/odisha-reporter/media/media_files/2026/02/20/dead-boy-2026-02-20-13-02-34.jpg)
ଭୁବନେଶ୍ୱରର ଏକ ହୋଟେଲ୍ରେ ଜଣେ ଯୁବକଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ବୁବୁନା ପ୍ରଧାନ। ତାଙ୍କ ଘର ପୁରୁଣା ଭୁବନେଶ୍ୱରରେ। ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।
ବୁବୁନା ବି.ଟେକ୍ କରିଥିଲେ। ଗତ ୬ ମାସ ହେଲା ସେ ନୟାଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଲିଭ୍ ଇନ୍ରେ ରହୁଥିଲେ ବୋଲି ଜଣାପଡ଼ିଛି।
ଗତକାଲି ରାତି ପ୍ରାୟ ୩ଟା ବେଳେ ବୁବୁନାଙ୍କ ପରିବାର ଲୋକଙ୍କ ପାଖକୁ ତାଙ୍କ ପ୍ରେମିକାଙ୍କ ପାଖରୁ ଏକ ଫୋନ୍ କଲ୍ ଆସିଥିଲା। ବୁବୁନା ଅସୁସ୍ଥ ହୋଇପଡ଼ିଥିବା ସେ କହିଥିଲେ। ଏହା ସହିତ ଯେଉଁ ହୋଟେଲରେ ବୁବୁନା ଥିଲେ, ତା’ର ଲୋକେଶନ ବି ସେ ଶେଆର କରିଥିଲେ।
ବୁବୁନାଙ୍କ ପରିବାର ଲୋକେ ଉକ୍ତ ହୋଟେଲରେ ପହଞ୍ଚିଥିଲେ। ସେତେବେଳକୁ ହୋଟେଲ ଗେଟ୍ ପାଖରେ ଏକ ଅଟୋ ପହଞ୍ଚି ସାରିଥିଲା। ବୁବୁନାଙ୍କ ପ୍ରେମିକା ସେଠାରେ ଉପସ୍ଥିତ ଥିଲେ। ବୁବୁନା ହୋଟେଲ୍ ରୁମ୍ରେ ଏକ ହାପ୍ ପ୍ୟାଣ୍ଟ ପିନ୍ଧି ତଳେ ଶୋଇଥିବା ଦେଖିଥିଲେ। ସେମାନେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ତେବେ ସେ ଆଉ ଜୀବିତ ନାହାନ୍ତି ବୋଲି ଡାକ୍ତର କହିଥିଲେ।
ବୁବୁନାଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ପ୍ରେମିକା ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସକାଳ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ସେ ବୁବୁନାଙ୍କ ପରିବାର ଲୋକଙ୍କ ସହିତ କ୍ୟାପିଟାଲ ହସ୍ପିଟାଲରେ ଉପସ୍ଥିତ ଥିଲେ।
ବୁବୁନାଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ି ନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ଅନ୍ୟପକ୍ଷରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ସେଠାରେ ସିସିଟିଭି ଲାଗିଥିବାରୁ ସେଗୁଡ଼ିକୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।
ଏୟାରପୋର୍ଟ ଥାନା ଆଇଆଇସି ରତିନ୍ଦ୍ରନାଥ ମେହେର କହିଛନ୍ତି ଯେ ଏହି ଘଟଣାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ହିଁ କୁହାଯାଇପାରିବ ଯେ ବାସ୍ତବରେ କ’ଣ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
