Advertisment

ଯେଉଁ ଗାଁରେ ଦିନେ ପ୍ରବଚନ ଦେଉଥିଲେ, ସେହିଠାରୁ ରାଷ୍ଟ୍ରପତି ଆରମ୍ଭ କଲେ ନିଶାମୁକ୍ତ ଓଡ଼ିଶା ଅଭିଯାନ

ଯେଉଁମାନେ ନିଶା ସେବନ କରୁଛନ୍ତି, ସେମାନଙ୍କୁ ବାରମ୍ୱାର ନେବାକୁ ମନ କହିବ। କିନ୍ତୁ ମୁଁ ଏଠି ଆପଣଙ୍କୁ କହିବାକୁ ଚାହେଁ, ଆପଣମାନେ ଏମିତି ଏକ ଅମୃତ ବା ସୁରା ପାନ କରନ୍ତୁ, ଯାହା ଆପଣଙ୍କୁ ବାରମ୍ୱାର ପିଇବାକୁ ପଡ଼ିବ ନାହିଁ। ସେ ହେଉଛି ଆଧ୍ୟାତ୍ମିକତାବାଦର ସୁରା।

author-image
Manoranjan Sial
ଅଦ୍ୟତନ ହୋଇଛି
President of India

President of India

ଦିନେ ଯେଉଁ ଗାଁକୁ ପ୍ରବଚନ ଦେବାକୁ ଯାଉଥିଲେ। ଆଜି ସେହି ଗାଁରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆରମ୍ଭ କରିଛନ୍ତି। ସେହି ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ସାତପଉଟିଆ। ଆଜି ସେହି ଗାଁରେ ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ରାଷ୍ଟ୍ରପତି ଯୋଗଦେଇ ନିଶାର ଅପକାରିତା ସମ୍ପର୍କରେ କହିବା ସହିତ ଆଧ୍ୟାତ୍ମିକତାବାଦର ସୁରା ପାନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ସାତପଉଟିଆରେ ଆୟୋଜିତ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ନିଶା ହେଉଛି ଏକ ବ୍ୟାଧି। ଏହା ସବୁ ସମାଜକୁ ଅନିଷ୍ଟ କରୁଛି। ନିଶା ସେବନରୁ ଲୋକମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କ ଭିତରେ ଚେତନତା, ଜାଗରଣ ସୃଷ୍ଟି କରିବାକୁ ପଡ଼ିବ। ଦେଖିବାକୁ ଗଲେ ନିଶା ସେବନର ଅପକାରିତା ବିଷୟରେ ସମସ୍ତେ ଜାଣିଛନ୍ତି। ଏହା ସତ୍ତ୍ୱେ ଲୋକମାନେ ନିଶା ଆଡକୁ ଧସେଇ ପଶୁଛନ୍ତି। ନିଶା ସକ୍ତ ଲୋକମାନେ ନିଶା ଛାଡ଼ିବା ପାଇଁ କିପରି ପ୍ରୟାସ କରିବେ ଏବଂ କିପରି ଏ ଓଡ଼ିଶା ନିଶା ମୁକ୍ତ ହେବ? ସେଥିପାଇଁ ଆପଣ(ଈଶ୍ୱରୀୟ ବ୍ରହ୍ମକୁମାରୀ)ଙ୍କ ଅଭିଯାନ ନିଶ୍ଚିତ ଭାବେ ପ୍ରଣିଧାନଯୋଗ୍ୟ ବୋଲି ଶ୍ରୀମତୀ ମୁର୍ମୁ କକହିଛନ୍ତି।

ସେ କହିଛନ୍ତି, ସାମାଜିକ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ପାନ ଏକ ଅଭିଶାପ। ଆମେ ସମସ୍ତେ ଜାଣୁ, ଅନେକ ଲୋକ ନିଶାସକ୍ତ ଅବସ୍ଥାରେ ଅସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଯାଆନ୍ତି। ସେମାନେ ସେହି ସବୁ ଭୟାନକ କୁକର୍ମର ଭୟାବହ ଫଳାଫଳକୁ ଅଣଦେଖା କରନ୍ତି। ଅର୍ଦ୍ଧ ଚେତନ ଅବସ୍ଥାରେ ଥିବା ଲୋକଟି ଭଲ ମନ୍ଦ କିଛି ବୁଝି ପାରେନାହିଁ। ନିଶାସକ୍ତ ଅବସ୍ଥାରେ ଘର ଭିତରେ ଅଶାନ୍ତି, ସାହି ପଡ଼ିଶାରେ କଳି କଜିଆ, ମାରପିଟ୍‌ ହୋଇଥାଏ। ଏହାଛଡ଼ା ଶରୀର ଉପରେ ନିଶାର ପ୍ରଚଣ୍ଡ କୁପ୍ରଭାବ ପଡ଼ିଥାଏ। ପ୍ରଥମେ ପ୍ରଥମେ ଜଣେ ଲୋକ ନିଶା ଖାଏ। କିଛି ଦିନ ପରେ ଲୋକଟିକୁ ନିଶା ଖାଇଥାଏ। ସେ ନିଜୟ ଆୟତ୍ତରେ ରହିପାରେ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି କହିଛନ୍ତି, ନିଶା ସେବନ ଶରୀର ପାଇଁ ହାନୀକାରକ। ଆଜି କାଲି କେତେପ୍ରକାର ନୂଆ ନୂଆ ନିଶା ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଛି। ଏ ସବୁ ନିଶା ଶାରୀରିକ କ୍ଳାନ୍ତି ଓ ମାନସିକ ଅବସାଦର ଏକ କାରଣ। ନିଶାର ଆର୍ଥିକ ଦିଗ କଥା କହିବା ବାହୁଲ୍ୟ। ନିଶା ପାଇଁ ନିଜ ସ୍ତ୍ରୀ ଗହଣାଗାଣ୍ଠିଠାରୁ ଜମିବାଡ଼ି ବିକିବାର ଅନେକ ଦୃଷ୍ଟାନ୍ତ ଆମେ ଦେଖିବାକୁ ପାଇଛୁ। ନିଶା ପାଇଁ କେହି କେହି ଅପରାଧ କରିବାକୁ ପଛାଉ ନାହାନ୍ତି। ନିଶା ପାଇଁ ଶିକ୍ଷିତ ଯୁବକମାନେ ଲୁଟ୍‌ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ନିଶା ସେବନ କରୁଥିବା ଲୋକଙ୍କୁ ଅନୁରୋଧ କରି ରାଷ୍ଟ୍ରପତି କହିଛନ୍ତି, ଆପଣମାନେ ନିଶା ଛାଡ଼ନ୍ତୁ। ଅନ୍ୟମାନେ ନିଶାରୁ କେମିତି ଦୂରେଇ ରହିବେ, ସେଥିପାଇଁ ପ୍ରଚେଷ୍ଟା କରନ୍ତୁ। ବ୍ରହ୍ମାକୁମାରୀ (ବିକେ)ମାନେ ନିଶାଠାରୁ ବହୁ ଦୂରରେ। ସେମାନେ ନିଶାକୁ ଦେଖନ୍ତି ନାହିଁ। ଆପଣମାନଙ୍କୁ(ବିକେ) ସଂକଳ୍ପ ନେବାକୁ ପଡ଼ିବ, ଆଜିଠାରୁ ନିଶାମୁକ୍ତ ଅଭିଯାନକୁ ଏକ ମିଶନ୍‌ ଭାବେ ଗ୍ରହଣ କରିବାକୁ ପଡ଼ିବ। ଗାଁ ଗାଁରେ ବୁଲିବାକୁ ପଡ଼ିବ। ମୁଁ ଜାଣିଛି ଗାଁ ଗାଁରେ ବିକେ ସେଣ୍ଟର ଗଢ଼ି ଉଠିଛି। ଆପଣମାନେ ଘରଦ୍ୱାର ଛାଡ଼ି ଦେଶ ଓ ସମାଜକୁ ନିଶା ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି। ମୁଁ ଆଶା କରିବି ଆପଣମାନେ ନିଶା ମୁକ୍ତ ସମାଜ ଗଠନ ପାଇଁ ଯେଉଁ ସଙ୍କଳ୍ପ ନେଇଛନ୍ତି, ତାହା ନିଶ୍ଚିତ ଫଳବତୀ ହେବ। ଆପଣମାନଙ୍କ ଉଦ୍ୟମରେ ଓଡ଼ିଶା ନିଶାମୁକ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

ସେ କହିଛନ୍ତି, ଯେଉଁମାନେ ନିଶା ସେବନ କରୁଛନ୍ତି, ସେମାନଙ୍କୁ ବାରମ୍ୱାର ନେବାକୁ ମନ କହିବ। କିନ୍ତୁ ମୁଁ ଏଠି ଆପଣଙ୍କୁ କହିବାକୁ ଚାହେଁ, ଆପଣମାନେ ଏମିତି ଏକ ଅମୃତ ବା ସୁରା ପାନ କରନ୍ତୁ, ଯାହା ଆପଣଙ୍କୁ ବାରମ୍ୱାର ପିଇବାକୁ ପଡ଼ିବ ନାହିଁ। ସେ ହେଉଛି ଆଧ୍ୟାତ୍ମିକତାବାଦର ସୁରା। ସେ ହେଉଛି ଅମୃତର ସୁରା। ସେହି ସୁରା ଆପଣଙ୍କୁ ବାରମ୍ୱାର ନେବାକୁ ପଡ଼ିବ ନାହିଁ। ଥରେ ନେଲେ ଶରୀର କ୍ଳାନ୍ତି, ମାସିକ କ୍ଳାନ୍ତି ଦୂର ହେବ। ସେହି ରାସ୍ତାରେ ଗଲେ ଆପଣଙ୍କ ରାସ୍ତା ପୁଷ୍ପମୟ ହେବା ସହିତ ପରିବାର ଓ ସମାଜ ନିଶା ମୁକ୍ତ ହୋଇପାରିବ। ଆଉ ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ନିଶା ମୁକ୍ତ ଅଭିଯାନ ସଫଳ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।

President Of India Draupadi Murmu Mayurbhanj