Advertisment

ସମ୍ବଲପୁରରେ ହିଂସା: ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଆଜି ଝାରସୁଗୁଡ଼ାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଗତବର୍ଷ ସମ୍ବଲପୁରଠାରେ ଅନୁଷ୍ଠିତ ହନୁମାନ ଜୟନ୍ତୀ ପାଳନ ଅବସରରେ ଉତ୍ତେଜନା ଦେଖା ଯାଇଥିଲା ।

author-image
Ordigital Desk
BJP

BJP

ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ ହୋଇ ଦିଶୁଛି । ବିଜେପିର ପ୍ରତିନିଧି ମଣ୍ଡଳୀକୁ ରୋକିବା ପାଇଁ ପୁଲିସ ଉପରେ କିଏ ଚାପ ପକାଇଥିଲା ଓ ବିନା ଦୋଷରେ ବିଜେପି ନେତାମାନଭ୍‌କୁ ରାସ୍ତାରୁ ପୁଲିସ କାହିଁକି ଉଠାଇ ନେଇଥିଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି ।

Advertisment

ଆଜି ଝାରସୁଗୁଡ଼ାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ଗତବର୍ଷ ସମ୍ବଲପୁରଠାରେ ଅନୁଷ୍ଠିତ ହନୁମାନ ଜୟନ୍ତୀ ପାଳନ ଅବସରରେ ଉତେଜନା ଦେଖା ଯାଇଥିଲା । କିନ୍ତୁ ନିୟନ୍ତ୍ରଣ ହୋଇପାରିଥିଲା । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅଯୋଗ୍ୟତା, ଦୂରଦୃଷ୍ଟିର ଅଭାବ  ବା ସରକାର ଜାଣିଶୁଣି ଏଭଳି ଘଟଣା ଘଟୁ ବୋଲି ଚାହୁଁଥିବାରୁ ଏହି ହିଂସାକାଣ୍ଡର ପୁନରାବୃତ୍ତି ହେଲା। ରାଜ୍ୟ ସରକାରଙ୍କ ପାଖରେ ଇଟେଂଲିଜେନ୍ସି ରିପୋର୍ଟ ଓ ଗତବର୍ଷର ଅନୁଭୂତି ମଧ୍ୟ ଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ସତର୍କ କରାଇଥିଲେ, କିନ୍ତୁ ଜିଲ୍ଲା ଏସପି କାହିଁକି ଏହାକୁ ଅଣଦେଖା କଲେ । ପୂର୍ବର ଅନୁଭତିକୁ ଦେଖି ଏବର୍ଷ ନିଶ୍ଚିତଭାବେ ରାଜ୍ୟ ସରକାର ପ୍ରତିଷେଧମୂଳକ ବ୍ୟବସ୍ଥା କରିବା କଥା । ଯଦି ସମ୍ବଲପୁରରେ ଅଧିକ ପୁଲିସ ନଥିଲେ ତାହାଲେ କେନ୍ଦ୍ରରୁ ସୁରକ୍ଷା ବାହିନୀ ମଗାଯାଇପାରିଥାନ୍ତ।। କିନ୍ତୁୁ ତାହା ନକରି ଯେଭଳି ଭାବରେ ସମ୍ବଲପୁରରେ ଏକ ଅଶାନ୍ତ ପରିବେଶ ସୃଷ୍ଟି କରିବା ପାଇଁ ଛାଡି ଦିଆଗଲା ତାହା ନିନ୍ଦନୀୟ । ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ ବୋଲି ଶ୍ରୀ ସାମଲ କହିଛନ୍ତି।

ସୁରକ୍ଷା ଅବହେଳାରୁ ଆଜି ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୧୪ ତାରିଖରେ ହନୁମାନ ଜୟନ୍ତୀ ଦିନ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଧାଙ୍କୁ ସାମ୍ପ୍ରଦାୟିକ ଅସାମାଜିକ ଶକ୍ତିମାନେ ନିର୍ମମ ଭାବେ ହତ୍ୟା କଲେ । ରାଜ୍ୟ ସରକାର ରାତାରାତି ପୋଷ୍ଟମର୍ଟମ କରିବା, ଲୁଚେଇ ଶବ ସତ୍କାର କରିବା ଏବଂ ହିନ୍ଦୁ ରୀତିନୀତିକୁ ଅଣଦେଖା କରିବା ସହ  ତାଙ୍କର ଶବ ସହିତ ମଧ୍ୟ ଅନ୍ୟାୟ କଲେ । ଯାହାକି ଦୁର୍ଭାଗ୍ୟଜନକ । ହିନ୍ଦୁ ବିରୋଧୀ ଶକ୍ତିମାନେ ବିଜେପିର ସହଯୋଗୀ ଦାମୋଦର କରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା କଥା ଏସପି ମାନିଛନ୍ତି । ଏହି ସାମ୍ପ୍ରଦାୟିକ ଦଙ୍ଗା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା ବୋଲି ପୁଲିସ ସ୍ୱୀକାର କରିଛି । ଯଦି ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା ତାହେଲେ ପୁଲିସ ପ୍ରଶାସନ କଣ କରୁଥିଲା, ଯେଉଁମାନେ ଷଡ଼ଯନ୍ତ୍ର କରୁଥିଲେ ସେମାନଙ୍କୁ କେଉଁମାନେ ରାଜନୈତିକ ସୁରକ୍ଷା ଦେଉଥିଲେ ବୋଲି ବିଜେପି ପ୍ରଶ୍ନ କରିଛି।

Advertisment

ଗତ ୪୦ ବର୍ଷ ହେଲା ସମ୍ବଲପୁରରେ ବିନା ଲାଇସେନ୍ସରେ ଗୋମାଂସ ଚୋଲାଣ ହେଉଛି। କାହା ସମର୍ଥନରେ ଏଭଳି କାର୍ଯ୍ୟ ହେଉଛି। ଦେଶବିରୋଧୀ କାମକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏହି ହନୁମାନ ଜୟନ୍ତୀରେ ଯେଉଁମାନେ ପଥର ଫିଙ୍ଗି ଗଣ୍ଡଗୋଳ କଲେ ସେମାନଙ୍କର ‘ଗଡ ଫାଦର' କିଏ ? ସେମାନଙ୍କ ପାଖରେ ପୁଲିସ କେବେ ପହଂଚିବ ? ବିଜେପିର ପ୍ରତିନିଧିମଣ୍ଡଳୀ ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାର ଓ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିବାର ଗତକାଲି କାର୍ଯ୍ୟକ୍ରମ ଥିଲା । ହେଲେ ଅଜଣା କାରଣ ପାଇଁ ପୁଲିସ ଏହା କରାଇ ଦେଲା ନାହିଁ, ଅଧା ବାଟରେ ବିଜେପିର ପ୍ରତିନିଧିମଣ୍ଡଳୀକୁ ରୋକିବା ପାଇଁ ପୁଲିସ ଉପରେ କିଏ ଚାପ ପକାଇଥିଲେ, ଏହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।

ସେହିପରି ବରଗଡ଼ ସାଂସଦ ସୁରେଶ ପୁଜାରୀ କହିଛନ୍ତି ଯେ, ହନୁମାନ ଓ ଶ୍ରୀରାମ ଜୟନ୍ତୀରେ ଗଣ୍ଡଗୋଳର ଆଶଙ୍କା କରି ଏପ୍ରିଲ ୫ତାରିଖରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ କରିଥିଲେ। ହେଲେ କାହିଁକି ଏସ୍‌ପି ଏହାକୁ ଅଣଦେଖା କଲେ ଏହାର ଉତ୍ତର ଦିଅନ୍ତୁ। ଘଟଣାକୁ ୭ଦିନ ବିତିଥିଲେ ମଧ୍ୟ ପୁଲିସ ମାତ୍ର ୨୨ଜଣଙ୍କୁ  ଗିରଫ କରିଛି ଓ ଅନେକ ଲୋକଙ୍କୁ ଛାଡି ଦେଇଛି।  ୩ ଜଣ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରାସ୍ତାରେ ଯେଉଁ ଭଳି ଭାବରେ ଗତକାଲି ଅଟକାଗଲା ଏଥିରୁ ରାଜ୍ୟ ସରକାର କି ସନ୍ଦେଶ ଦେବା ପାଇଁ ଚାହୁଁଛନ୍ତି । କିଭଳି ଯଥାଶୀଘ୍ର ସମ୍ବଲପୁରରେ ଶାନ୍ତି ଫେରିବ ସେ ନେଇ ପ୍ରଶାସନ ଉଦ୍ୟମ କରୁ । ମୁଖ୍ୟମନ୍ତ୍ରୀଙ୍କୁ ବିଦେଶଗସ୍ତ କରିବାର ସମୟ ମିଳୁଛି କିନ୍ତୁ ସମ୍ବଲପୁର ଦଙ୍ଗାର ସ୍ଥିତି ଅନୁଧ୍ୟାନ ପାଇଁ ସମୟ ନାହିଁ ।  ଓଡ଼ଶାରେ ଆଇନର ଶାସନ ଚାଲୁ ନାହିଁ । ଯଦି ଏଭଳି ଚାଲେ ଆଗାମୀ ଦିନରେ ଓଡ଼ିଶା ପଶ୍ଚିମବଙ୍ଗ ଓ ବିହାର ଭଳି ହେବ ଯାହା ଓଡ଼ିଆ ଲୋକଙ୍କ ଭବିଷ୍ୟତ ପାଇଁ ଶୁଭଙ୍କର ହେବ ନାହିଁ । ରାଜ୍ୟ ସରକାର ହୋସକୁ ଆସନ୍ତୁ, ଭଗବାନ ଏ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ପୁଜାରୀ କଟାକ୍ଷ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଜୁଏଲ ଓରାମ ଓ ବସନ୍ତ ପଣ୍ଡା, ବିଜେପି ନେତା ସମୀର ମହାନ୍ତି ଓ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

BjD Bjp State Bjp Sambalpur