ବଣ୍ଡା ଘାଟିରେ ଫୁଟିଛି ବଣମଲ୍ଲୀ! ହେଲେ ରାଜଧାନୀରେ ସେ ଫୁଲ ମହକିବା ପୂର୍ବରୁ ମଉଳି ଯିବନି ତ? କାରଣ ଆଦିବାସୀ ଇଲାକାର ସେହି ବଣମଲ୍ଲୀ ଏବେ ମୂଲ ମଜୁରୀ ଲାଗୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ ମଧ୍ୟ ନିଜର ଷ୍ଟଡି ମେଟେରିଆଲ୍ କିଣିବା ପାଇଁ ସିମେଣ୍ଟ ଓ ବାଲି ଗୋଳାଉଛନ୍ତି। ଦିନକୁ ମିଳୁଥିବା ମଜୁରୀ ବାବଦକୁ ୨୧୦ ଟଙ୍କାକୁ ସଞ୍ଚୟ କରି ରଖୁଛନ୍ତି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆସିଛି ଦାରିଦ୍ର୍ୟର ଏପରି ବିକଳ ଚିତ୍ର।
ମୁଦୁଲିପଡ଼ା ପଞ୍ଚାୟତର ପଡ଼େଇ ଗୁଡ଼ା ଗାଁର ଗୁଡ଼ା ମୁଦୁଲି ବଡ଼ ମଝିଆଁ ଝିଅ କର୍ମା ମୁଦୁଲ। ଅଭାବ ଅନଟନ ଭିତରେ ମାଟ୍ରିକ୍ ପାସ୍ କରିଥିଲେ। ତା’ପରେ ଗୋବିନ୍ଦପାଲି ସରକାରୀ ମହାବିଦ୍ୟାଳୟରେ ବାଣିଜ୍ୟରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ। ୨୦୨୨ ମସିହାରେ ସେ ମାଲକାନଗିରି ଜିଲ୍ଲା ଟପ୍ପର ହୋଇଥିଲେ। ୮୨.୬୬ ପ୍ରତିଶତ ମାର୍କ ରଖି ଜିଲ୍ଲା ପାଇଁ ଗୌରବ ଆଣିଥିଲେ କର୍ମା। ସେଥିପାଇଁ ତାଙ୍କ ପାଖକୁ ଛୁଟିଥିଲା ଶୁଭେଚ୍ଛାର ସୁଅ।
ବାପା-ମାଆଙ୍କ ଭତ୍ତା ଟଙ୍କା ସହାୟତାରେ କର୍ମା ସିନା ଯୁକ୍ତ ଦୁଇ ପାସ୍ କଲେ। ହେଲେ ଅଧିକ ପଢ଼ିବା ପାଇଁ ପାଖରେ କାଣିଚାଏ ନଥିଲେ। ଅର୍ଥ ପ୍ରତିବନ୍ଧକ ସାଜୁଥିବାରୁ ପାଠ ପଢ଼ାରେ ଡୋରୀ ବନ୍ଧା ହୋଇଯିବ ବୋଲି ଭାବିଥିଲେ କର୍ମା। ଠିକ୍ ଏହି ସମୟରେ ସହାୟତାର ହାତ ବଢ଼ାଇଥିଲା ମୟ ଚେରିଟେବୁଲ ଟ୍ରଷ୍ଟ। କର୍ମାଙ୍କୁ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱାଳୟରେ ନାମ ଲେଖାଇ ଦେଇଥିଲା। ଏଥିସହ କିଛି ଡ୍ରେସ୍ପତ୍ର ଓ ଖାତ କଲମ ମଧ୍ୟ ଦେଇଥିଲା। ଏଇଠାରୁ କର୍ମାଙ୍କ ଭାଗ୍ୟ ବଦଳିବ ବୋଲି ଭାବିଥିଲେ। ଅଭାବ ଅନଟକୁ ବହୁ ପଛରେ ଭବିଷ୍ୟତ ଗଢ଼ିବା ପାଇଁ ବଣ୍ଡାଘାଟିରୁ ରାଜଧାନୀକୁ ଆସିଥିଲେ କର୍ମା।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ। ହଷ୍ଟେଲ୍ରେ ରହିଥିଲେ। କର୍ମାଙ୍କ କହିବା ଅନୁସାରେ ରାଜଧାନୀରେ ବଡ଼ କଲେଜ ଦେଖି ପ୍ରଥମେ ଡରି ଯାଇଥିଲି। ସାଙ୍ଗମାନଙ୍କ ହାଇଫାଇ ଲାଇଫ୍ଷ୍ଟଇଲ ଦେଖିଲେ ମନହୁଏ। ହେଲେ ଅର୍ଥ ଅଭାବ ଯୋଗୁ ପାଦ ପଛକୁ ଫେରାଇ ଆଣେ। ଧୀରେ ଧୀରେ ସମୟ ସହିତ ତାଳ ଦେଇ ସାଙ୍ଗମାନଙ୍କ ସହ ମିଶିବା ଆରମ୍ଭ କରିଛି। କିନ୍ତୁ ସବୁ ସାଙ୍ଗମାନଙ୍କ ସହିତ ମିଶି ପାରିନାହିଁ। କିନ୍ତୁ ପ୍ରତିବନ୍ଧକ ସାଜିଛି ଅର୍ଥ। ନାମ ଲେଖାବେଳେ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋଟିଏ ଖାତା ବଣ୍ଡଲ ଦିଆଯାଇଥିଲା। ସେହି ଖାତାରେ ପ୍ରଥମେ ପେନ୍ସିଲ୍ରେ ଲେଖୁଛି। ତାକୁ ରବରରେ ଲିଭାଇ ତା’ ଉପରେ ପେନ୍ରେ ଲେଖୁଛି। ଅଭାବ ଯୋଗୁ ଏପରି କରିବାକୁ ପଡ଼ୁଛି। ପ୍ରଥମ ସେମିଷ୍ଟାରରେ ସବୁ ଖାତା ସରିଗଲା। ହେଲେ ପାଖରେ ଆଉ ଖାତା କଲମ କିଛି ନାହିଁ। ଅଭାବୀ ଜୀବନ ଭିତରେ ବାପା ମାଆ ଯାହା ସଞ୍ଚୟ କରୁଛନ୍ତି, ତାହା ମୋତେ ଦେଉଛନ୍ତି। ସେଥିରେ ହଷ୍ଟେଲ୍ରେ ଚଳିବା କଷ୍ଟକର ବୋଲି କର୍ମା କହିଛନ୍ତି।
ଛୁଟି ଥିବାରୁ କର୍ମା ଫେରିଛନ୍ତି ଗାଁକୁ। ଦ୍ୱିତୀୟ ସେମିଷ୍ଟାର ପାଇଁ ଅର୍ଥ ଦରକାର। ତେଣୁ ମୂଲ ଲାଗିବାକୁ ସ୍ଥିର କଲେ। ସଦର ମହକୁମାରେ ଥିବା ଏକ ଠିକ ସଂସ୍ଥାରେ କାମ କରୁଛନ୍ତି। ୪୦ ଡିଗ୍ରୀ ତାପମାତ୍ରାରେ ମିକ୍ସରରେ ସିମେଣ୍ଟ, ବାଲି ଓ ଚିପ୍ସ ପକାଉଛନ୍ତି। ପାଦ ତଳର ତାତିକୁ ସେ ଖାତିର କରୁନାହାନ୍ତି। ପାଠ ପଢ଼ିବେ, ଆଗକୁ ବଢ଼ିବେ, ସେହି ଆଶାରେ ଖରାକୁ ଖାତିର ନକରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି କର୍ମା। କଲେଜ ଛୁଟି ହେବା ପରଠାରୁ ସେ ନିୟମିତ କାମ କରୁଛନ୍ତି। ପ୍ରତିଦିନ ମଜୁରୀ ବାବଦକୁ ତାଙ୍କୁ ୨୧୦ ଟଙ୍କା ମିଳୁଛି। ସବୁ ଟଙ୍କାକୁ ସଞ୍ଚୟ କରି ରଖୁଛନ୍ତି। ଜୁନ୍ ୧୫ ତାରିଖ ଯାଏଁ ସେ କାମ କରିବେ। ୧୬ ତାରିଖରେ ଘରକୁ ଫେରିବେ। ପରିବାର ଲୋକଙ୍କ ସହିତ କିଛି ସମୟ ବିତାଇବେ। ତା’ପର ଦିନ ଅର୍ଥାତ ୧୭ ତାରିଖରେ କଲେଜ ଖୋଲୁଥିବାରୁ ସେ ଭୁବନେଶ୍ୱର ଫେରିବେ।
କର୍ମା କହିଛନ୍ତି, ଅଭାବ ରହିଥିଲେ ମଧ୍ୟ ପାଠ ପଢ଼ିବି। ପାଠ ପଢ଼ାକୁ କେବେ ଛାଡ଼ିବି ନାହିଁ। ବିଏ ପାସ୍ କରିବା ପରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ସ୍ୱପ୍ନ ପୂରଣ କରିବି ବୋଲି କର୍ମା କହିଛନ୍ତି।
ସୂଚନାରୁ ପ୍ରକାଶ, କର୍ମା ହେଉଛନ୍ତି ଗୁଡ଼ା ମୁଦୁଲିଙ୍କ ବଡ଼ ମଝିଆଁ ଝିଅ। ୪ ଭାଇ ଓ ଭଉଣୀଙ୍କ ଭିତରେ କର୍ମା ଏକା ପାଠ ପଢ଼ୁଛନ୍ତି। ଅନ୍ୟ ସମସ୍ତେ ମୂଲ ବଜୁରୀ ଲାଗୁଛନ୍ତି। ସେଥିରେ ଚଳୁଛି ପୂରା ପରିବାର। ଏପରି ସ୍ଥିତିରେ ଆଇଏଏସ୍ ହେବା ପାଇଁ ରାଜଧାନୀରେ ସଂଘର୍ଷ କରୁଛନ୍ତି କର୍ମା।
ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।