/odisha-reporter/media/post_attachments/uploads/2018/08/crime-coudwar.jpg)
crime-coudwar
ଚୌଦ୍ୱାର (ପ୍ରକାଶ କୁମାର ନାୟକ): ପତ୍ନୀହତ୍ୟା ଅଭିଯୋଗରେ ଗିରଫ ହୋଇ ହାଜତରେ ଥିବା ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନାରେ।
ଅଭିଯୁକ୍ତ ସ୍ୱାମୀ ହେଲେ ବଳରାମ ନାୟକ। ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଟାଙ୍ଗୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ପୂରା ଘଟଣା ଏମିତି। ବଳରାମଙ୍କ ଘର ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଉପରସାହିରେ। ଗତ ୨୭ ତାରିଖ ବିଳମ୍ୱିତ ରାତିରେ ସେ ତାଙ୍କ ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ୍ ତାକୁ ଥାନା ହାଜତରେ ଅଟକ ରଖି ପଚରାଉଚରା କରୁଥିଲା।
ଆଜି ଅଭିଯୁକ୍ତ ବଳରାମଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିବାର ଥିଲା। ତା’ପୂର୍ବରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଘଟଣା ସମ୍ପର୍କରେ ଅବଗତ କରାଇବା ପାଇଁ ପୂର୍ବାହ୍ନ ୧୧ଟାରେ ପୁଲିସ ସାମ୍ୱାଦିକ ସମ୍ମିଳନୀ କରିବାର ଥିଲା। ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଥାନାରେ ପହଞ୍ଚିଥିଲେ।
ଏହି ସମୟରେ ହାଜତ ଓ ଥାନା ପରିସରରେ ରକ୍ତ ପଡ଼ିଥିବା ଦେଖି ହତବାକ ହୋଇପଡ଼ିଥିଲେ ଗଣମାଧ୍ୟମ ପ୍ରତିନିଧି। ପରେ ଶୁଣିବାକୁ ମିଳିଥିଲା, ହାଜତରେ ଥିବା ଅଭିଯୁକ୍ତ ବଳରାମ ନିଜ ବେକ କାଟି ଦେଇଥିଲେ।
ତେବେ ଏଠି ପ୍ରଶ୍ନ ଉଠୁଛି, ଜଣେ ଅଭିଯୁକ୍ତ ହାଜତ ଭିତରେ ଥିବା ବେଳେ ବେକ କାଟିବା ପାଇଁ ଧାରୁଆ ଅସ୍ତ୍ର ପାଇଲେ କେଉଁଠୁ? ନା ତାଙ୍କୁ କେହି ଅସ୍ତ୍ର ଦେଇଛି ନା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଯାଇଥିବା ବେଳେ ସେଠାରୁ କୌଣସି ଧାରୁଆ ଅସ୍ତ୍ର ନେଇ ଆସିଥିଲେ? ଏହି ଘଟଣା ପରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
