Advertisment

ବାପା କୋଳରେ ମଲା ଛୁଆ, ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଚାଲିଛି ମୁଲଚାଲ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ମେଡିକାଲରେ ଘଟିଛି ଏପରି ଲଜ୍ଜାଜନକ ଘଟଣା। ଏହା ପ୍ରାୟ ୨ ଦିନ ତଳର ଘଟଣା ହୋଇଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଲାଞ୍ଚ ମାଗୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି।

ଅଦ୍ୟତନ ହୋଇଛି
bribe case

bribe case

Advertisment

‘ତୁମ ଛୁଆର ବ୍ୟବଚ୍ଛେଦ ରିପୋର୍ଟ ପାଇବାକୁ ଚାହୁଁଛ, ତ ଆମକୁ ୮ଶହ ଦିଅ। ୨ଶହରେ ମାଲ୍‌ ପିଇବୁ, ଆମ ୬ଶହ ପକେଟ୍‌ରେ ପଶିବ । ଅଧା ଟଙ୍କା ଦେଲେ ରିପୋର୍ଟ ବି ଅଧା ପାଇବ। ଜମା ଟଙ୍କା ନ ଦେଲେ ରିପୋର୍ଟ ବି ଜମା ପାଇବ ନାହିଁ। ’ ନିଜ ଛୁଆର ମୃତଦେହକୁ କୋଳରେ ଧରିଥିବା ଜଣେ ବାପା ସହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଚାଲିଛି ଏପରି ମୁଲଚାଲ। ଏପରି ଛାତିଥରେ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ମେଡିକାଲରେ ଘଟିଛି ଏପରି ଲଜ୍ଜାଜନକ ଘଟଣା। ଏହା ପ୍ରାୟ ୨ ଦିନ ତଳର ଘଟଣା ହୋଇଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଲାଞ୍ଚ ମାଗୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ହେଲେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ 5Tରେ ଅନ୍ତର୍ଭୁକ୍ତ କରାଯିବା ସତ୍ତ୍ୱେ ଗରୀବ ଲୋକ କିପରି ଶୋଷିତ ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହାରଣ ଏଠାରେ ଦେଖିବାକୁ ମିଳିଛି।

ପୂରା ଘଟଣାଟି ଏହିପରି । ମୟୂରଭଞ୍ଜ ଜିଲ୍ଲା ମଣଦା ଅଞ୍ଚଳର ଜଣେ ମହିଳାଙ୍କ ପ୍ରସବ ବେଦନା ହେବା ପରେ ସେ ନିକଟସ୍ଥ ମଣଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରସବ ପରେ ପିଲାଟିର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ମଚାରୀ କହିଥିଲେ। ମାତ୍ର ୧୦, ୧୫ ମିନିଟ୍ ପରେ ପିଲାଟିର ହୋସ ଆସିବା ପରେ ଉଭୟ ଦମ୍ପତି ଚିକିତ୍ସା ପାଇଁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ । ତେବେ ଦୁଇ ଦିନ ପରେ ପିଲାର ମୃତ୍ୟୁ ହୋଇଥିଲା।

Advertisment

ଚିକିତ୍ସାରେ ଅବହେଳା ଯୋଗୁ ପିଲାଟିର ମୃତ୍ୟୁ ହୋଇଥିବା ଦର୍ଶାଇ ଦମ୍ପତି ଦୁହେଁ ବିଶୋଇ ଥାନାରେ ଅଭିଯୋଗ କରିଥିଲେ । ମାମଲା ରୁଜୁ କରିବା ନିମନ୍ତେ ପିଲାଟିର ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ ଥିବା ପୁଲିସ୍‌ କହିଥିଲା । ଏହାପରେ ମୃତ ଶିଶୁର ବ୍ୟବଚ୍ଛେଦ କରିବା ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ବ୍ୟବଚ୍ଛେଦ ରିପୋର୍ଟ ପାଇବାକୁ ହେଲେ ୮ ଶହ ଟଙ୍କା ଲାଞ୍ଚ ଦେବାକୁ ସଫା ସଫା କହିଥିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏପରିକି ଟଙ୍କା ନ ଦେଲେ ରିପୋର୍ଟ ପାଇବ ନାହିଁ ବୋଲି ବି ଧମକ ଦେଇଥିଲେ। ଶେଷରେ ୫ଶହ ଟଙ୍କାରେ କଥା ଛିଣ୍ଡିଥିଲା। ମୃତା ନବଜାତର ବାପା ରିପୋର୍ଟ ପାଇବାକୁ ୫ଶହ ଟଙ୍କା ଲାଞ୍ଚ ଦେଇଥିଲେ ବି ରିପୋର୍ଟ ପାଇବା ନେଇ ସନ୍ଦେହଘେରରେ ଅଛନ୍ତି। 

ମୃତ ଶିଶୁର ବାପା ଅଭିଯୋଗ କରିଛନ୍ତି, ଚିକିତ୍ସା ଅବହେଳାରୁ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିବାରୁ ବ୍ୟବଚ୍ଛେଦ କରିବାକୁ କହିଲେ। ଏହାପରେ ମାଟି ଖୋଳି ମୃତଦେହ ବ୍ୟବଚ୍ଛେଦ କରିବାକୁ ରାଇରଙ୍ଗପୁର ଡାକ୍ତରଖାନା ନେଇଥିଲୁ । ସେଠାରେ ଔଷଧ କିଣିବାକୁ ୩ଶହ ଟଙ୍କା ମାଗିଲେ। ବ୍ୟବଚ୍ଛେଦ ସରିବା ପରେ ୮ଶହ ମାଗିଲେ। ଶେଷରେ ୫ଶହ ଦେଲୁ, ହେଲେ ରିପୋର୍ଟ ପାଇବୁ କି ନାହିଁ ଜାଣିନୁ। । ଟଙ୍କା ନ ଦେଲେ କାମ ହେଉନି ଫଳରେ ଆମ ପରି ଗରୀବ ଲୋକ ଶୋଷିତ ହେଉଛୁ।

ସୁଚନା ଯୋଗ୍ୟ କି ଠିକ୍ ବର୍ଷକ ତଳେ ଏହି ପରି ରାଇରଙ୍ଗପୁର ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପାଇଁ ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ପରେ ଜଣେ କର୍ମଚାରୀ ନିଳମ୍ବିତ ହୋଇଥିଲା।

Bribe Baripada Child Death Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe