ଚାଷୀଙ୍କଠାରୁ ଶିଳ୍ପାୟନ ନାଁରେ ଅଧିଗ୍ରହଣ କରାଯାଇଥିଲା, ତାହା ଏବେ ଶିଳ୍ପପତିଙ୍କ କବଜାରେ ଅବ୍ୟବହୃତ ହୋଇ ପଡ଼ିରହିଛି । ଆଉ ସରକାର ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ରାଜ୍ୟବାସୀଙ୍କ ସହ ପ୍ରତାରଣା ଓ ପରୋକ୍ଷରେ କମ୍ପାନୀପ୍ରୀତି ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
