Advertisment

କାନ୍ଥ ପଡ଼ି ୪ ମାସର ଝିଅ ମୃତ, ବାପାମା’ ଗୁରୁତର

ଗତକାଲି ରାତିରେ ମେଟାଗୁଡ଼ା ଗାଁର ଆଇତା ମାଡ଼କାମୀ, ତାଙ୍କ ପତ୍ନୀ ଓ କୁନି ଝିଅ ସ୍ୱାତୀ ଘରେ ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା କାନ୍ଥ।

ଅଦ୍ୟତନ ହୋଇଛି
Wall Collapsed

Wall Collapsed

Advertisment

କାନ୍ଥ ପଡ଼ିଯିବାରୁ ଚାଲିଗଲା ୪ ମାସର ଝିଅର ଜୀବନ। ତା’ ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ମେଟାଗୁଡ଼ା ଗାଁରେ ଘଟିଛି ଏହି ଘଟଣା। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

Advertisment

ମୃତ ୪ ମାସର ଶିଶୁର ନାଁ ସ୍ୱାତୀ ମାଡ଼କାମୀ। ଗତକାଲି ରାତିରେ ମେଟାଗୁଡ଼ା ଗାଁର ଆଇତା ମାଡ଼କାମୀ, ତାଙ୍କ ପତ୍ନୀ ଓ କୁନି ଝିଅ ସ୍ୱାତୀ ଘରେ ଶୋଇଥିଲେ। ହଠାତ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଝିଅଟିର ଜୀବନ ଚାଲି ଯାଇଥିଲା। ଆଇତା ଓ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ସେମାନେ ଆଇତା ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ନିକଟସ୍ଥ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ଗତକାଲି ମାଲକାନଗିରିର ଅନ୍ୟାନ୍ୟ ଅଞ୍ଚଳର ସହିତ ମେଟାଗୁଡ଼ା ଗାଁରେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଆଇତା ମାଡ଼କାମୀଙ୍କ ଘରର ମାଟିକାନ୍ଥ ଦୁର୍ବଳ ହୋଇଯାଇଥିଲା ଓ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି। ଖବର ପାଇ ଆଜି ସକାଳେ ବିଡିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଆଇତାଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ବିଡିଓ କହିଛନ୍ତି।

Advertisment

ଅନ୍ୟପକ୍ଷରେ ମେଟାଗୁଡ଼ା ଗାଁରେ ଆହୁରି ଅନେକ କଚ୍ଚା ଘର ରହିଛି। ସେଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଗାଁର ଲୋକମାନେ ସରକାରୀ ଯୋଜନାରେ କିପରି ପକ୍କା ଘର ପାଇପାରିବେ, ସେଥିପ୍ରତି ଓ ଜନ ପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe