Advertisment

ପ୍ରକଳ୍ପ ଆରମ୍ଭ ହେବାର ୪ ମାସ ପରେ ଶିଳାନ୍ୟାସ କଲେ ମନ୍ତ୍ରୀ, ଘେରିଲେ ପୂର୍ବତନ ସାଂସଦ

ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ରାସ୍ତା ସଂଯୋଗୀକରଣ ଯୋଜନାରେ କୁଳିଅଣା ବ୍ଲକର ଧାଙ୍ଗିଡିଶୋଳରୁ ଦେଉଳି-ବାଘଡ଼ା ପର୍ଯ୍ୟନ୍ତ ୧୬ କିମି ରାସ୍ତା ପ୍ରଶସ୍ତି କରଣ ହେଉଛି। ରାସ୍ତା କାମ ପ୍ରାୟ ୪ ମାସ ତଳୁ ଆରମ୍ଭ ହୋଇଗଲାଣି।

author-image
Manoranjan Sial
Baripada

Baripada

ରାସ୍ତା ପ୍ରଶସ୍ତିକରଣ କାମ ୪ ମାସ ତଳେ ଆରମ୍ଭ ହେଲାଣି। ହେଲେ ରବିବାର ଦିନ ଶିଳାନ୍ୟାସ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ପୁରୁଣା ପ୍ରକଳ୍ପ ଶିଳାନ୍ୟାସକୁ ନେଇ ଘେରିଛନ୍ତି ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ଆଉ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ମନ୍ତ୍ରୀ ଲୋକଙ୍କୁ ଭୂଆଁ ବୁଲାଇବାକୁ ଆସିଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ରାସ୍ତା ସଂଯୋଗୀକରଣ ଯୋଜନାରେ କୁଳିଅଣା ବ୍ଲକର ଧାଙ୍ଗିଡିଶୋଳରୁ ଦେଉଳି-ବାଘଡ଼ା ପର୍ଯ୍ୟନ୍ତ ୧୬ କିମି ରାସ୍ତା ପ୍ରଶସ୍ତି କରଣ ହେଉଛି। ରାସ୍ତା କାମ ପ୍ରାୟ ୪ ମାସ ତଳୁ ଆରମ୍ଭ ହୋଇଗଲାଣି। ହେଲେ ରବିବାର ଦିନ ରାସ୍ତା ଶିଳାନ୍ୟାସ କଥା ମନେ ପଡ଼ିଲା। ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଥାଟବାଟ ସହକାରେ ଶତାଧିକ କର୍ମୀଙ୍କୁ ଧରି ଶିଳାନ୍ୟାସ କରିବାକୁ ଆସିଥିଲେ। ପୂଜା ପୂଜି ପରେ ନଡ଼ିଆ ବାଡେଇ ଶିଳାନ୍ୟାସ କଲେ ମନ୍ତ୍ରୀ। ପାରମ୍ପରିକ ବାଦ୍ୟ ସାଙ୍ଗକୁ ଗୀତ ନାଚରେ ଜମିଥିଲା ଆସର। ଉକ୍ତ ଶିଳାନ୍ୟାସ ଉତ୍ସବରେ ପୂର୍ତ୍ତ ବିଭାଗ ଅଧିକାରୀମାନେ ମଧ୍ୟ ଯୋଗଦେଇ ଥିଲେ। ସବୁଠାରୁ ମଜାଦାର କଥା ହେଉଛି ସରକାରୀ ଶିଳାନ୍ୟାସ ପର୍ବରେ ଶଙ୍ଖ ଚିହ୍ନ ଜିନ୍ଦାବାଦ ଶୁଣିବାକୁ ମିଳିଥିଲା।

କାମ ସରିବାକୁ ଆଉ କିଛି ଦିନ ବାକି ଥିବା ବେଳେ ହଠାତ୍‌ କାହିଁକି ପ୍ରକଳ୍ପ ଶିଳାନ୍ୟାସ୍‌ କରାଗଲା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସମାଲୋଚନା କରିଛନ୍ତି ମୟୂରଭଞ୍ଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ସେ କହିଛନ୍ତି, ଭୂମି ପୂଜନ କେବେ ହୁଏ? ପ୍ରକଳ୍ପ ଆରମ୍ଭରେ ନା ଶେଷରେ? ଧାଙ୍ଗିଡିଶୋଳରୁ ଚାନ୍ଦୁଆ-ଚାଲୁଣିଆ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାମ ଚାଲିଛି। ପ୍ରକଳ୍ପର କାମ ପ୍ରାୟ ୭୫ ଭାଗ ସରିଛି। ଆଜି ଆଶ୍ଚର୍ଯ୍ୟ ଲାଗୁଛି, ସେହି ରାସ୍ତାକୁ ଗଣ ଶିକ୍ଷାମନ୍ତ୍ରୀ ଭୂମିପୂଜନ କରିଛନ୍ତି ବୋଲି ଟୁଡୁ କହିଛନ୍ତି।

Advertisment

ଟୁଡୁ ଆହୁରି କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମନ୍ତ୍ରୀ ନିଜର ପ୍ରଚାର ପ୍ରସାର କରିବା ପାଇଁ ଅନେକ ବର୍ଷ ପରେ ପୁଣି ନିର୍ବାଚନମଣ୍ଡଳୀକୁ ଆସିଛନ୍ତି। ଯାହା ହାସ୍ୟାସ୍ପଦ, ଏଭଳି କରି ସେ ଆଉ କେତେ ଦିନ ଲୋକଙ୍କୁ ଭୁଆଁ ବୁଲାଇବେ? ଲୋକ ଆଉ ବୋକା ନାହାନ୍ତି ବୋଲି ଟୁଡୁ କହିଛନ୍ତି।

ତେବେ ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ବାରିପଦାରୁ ମାଣିକଲାଲ ପାଣି

Baripada Mayurbhanj