ପଦ୍ମପୁର(ଓଡ଼ିଶା ରିପୋର୍ଟର): ଦୁଇ ଦିନ ପରେ ସାବିତ୍ରୀ। ଏଣୁ ବଜାରରେ ଫଳ ଦର ଉଚ୍ଚା ରହିଛି। ଅନ୍ୟାନ୍ୟ ଫଳ ସହିତ ଆମ୍ବ ଦର ମଧ୍ୟ ମହଙ୍ଗା ରହିଛି। କିଛି ଆମ୍ବ କିଲୋ ପ୍ରତି ୧୦୦ ଟଙ୍କାରେ ମିଳୁଥିବା ବେଳେ ଆଉ କିଛି ୧୨୦ କିମ୍ବା ୧୪୦ରେ ମିଳୁଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବରଗଡ଼ରେ ଜଣେ ଚାଷୀଙ୍କ ବାଡ଼ିରେ ଯେଉଁ ଆମ୍ବ ଫଳିଛି ତା’ର କିଲୋପ୍ରତି ଦର ହେଉଛି ଅଢ଼େଇ ଲକ୍ଷ ଟଙ୍କା। ଏହି ଆମ୍ବର ନାଁ ମିଆଜାକି।
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ନିଲାଥର ଗାଁର ଚାଷୀ ଚନ୍ଦ୍ର ସତ୍ୟନାରାୟଣଙ୍କ ବାଡ଼ିରେ ଫଳିଛି ମିଆଜାକି ଆମ୍ବ। ସତ୍ୟନାରାୟଣ ଜାପାନିଜ୍ ବ୍ରିଡ୍ ମିଆଜାକି ସହିତ ଆଇସ ବକ୍ସ ପ୍ରଜାତିର ଆମ୍ବ ଗଛ ଲଗାଇଛନ୍ତି। ଏହି ଆମ୍ବଗୁଡ଼ିକୁ ୩ ବର୍ଷ ଯାଏ କୋଲ୍ଡଷ୍ଟୋରରେ ରଖାଯାଇପାରିବ। ମିଆଜାକି ଆମ୍ବର ବଜାର ମୂଲ୍ୟ କିଲୋପ୍ରତି ଅଢ଼େଇରୁ ୩ ଲକ୍ଷ ଟଙ୍କା ରହିଛି। ଏହି ଆମ୍ବରେ ବହୁ ଔଷଧୀୟ ଗୁଣ ସହ ଭିଟାମିନ୍ସ, ବିଟାକାରୋଟିନ୍ ଓ ଫଲିକ ଏସିଡ ରହିଛି।
[caption id="attachment_737493" align="alignnone" width="650"] ଗଛରେ ମିଆଜାକି ଆମ୍ବ[/caption]
୩ ବର୍ଷ ତଳେ ଜଣେ ବନ୍ଧୁଙ୍କଠାରୁ ମିଆଜାକି ଆମ୍ବ ବିଷୟରେ ଶୁଣିବା ପରେ ବାଂଲାଦେଶରୁ ଦୁଇଟି ଚାରା ମଗାଇ ନିଜ ବାଡ଼ିରେ ଲଗାଇଥିଲେ ସତ୍ୟନାରାୟଣ। ଗତ ବର୍ଷ ଏହି ଦୁଇଟି ଗଛରେ ଦୁଇ ତିନୋଟି ଫଳ ହୋଇଥିବା ବେଳେ ଏଥର ଭଲ ଫଳ ଆସିଛି।
ମିଆଜାକି ଆମ୍ବକୁ ଦେଖିବାକୁ ସତ୍ୟନାରୟଣଙ୍କ ଫାର୍ମରେ ଏବେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହି ଆମ୍ବ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ସହ ସ୍ଥାନୀୟ ଚାଷୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି। ତେବେ ଏହି ଆମ୍ବର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିବା ବେଳେ ବଜାରରେ କେମିତି ବିକ୍ରି କରିବେ ଓ ଉଚିତ ମୂଲ୍ୟ ପାଇବେ କି ନାହିଁ, ତାହା ଏବେ ସତ୍ୟନାରୟଣଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି।
[caption id="attachment_737494" align="aligncenter" width="650"] ଚନ୍ଦ୍ର ସତ୍ୟନାରାୟଣ ନିଜ ବାଡ଼ିରେ ଏହି ନାମୀଦାମୀ ଆମ୍ବ ଫଳାଇଛନ୍ତି[/caption]
ଚନ୍ଦ୍ର ସତ୍ୟନାରାୟଣ କହିଛନ୍ତି, ୩ ବର୍ଷ ତଳେ ସାଙ୍ଗଙ୍କଠାରୁ ଏହି ଆମ୍ବ ବିଷୟରେ ଶୁଣିଥିଲି। ମୋର ଜଣେ ସର୍ମ୍ପକୀୟ ମୋ ପାଇଁଏହି ଆମ୍ବର ଦୁଇଟି ଚାରା ବାଂଲାଦେଶରୁ ଆଣି ଦେଇଥିଲେ। ମୁଁ ସେଗୁଡ଼ିକୁ ମୋ ଫାର୍ମରେ ଲଗାଇଥିଲି। ଗତବର୍ଷ ଦୁଇରୁ ତିନିଟି ଆମ୍ବ ଫଳିଥିଲା। ଏହି ଆମ୍ବ ଦର ବିଦେଶରେ କିଲୋପ୍ରତି ୨ ଲକ୍ଷ ୭୦ ହଜାର ଟଙ୍କା ରହିଛି। ଓଡ଼ିଶାରେ ଏହା କେତେ ଟଙ୍କାରେ ବିକ୍ରି ହେବ ଜଣାନାହିଁ।
[caption id="attachment_737495" align="aligncenter" width="650"] ମିଆଜାକି ଆମ୍ବ[/caption]
ଚନ୍ଦ୍ର ସତ୍ୟନାରାୟଣଙ୍କ ପୁଅ ସାଇ ଭାସ୍କର କହିଛନ୍ତି, ପ୍ରଥମେ ଯେଉଁ ଆମ୍ବ ଫଳିଥିଲା, ଆମେ ଟେଷ୍ଟ କରିଥିଲୁ। ଏଥର ଅଧିକ ଆମ୍ବ ଫଳିଛି। ହେଲେ ମାକେର୍ଟିଂରେ ଅସୁବିଧା ହେଉଛି।
ସହକାରୀ ଉଦ୍ୟାନ ଅଧିକାରୀ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ଏହି ଆମ୍ବର ଟେଷ୍ଟ ଅନ୍ୟ ଆମ୍ବଠାରୁ ଅଲଗା। ଏହା ପାକଳ ହେଲା ପରେ ସଠିକ ଭାବେ ଜଣାପଡ଼ିବ। ଏହି ଆମ୍ବର ଚାଷ ପ୍ରଣାଳୀ ଚାଷୀମାନେ କିପରି ଶିଖିପାରିବେ ଓ ଏହାକୁ ସେମାନେ ଚାଷ କରି କିପରି ଭଲ ରୋଜଗାର କରିପାରିବେ, ତା’ର ବ୍ୟବସ୍ଥା ନିଶ୍ଚିତ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।