Advertisment

ବାହାଘର ଭୋଜି ଖାଇ ଫେରୁଥିଲେ, ବୁଡ଼ି ଗଲା ଡଙ୍ଗା;୨ ନାବାଳକ ନିଖୋଜ

ଏହି ଦୁର୍ଘଟଣାରୁ ଆଉ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

author-image
Jitendra Garnayak
Boat

Boat

ମାଲକାନଗିରି ଜିଲ୍ଲା ଖିଇରପୁଟ ବ୍ଳକ ଦେଇ ଯାଇଥିବା ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱର କେନାଲରେ ବୁଡ଼ି ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଗତକାଲି ସିନ୍ଧିଗୁଡ଼ା ଗାଁ ନିକଟରେ ଏହି ଘଟଣା ଘଟିଥିବା ବେଳେ ନିଖୋଜ ନାବାଳକ ଦ୍ୱୟ ଦିଣ୍ଡିଗୁଡ଼ା ଗାଁର ସଞ୍ଜିତ ଖିଡ଼ଙ୍ଗି (୧୫) ଓ ବଳରାମ ଖିଡ଼ିଙ୍ଗି (୧୪) ବୋଲି ଜଣାପଡ଼ିଛି।

Advertisment

ସଞ୍ଜିତ ଓ ବଳରାମ ସେମାନଙ୍କର ଆଉ ତିନି ଜଣ ସାଙ୍ଗଙ୍କ ସହିତ ଗତକାଲି ଅପରାହ୍ଣରେ ଏକ ବାହାଘର ଭୋଜି ଖାଇବା ପାଇଁ ଦେଶୀ ଡଙ୍ଗାରେ ଚିତ୍ରକୋଣ୍ଡା ଜଳଭଣ୍ଡାର ପାର ହୋଇ ଆନ୍ଧ୍ର ପ୍ରଦେଶର ପାଡ଼ାଲପୁଟ ଗାଁକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେମାନେ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱରେ ଥିବା କେନାଲ ଦେଇ ଡଙ୍ଗାରେ ଫେରୁଥିଲେ। ସେତେବେଳେ ପବନ ବୋହୁଥିଲା। ତା’ ସହିତ ପାଣିର ସ୍ରୋତ ମଧ୍ୟ ପ୍ରଖର ଥିଲା। ତେଣୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା।

ସଞ୍ଜିତ ଓ ବଳରାମଙ୍କ ତିନି ସାଙ୍ଗ ପହଁରି କୂଳରେ ପହଞ୍ଚି ଯାଇଥିଲେ। କିନ୍ତୁ ସଞ୍ଜିତ ଓ ବଳରାମ ବୁଡ଼ି ଯାଇଥିଲେ। ଘଟଣା ସଂପର୍କରେ ତାଙ୍କ ସାଙ୍ଗମାନେ ସିନ୍ଧିଗୁଡ଼ା ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଉକ୍ତ ଅଞ୍ଚଳକୁ ରାସ୍ତା ନଥିବାରୁ ପାହାଡ଼ ଚଢ଼ି ଆସିବା ବେଳକୁ ଅଗ୍ନିଶମ ବାହିନୀର ସଦସ୍ୟଙ୍କୁ ବିଳମ୍ବ ହୋଇଥିଲା। ସେମାନେ ସାଙ୍ଗରେ ଡଙ୍ଗା ଆଣିପାରି ନଥିଲେ। ସେମାନେ ଦେଶୀ ଡଙ୍ଗାରେ ଯାଇ କେନାଲରେ ଖୋଜାଖୋଜି କରିଥିଲେ। କିନ୍ତୁ ସଞ୍ଜିତ ଓ ବଳରାମଙ୍କୁ ପାଇନଥିଲେ। ଗତକାଲି ରାତି ହୋଇଯିବାର ସର୍ଚ୍ଚ ଅପରେସନ ଆଉ ଆଗେଇ ପାରି ନଥିଲା। ଆଜି ପୁଣି ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ନାବାଳକମାନଙ୍କୁ ଖୋଜା ଯାଉଥିବା ସୂଚନା ମିଳିଛି। ମୁଡ଼ୁଲିପଡ଼ା ପୁଲିସ ମଧ୍ୟ ଘଟଣାସ୍ଥଳରେ ଅଛି।

Advertisment
Boat Accident Boat Capsizes