/odisha-reporter/media/post_attachments/uploads/2022/01/child-1.jpg)
child
କରଞ୍ଜିଆ (ଦୀପକ କୁମାର ମହାନ୍ତ): ଶଶ୍ମାନରେ ଚେଇଁ ଉଠିଥିବା ନବଜାତ ଶିଶୁଟିର ଆଜି କରଞ୍ଜିଆ ମେଡିକାଲରେ ମୃତ୍ୟୁ ହୋଇଛି। ଯାହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ମୃତ ଶିଶୁର ପରିବାର କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ଚପାଇ ଦେବା ପାଇଁ ମୃତ ଶିଶୁର ବାପାଙ୍କୁ କିଛି ଅଜଣା ନମ୍ବରରୁ ଧମକଭରା ଫୋନ୍ ଆସୁଛି। ଏହି ଘଟଣା ସହ ଡାକ୍ତରଖାନାରେ ଅବହେଳା ଯୋଗୁ ନିଜ ଶିଶୁର ମୃତ୍ୟୁ ହୋଇଥିବା ନେଇ ଶିଶୁଟିର ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କରଞ୍ଜିଆ ପୁଲିସର ତଦନ୍ତ ଆରମ୍ଭ କରିଦେଇଛି। କରଞ୍ଜିଆ ଥାନାର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଘଟଣାକୁ ଗୁରୁତର ସହିତ ନେଇ ଏହାର ତଦନ୍ତ କରୁଛନ୍ତି।
ବୁଧବାର କେନ୍ଦୁଝର ଜିଲ୍ଲାର ରାଇମଣି ମୁଣ୍ଡାଙ୍କୁ ତାଙ୍କ ସ୍ୱାମୀ ସୁନିଆ ମୁଣ୍ଡା ପ୍ରସବ ବେଦନା ହେବା ପରେ ୧୦୨ ଯୋଗେ ଆଶାକର୍ମୀ ଦମୟନ୍ତୀ ମହାନ୍ତଙ୍କ ସହଯୋଗରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରାଇମଣି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଡାକ୍ତରଖାନା ତରଫରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।
ଦୁର୍ଗନ୍ଧ ହେବାରୁ ଶିଶୁଟିକୁ ତୁରନ୍ତ ପୋତି ଦେବା ପାଇଁ ମେଡିକାଲ ପକ୍ଷରୁ କୁହାଯାଇଥିଲା। ଯାହା ପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ଏକ ବ୍ୟାଗରେ ପୂରାଇ ପରିବାରକୁ ହସ୍ତାନ୍ତର କରିଥିଲା। ମୃତ ଶିଶୁକୁ ପରିବାର ଲୋକେ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ପୋତିବା ପାଇଁ ଯାଉଥିବା ବେଳେ ହଠାତ୍ ଛୁଆଟି କାନ୍ଦି ଉଠିଥିଲା। ଶିଶୁଟି କାନ୍ଦୁଥିବାର ଦେଖି ପରିବାର ଲୋକେ ତୁରନ୍ତ ତାକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ।
ଆଜି ସକାଳେ ଚିକିତ୍ସା ଚାଲିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ଶିଶୁଟିର ଜୀବନ ଯାଇଥିବା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଏହା ପରେ ମୃତଶିଶୁର ବାପାଙ୍କୁ କିଛି ଅଜଣା ଫୋନ୍ ନମ୍ବରରେ ଘଟଣାକୁ ଚପାଇଦେବା ପାଇଁ ଧମକ ଦିଆଯାଇଥିଲା। ଗୋଟିଏ ପଟେ ନିଜ ସ୍ତ୍ରୀର ଚିକିତ୍ସାରେ ବିପଦ ସୃଷ୍ଟି ହେବା ଆଶଙ୍କା ଓ ଅନ୍ୟପଟେ ମୃତ୍ୟୁ ଶିଶୁକୁ ନ୍ୟାୟ ଦେବା ଦାବିରେ ସୁନିଆ କରଞ୍ଜିଆ ଥାନାରେ ଅଭିଯୋଗ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
