School
ଜୁନ୍ ୨୧ ତାରିଖରୁ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସ୍କୁଲ ଖୋଲି ଗଲାଣି। ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଆଗିରିଆ ପଞ୍ଚାୟତର ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ବି ଖୋଲି ଯାଇଛି। ତେବେ ଏଠାରେ ଗତ ଦୁଇ ଦିନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ତରକାରୀ ବଦଳରେ ମୁଢ଼ି ଓ ତରକାରୀ ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଗତକାଲି ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଚାଉଳ ଶେଷ ହୋଇଯାଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜିଲ୍ଲାର ଏହି ସ୍କୁଲରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ତେବେ ବିଇଓଙ୍କ ସୂଚନା ଅନୁଯାୟୀ, ଗତକାଲି ସକାଳ ୮ଟା ସୁଦ୍ଧା ସ୍କୁଲରେ ଚାଉଳ ପହଞ୍ଚି ଯାଇଥିଲା। ତଥାପି ପିଲାଙ୍କୁ ମୁଢ଼ି ଓ ତରକାରୀ ଖାଇବାକୁ ଦିଆଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନାରେ ଭାତ ଓ ତରକାରୀ ଦିଆଯାଇପାରିଲା ନାହିଁ ବୋଲି ଜଣାଯାଇଛି।
ବେତନଟୀ ବ୍ଲକ ବିଇଓ ମାଳତୀ ଟୁଡୁ କହିଛନ୍ତି ଯେ ଏହା ଜମା ବି ଠିକ୍ ନୁହେଁ। ସରକାରୀ ବ୍ୟବସ୍ଥାରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନେଇ ବିକଳ୍ପ ବ୍ୟବସ୍ଥା କରିବା ଉଚିତ। ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/School_1687679234.jpg)