/odisha-reporter/media/post_attachments/uploads/2021/12/prabir.jpg)
prabir
ବାରିପଦା (ମାନିକ୍ ଲାଲ୍ ପାଣି): ମୁଁ ଜୀବନ ଥିବା ଯାଏ ଷ୍ଟାଡିୟମ ପାଇଁ କାମ କରିବି। ଏ ଥିଲା ତାଙ୍କର ଶେଷ କଥା। ଆଉ ରବିବାର ଥିଲା ବାରିପଦା ଷ୍ଟାଡିୟମ ତଥା ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର ନିର୍ବାଚନ। ସକାଳୁ ସକାଳୁ ଆଥଲେଟିକ ଆସୋସିଏସନର ମେମ୍ବରମାନେ ତାଙ୍କୁ ଭୋଟ ବି ଦେଲେ। ହେଲେ କେହି ଜାଣି ନ ଥିଲେ ଆଜି ତାଙ୍କର ମୃତ୍ୟୁ ହୋଇ ସାରିଛି। ତାଙ୍କ ମୃତ୍ୟୁ ଖବର ପାଇ ସବୁଆଡେ ସ୍ତବ୍ଧ ହେଇଗଲା। ସେ ହେଉଛନ୍ତି ବାରିପଦାର ପ୍ରବୀର କୁମାର ବିଶ୍ଵାସ, ଯିଏ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ଲଢୁଥିଲେ।
ପ୍ରବୀର କୁମାର ବିଶ୍ଵାସ ଜଣେ ଓଡ଼ିଶାର ସୁନାମଧନ୍ୟ କ୍ରିକେଟ ଅମ୍ପାୟାର ଓ ଫୁଟବଲ୍ ରେଫରୀ। ବାରିପଦା ଷ୍ଟାଡିୟମରେ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ଥିଲେ। ୧୯୮୦ ମସିହାରୁ ସେ ଅମ୍ପାୟାର ଭାବେ କାମ ଆରମ୍ଭ କଲେ। ୧୯୮୮ରେ ସେ ଆନୁଷ୍ଠାନିକ ଭାବେ ଅମ୍ପାୟାର କୋର୍ସରେ ପାସ କରିଥିଲେ। ୧୯୮୯ରେ ସେ ରେଫରୀ ପାସ କରିଥିଲେ। ଯାହା ପରେ ସେ ଓଡ଼ିଶା ଆସୋସିଏସନର ପ୍ୟାନେଲ ରେଫରୀ ଭାବେ ନିର୍ବାଚିତ ହୋଇଥିଲେ। ଶହ ଶହ ସଂଖ୍ୟାରେ ସେ ଉଭୟ କ୍ରିକେଟ ଓ ଫୁଟବଲ୍ ଖେଳ କରାଇଛନ୍ତି। ସେ ଜଣେ ବ୍ୟାଟ୍ସମ୍ୟାନ୍ ଗଭାବେ ଜିଲ୍ଲା ପାଇଁ ଅନେକ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି। ଏହାଛଡ଼ା କଳାହାଣ୍ଡି କପରେ ଅଫିସିଏଟ୍ ମଧ୍ୟ କରିଛନ୍ତି।
ସେ ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନର କାଉନସିଲ ମେମ୍ବର ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶା, ପଶ୍ଚିମବଙ୍ଗର ବିଭିନ୍ନ ଟିମରେ ଫୁଟବଲ ଖେଳାଳି ଭାବେ ସୁନାମ ଅର୍ଜନ କରିଛନ୍ତି। ବାରିପଦାରେ ଲାଲଟୁ ଭାଇ ହିସାବରେ ବେଶ୍ ପରିଚିତ ଥିଲେ।
ଆଜି ନିର୍ବାଚନ ଥିବା ବେଳେ ଗତକାଲି ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା। ଯାହା ପରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଦିନ ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
