/odisha-reporter/media/media_files/2026/02/05/naxal-2026-02-05-13-16-11.jpg)
ପୁଲିସ୍ ଓ ବିଏସ୍ଏଫ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲ
କୋରାପୁଟ ପୁଲିସ ନିକଟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି ମହିଳା ନକ୍ସଲ ମମତା ପୋଡିଆମି ଓରଫ ମମିତା ଓରଫ ସୋନି। ଏହା ସହିତ ଆଜିଠାରୁ ନକ୍ସଲ ମୁକ୍ତ ହୋଇଛି କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ଏହି ଘୋଷଣା କରିଛନ୍ତି।
କୋରାପୁଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି ଯେ କୋରାପୁଟରେ ଅବସ୍ଥାପିତ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି, କୋରାପୁଟରେ ଅବସ୍ଥାପିତ ବିଏସ୍ଏଫ ଡିଆଇଜି, କୋରାପୁଟ ଏସ୍ପି ଓ ପୁଲିସ୍ ଏବଂ ବିଏସ୍ଏଫର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ମମତା। ୨୬ ବର୍ଷୀୟା ମମତା ପୋଡ଼ିଆମି ନକ୍ସଲ ସଂଗଠନରେ ଏସିଏମ ରାଙ୍କରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର ଲିଙ୍ଗାପୁରମ ଗାଁରେ। ସେ ଓଡ଼ିଶା ଓ ଛତିଶଗଡ଼ରେ ଅନେକ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ସେ ଗୋଟିଏ ୭.୬୨ ଏମ୍ଏମ୍ ଏସ୍ଏଲଆର ରାଇଫଲ ଓ ୧୦ଟି ଗୁଳି ସହିତ ଆତ୍ମସମର୍ପଣ କରିଛନ୍ତି।
ନକ୍ସଲଙ୍କ ନୀତିରେ ସ୍ପଷ୍ଟତା ନଥିବାରୁ ତଥା ସଂଗଠନ ନେତୃତ୍ୱହୀନ ହୋଇପଡ଼ିଥିବାରୁ ଏବଂ ସାଧାରଣ ଲୋକଙ୍କ ସମର୍ଥନ ମିଳୁନଥିବା ବେଳେ ସୁରକ୍ଷା ବଳଗୁଡ଼ିକର ଅନବରତ ଚାପ ଯୋଗୁ ମମତା ପୋଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ଏହା ସହିତ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କ ପାଇଁ ରାଜ୍ୟ ସରକାର ଯେଉଁ ପୁନର୍ବାସ ନୀତି କରିଛନ୍ତି, ସେଥିରେ ଆକୃଷ୍ଟ ହୋଇ ମମତା ପୋଡିଆମି ସମାଜର ମୁଖ୍ୟ ସ୍ରୋତକୁ ଫେରିଥିବା ପୁଲିସର ପ୍ରେସ୍ ରିଲିଜ୍ରେ କୁହାଯାଇଛି।
ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ମମତା ପୋଡିଆମିଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ମିଳିବ। ଏସିଏମ୍ ରାଙ୍କର ହୋଇଥିବାରୁ ତାଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ମିଳିବ। ତା’ ସହିତ ନୂଆ ଆତ୍ମସମର୍ପଣ-ପୁନର୍ବାସ ନୀତି ଅନୁଯାୟୀ ସେ ଏକ ଏସ୍ଏଲଆର ସହିତ ଆତ୍ମସମର୍ପଣ କରିଥିବାରୁ ଅତିରିକ୍ତ ୧ ଲକ୍ଷ ୬୫ ହଜାର ଟଙ୍କା ପାଇବେ। ଏହିପରି ମୋଟ ୭ ଲକ୍ଷ ୧୫ ହଜାର ଟଙ୍କା ସେ ପାଇବେ। ଅନ୍ତରୀଣ ସହାୟତା ବାବଦକୁ ତାଙ୍କୁ ଏବେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ସରକାର ପୁନର୍ବାସ ନୀତି ଅନୁଯାୟୀ ଥିବା ଅନ୍ୟାନ୍ୟ ସମସ୍ତ ସୁବିଧା ସେ ପାଇବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ମମତା ପୋଡିଆମିଙ୍କ ଆତ୍ମସମର୍ପଣ ସହିତ ଆଜିଠାରୁ କୋରାପୁଟ ଜିଲ୍ଲା ନକ୍ସଲମୁକ୍ତ ହେଲା ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ଘୋଷଣା କରିବା ସହିତ ରାଜ୍ୟ ପୁଲିସ ପକ୍ଷରୁ ଅନ୍ୟ କ୍ୟାଡର ନକ୍ସଲ ଓ ନକ୍ସଲ ନେତାମାନଙ୍କୁ ଆତ୍ମସମର୍ପଣ କରିବାକୁ ସେ ଅପିଲ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
