/odisha-reporter/media/media_files/2026/01/17/nataraj-2026-01-17-19-31-00.jpg)
ସଂପର୍କରେ ଦୁହେଁ ଭାଇ। ଗୋଟିଏ ଗର୍ଭରୁ ଜନ୍ମ ହୋଇଥିଲେ। କିନ୍ତୁ ବ୍ୟବସାୟକୁ ନେଇ ସେମାନଙ୍କ ମଧ୍ୟରେ ହୋଇଥିଲା ମନୋମାଳିନ୍ୟ। ଖାଲି ସେତିକି ନୁହେଁ, ସାନ ଭାଇକୁ ହତ୍ୟା କରିବା ପାଇଁ ବଡ଼ ଭାଇ ରଚିଥିଲା ଚକ୍ରବ୍ୟୁହ। ସାନ ଭାଇର ଘନିଷ୍ଠ ବନ୍ଧୁକୁ ହାତ କରି ସୁପାରୀ ଦେଇ ମାରି ଦେଇଥିଲା ବଡ଼ ଭାଇ। ଆଉ ସାନ ଭାଇ ଆତ୍ମହତ୍ୟା କରିଛି ବୋଲି ଥାନାରେ କରିଥିଲେ ଅଭିଯୋଗ। କିନ୍ତୁ ତାଙ୍କର ସମସ୍ତ ଉଦ୍ୟମ ଫସର ଫାଟିଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରି ବଡ଼ ଭାଇ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଛି।
ମୃତକଙ୍କ ନାଁ ନଟରାଜ ଥନାପତି। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଦେଉଳିଗୁଡ଼ାରେ।
ଗାଁରେ ବଡ଼ ଭାଇ ନବ କୁମାର ଥନାପତିଙ୍କ ସହିତ ମିଶି ଏକ ବଡ ଜେନେରାଲ ଷ୍ଟୋର କରିଥିଲେ ନଟରାଜ। କିନ୍ତୁ ବଡ଼ ଭାଇ ନବ କୁମାର ତାଙ୍କୁ ଦିନ ମଜୁରିଆ ଭଳିଆ ଦିନକୁ ମାତ୍ର ଦୁଇ ଶହ ଟଙ୍କା ଦେଉଥିଲେ। ଏପରିକି ସେ ବାପାମା’ଙ୍କୁ ନିଜ ପାଖରେ ନରଖି ନଟରାଜଙ୍କ ପାଖରେ ରହିବାକୁ ବାଧ୍ୟ କରୁଥିଲେ। ବଡ଼ ଭାଇ ନବ କୁମାରଙ୍କ ଏଭଳି ଆଚରଣରେ ଅତିଷ୍ଠ ହୋଇ ତଥା ଅଧିକ ରୋଜଗାର ଆଶାରେ ଗାଁରେ ଏକ ଛୋଟ ଜେନେରାଲ ଷ୍ଟୋରଟିଏ ଖୋଲିଥିଲେ ନଟରାଜ। ସେ ଦୋକାନ ଖୋଲିବା ପରେ ବଡ଼ ଭାଇ ନବ କୁମାରଙ୍କ ବେପାର ଟିକେ ମାନ୍ଦା ପଡ଼ିଗଲା। ଆଉ ଏହିଠାରୁ ଆରମ୍ଭ ହେଲା ହତ୍ୟା ଯୋଜନା।
ଆଉ ମାସେ ପରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ନଟରାଜଙ୍କୁ ହତ୍ୟା କରିବାକୁ ନବ କୁମାର ତାଙ୍କ (ନଟରାଜଙ୍କ) ଘନିଷ୍ଠ ବନ୍ଧୁ କ୍ଷେତ୍ରମୋହନ ସୁନାଙ୍କୁ ସୁପାରୀ ଦେଇଥିଲେ। ମୁଣ୍ଡାପଲା ଗାଁର କ୍ଷେତ୍ରମୋହନ ସୁନା ନିଜ ଘନିଷ୍ଠ ବନ୍ଧୁ ନଟରାଜଙ୍କୁ ମାରିବା ପାଇଁ ତାଙ୍କ ବଡ଼ ଭାଇ ନବ କୁମାରଙ୍କଠାରୁ ଅଗ୍ରୀମ ୬୦ ହଜାର ଟଙ୍କା ନେଇଥିଲେ। ବାକି ଟଙ୍କା ହତ୍ୟା ପରେ ନେବେ ବୋଲି ଡିଲ୍ ହୋଇଥିଲା। ଅଗ୍ରୀମ ୬୦ ହଜାର ନେବା ପରେ କ୍ଷେତ୍ରମୋହନ ୬ ଜଣ ସୁପାରୀ କିଲରଙ୍କୁ ଯୋଗାଡ଼ କରିଥିଲେ। ବୋଲେରୋ ଗାଡ଼ିରେ ଧକ୍କା କରି ନଟରାଜଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ପ୍ରଥମେ ଯୋଜନା ହୋଇଥିଲା। କିନ୍ତୁ ନିଜର କ୍ଷତି ହୋଇଯିବ ଭାବି ବ୍ରିଜ୍ ଉପରୁ ନଟରାଜକୁ ଠେଲି ହତ୍ୟା କରିଥିଲେ ସୁପାରୀ କିଲର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
