Advertisment

ଲୁଚକାଳି ଖେଳ ପରେ ଜାଲରେ ପଡ଼ିଲା ଫରେଷ୍ଟ ଗାର୍ଡ ହତ୍ୟା ଅଭିଯୁକ୍ତ

ଫାୟାରିଂ ପରେ ମକର ଓ ତାଙ୍କ ସହଯୋଗୀମାନେ ସେଠାରୁ ଚମ୍ପଟ ମାରିଥିଲେ। ସେପରେ ଗୁଳି ମାଡ଼ରେ ରକ୍ତ ଜୁଡୁବୁଡୁ ହୋଇଥିଲେ ବିମଳ। ତାଙ୍କୁ ତାଙ୍କ ସାଥୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

author-image
Manoranjan Sial
Baripada

Baripada

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଜାଲରେ ପଡ଼ିଲା ଶିମିଳିପାଳ ଫରେଷ୍ଟ ଗାର୍ଡ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ। ଆଜି ସକାଳେ ପୁଲିସ ତାକୁ ଗିରଫ କରିଛି। ଏଥିସହ ତା’ ସହଯୋଗୀକୁ ମଧ୍ୟ ବାନ୍ଧିଛି। ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ୧୨ ଜଣ ଗିରଫ ହୋଇଛନ୍ତି। ଗତ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା।

Advertisment

ମୟୂରଭଞ୍ଜ ଜିଲ୍ଲା ବଡ଼ଗାଁର ମକର ଟୁଡୁ ଓ ତାଙ୍କ ସହଯୋଗୀମାନେ ଗତ ୨୩ ତାରିଖରେ ଶିମିଳିପାଳ କୋର ଏରିଆକୁ ଶିକାର କରିବାକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୫ଟା ବେଳେ ୨ଟି ବାର୍‌ହା ଓ ୩ଟି କୁଟୁରା ଶିକାର କରି ଫେରୁଥିବା ବେଳେ ତାଳବନ୍ଧ ରେଞ୍ଜ ଅଫିସ୍‌ ନିକଟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କ ହାବୁଡ଼ରେ ପଡ଼ିଥିଲେ। ବିମଳ ଓ ତାଙ୍କ ସହଯୋଗୀମାନେ ଶିକାର ହୋଇଥିବା ବାର୍‌ହା ଏବଂ କୁଟୁରା ଜବତ କରିବାକୁ ଚାହିଁଥିଲେ। ମାତ୍ର ମକର ଟୁଡୁ ରାଜି ହୋଇନଥିଲା। ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ଚାଲିଥିବା ବେଳେ ମକର ଟୁଡୁ ଉତ୍‌କ୍ଷିପ୍ତ ହୋଇ ପାଖରେ ଥିବା ବନ୍ଧୁକରେ ଫରେଷ୍ଟ ଗାର୍ଡ ବିମଳଙ୍କ ଉପରକୁ ଫାୟାରିଂ କରିଥିଲା। ଗୁଳିଟି ବିମଳଙ୍କ ପେଟରେ ବସିଥିଲା।

ଫାୟାରିଂ ପରେ ମକର ଓ ତାଙ୍କ ସହଯୋଗୀମାନେ ସେଠାରୁ ଚମ୍ପଟ ମାରିଥିଲେ। ସେପରେ ଗୁଳି ମାଡ଼ରେ ରକ୍ତ ଜୁଡୁବୁଡୁ ହୋଇଥିଲେ ବିମଳ। ତାଙ୍କୁ ତାଙ୍କ ସାଥୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା।

Advertisment

ବନ ବିଭାଗର ଅଭିଯୋଗ କ୍ରମେ ଆକ୍‌ସନ୍‌ ମୋଡ୍‌କୁ ଆସିଥିଲା ପୁଲିସ୍‌। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ମାତ୍ର ମୁଖ୍ୟଅଭିଯୁକ୍ତ ମକର ଟୁଡୁ ଓ ତା’ ସୋହଯୋଗୀ ମାଝିଆଁ ମୁର୍ମୁ ଝାରଖଣ୍ଡକୁ ପଳାଇ ଯାଇଥିଲେ। ଫରେଷ୍ଟ ଗାର୍ଡ ହତ୍ୟା ମାମଲାରେ ପୁଲିସ୍‌ ୧୩ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ୧୦ ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ପାଇନଥିଲା।

କିଛି ଦିନର ଲୁଚକାଳି ଖେଳ ପରେ ଦୁଇଦିନ ତଳେ ମକର ଟୁଡୁ ଓ ମାଝିଆଁ ମୁର୍ମୁ ବଡ଼ଗାଁକୁ ଫେରିଥିଲେ। ବିଶେଷ ସୂତ୍ରରୁ ଖବର ପୁଲିସର ସ୍ୱତନ୍ତ୍ର ଟିମ୍‌ ଆଜି ସକାଳେ ଉକ୍ତ ଗାଁରେ ଚଢ଼ଉ କରିଥିଲା। ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Similipal National Park Baripada Mayurbhanj