ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ପରେ ମାଞ୍ଜା ସୂତା ପାଇଁ ଧରପକଡ଼ ଚାଲିଥିବା ବେଳେ ଅନ୍ୟପଟେ ଆଜି ଏଥିରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥା’ନ୍ତା। ସେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି।
ମାଞ୍ଜା ସୂତାରେ ଆହତ ହୋଇଥିବା ଏହି ଯୁବକଙ୍କ ନାଁ କମଳାକାନ୍ତ। ସେ ଭୁବନେଶ୍ୱରର କଳ୍ପନା ଅଞ୍ଚଳରେ ରହନ୍ତି। ସେ ସ୍କୁଟିରେ ଯାଉଥିବା ବେଳେ ପୋଖରୀପୁଟ ନିକଟରେ ଏକ ମାଞ୍ଜା ସୂତା ତାଙ୍କ ବେକରେ ଲାଗି ଯାଇଥିଲା। ଫଳରେ ତାଙ୍କ ବେକରେ ଆଘାତ ଲାଗିଛି। ତାଙ୍କର ହାତ ଅଙ୍ଗୁଳି ମଧ୍ୟ କଟି ଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମକରରେ ଗୁଡ଼ି ଉଡ଼ାଇବା ନେଇ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଥାଏ। ତେବେ ଆଜିକାଲି ଲୋକେ ଏଥିରେ ମାଞ୍ଜା ସୂତା ବ୍ୟବହାର କରୁଥିବା ଯୋଗୁ ଅଘଟଣ ଘଟୁଛି। କେତେବେଳେ ଲୋକେ ଆହତ ହେଉଛନ୍ତି ତ କେତେବେଳେ ଜୀବନ ପଳଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ କଟକ, ଭୁବନେଶ୍ୱର ଓ ପୁରୀ ଆଦି ସ୍ଥାନରେ ପୁଲିସ୍ ପକ୍ଷରୁ ରେଡ୍ କରାଯାଇ ମାଞ୍ଜା ସୂତା ଓ ପ୍ଲାଷ୍ଟିକ୍ ସୂତାଗୁଡ଼ିକୁ ଜବତ କରାଯାଉଛି।
କଟକରେ ଭଳିକି ଭଳି ଗୁଡ଼ି ଦୋକାନର ପସରା ମେଲିଛି। ମିଳୁଛି ରଙ୍ଗ ବେରଙ୍ଗର କୌତୁକିଆ ଓ ମନଲୋଭା ଗୁଡ଼ି। ଚୌଧୁରୀ ବଜାର ଓ ନନ୍ଦିସାହି ମାର୍କେଟରେ ଭିଡ଼ ଜମୁଛି। ପ୍ଲାଷ୍ଟିକ କିମ୍ବା ମାଞ୍ଜା ସୂତାରେ ଗୁଡ଼ି ବିକ୍ରିକୁ ବ୍ୟାନ୍ କରିଛି ପ୍ରଶାସନ। ତଥାପି କିଛି ଅସାଧୁ ବ୍ୟବସାୟୀ ମାଞ୍ଜା ସୂତାରେ ଗୁଡ଼ି ବିକ୍ରି କରୁଛନ୍ତି। ପ୍ରାଣଘାତୀ ପ୍ଲାଷ୍ଟିକ ସୂତା ବିକ୍ରି କି ଏଥିରେ ଗୁଡ଼ି ଉଡ଼ାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି। ସେହିପରି ଭୁବନେଶ୍ୱରରେ ରେଡ୍ କରି ନଟେଇ, ମାଞ୍ଜା ସୂତା ବଣ୍ଡଲ ଓ ଗୁଡ଼ି ଜବତ କରିଛି ବଡ଼ଗଡ଼ ଥାନା ପୁଲିସ।
ପୁରୀରେ ମକର ପୂର୍ବରୁ ମାଞ୍ଜା ସୂତାକୁ ନେଇ ଘନଘନ ରେଡ୍ କରିଛି ପୁଲିସ। କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ ଏସପିଙ୍କ ନିର୍ଦ୍ଦେଶରେ ସ୍ପେଶାଲ୍ ଡ୍ରାଇଭ କରାଯାଇଛି। ୨୨ଟି ଦୋକାନରେ ଚଢ଼ାଉ କରି ୧୪୦ ବଣ୍ଡଲ୍ ମାଞ୍ଜା ସୂତା ଜବତ କରିଛି ପୁଲିସ। ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବାରୁ ମକରରେ ମାଞ୍ଜା ସୂତାର ଗୁଡ଼ି ଉଡ଼ାଇବାକୁ ବାରଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/13/kite-2026-01-13-19-49-50.jpg)