Advertisment

‘ଅନ୍ଧାର ଯେତିକି ଆଲୋକ ସେତିକି, ଏହି ଯେ ଗହନ ବନ, ଚାଲିବି ଚାଲିବି ନପଡ଼ିବି ଥକି ମୁଯିବା ଆଗରୁ ଆଖି’

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ବେଳେ ଏହି ପକ୍ତି ରଖିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
President Droupadi Murmu

President Droupadi Murmu

ଅନ୍ଧାର ଯେତିକି ଆଲୋକ ସେତିକି, ଏହି ଯେ ଗହନ ବନ, ଚାଲିବି ଚାଲିବି ନପଡ଼ିବି ଥକି ମୁଯିବା ଆଗରୁ ଆଖି। ଆଜି ଆମେ ଅନ୍ଧାରରେ ବସିଛୁ, କିନ୍ତୁ ଅନ୍ଧାର ଓ ଆଲୋକ ଏସବୁକୁ ଆମେ ସମାନ ଭାବରେ ନେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ବେଳେ ଏହି ପକ୍ତି ରଖିଥିଲେ। ହୁଏତ, କେବେ ଘଟିନଥିବ ଏଭଳି ଲଜ୍ଜାଜନକ ଘଟଣା।

Advertisment

ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଭିନ୍ନ ବିଭାଗ ମଧ୍ୟରେ ଆରମ୍ଭ ହୋଇଛି ଦୋଷ ଠେଲାଠେଲି। ଯେତେ ସମାଲୋଚନା ହେଉ କିମ୍ବା ଯେତେ ଦୋଷ ବି ଦିଆଯାଉ କମ୍ ପଡ଼ିଯିବ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଆଗରେ।

ତେବେ ଦେଶର ପ୍ରଥମ ନାଗରିକଙ୍କ ସଭାରେ ଏଭଳି ବିଭ୍ରାଟ ହେଲା କେମିତି ? ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ଯେଉଁ ଲଜ୍ଜାଜନକ ଘଟଣା ଘଟିଲା ଏଥିପାଇଁ କିଏ ଦାୟୀ ? ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ଆଲୋକ ପାଇଁ ନଥିଲା କି ବିକଳ୍ପ ବ୍ୟବସ୍ଥା ? ଯଦି ଜେନେରେଟର୍ ଥିଲା, କାହିଁକି ଚାଲିଲାନି ? ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପୁର୍ବରୁ ଛୁଞ୍ଛି ଠାରୁ ମାଛି ଯାଏଁ ସବୁ ପରୀକ୍ଷା ହୁଏ। ତେବେ କେଉଁଠି ରହିଲା ତ୍ରୁଟି ? ସେପଟେ ଆମର କିଛି ଦୋଷ ନାହିଁ କହି ହାତଟେକି ଦେଇଛି ବିଦ୍ୟୁତ ବିତରଣ କଂପାନୀ।

Advertisment

ସେପଟେ ଏହି ଘଟଣାକୁ ଏକ ଅନିଚ୍ଛାକୃତ ତ୍ରୁଟି ଦର୍ଶାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଦୁଃଖିତ ବୋଲି କହିଥିବାବେଳେ ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ ତ୍ରିପାଠୀ ଏହାକୁ ଦୁର୍ଭାଗ୍ୟଜନକ ଘଟଣା କହି କ୍ଷମା ମାଗିଛନ୍ତି। ଏପରିକି ଇସ୍ତଫା ଦେବାକୁ ପଡ଼ିଲେ ଦେଇଦେବେ ବୋଲି କହିଛନ୍ତି।

ସେପଟେ ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇ ରାଷ୍ଟ୍ରପତି କହିଥିଲେ, ଡିଗ୍ରୀ ଲାଭ କରିଦେଲେ ପାଠପଢା ସରିଯାଏନି, ସାରା ଜୀବନ ଚାଲିଥାଏ। ବର୍ତ୍ତମାନ ଚାକିରି କରିବା ମାନସିକତା ଅପେକ୍ଷା ଚାକିରି ଦେବା ମାନସିକତା ଶ୍ରେୟସ୍କର। ପ୍ରତିଯୋଗିତା ଜୀବନର ଏକ ଅବିଛେଦ୍ୟ ଅଙ୍ଗ। ପାଠପଢା ସରିଗଲା ପରେ ପ୍ରତିଯୋଗିତା ସରେନାହିଁ ବରଂ ଜୀବନର ପ୍ରତି କ୍ଷେତ୍ରରେ ପ୍ରତିଯୋଗିତା କରିବାକୁ ପଡିବ। ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ବିଶ୍ୱ ଆଗରେ ସବୁଠୁ ବଡ ଆହ୍ୱାନ। ପାଣି, ପବନ, ଗଛ, ଲତା ପ୍ରଭୃତି ସମସ୍ତଙ୍କ ଜୀବନ ରହିଛି। ତେଣୁ ସମସ୍ତଙ୍କୁ ପ୍ରକୃତି ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଉଦ୍ୟମ କରିବାକୁ ପଡିବ।

ସେପଟେ ଜନ୍ମମାଟିରେ ତିନି ଦିନିଆ ଗସ୍ତ ସାରି ସେ ଦିଲ୍ଲୀ ଫେରି ଯାଇଛନ୍ତି। ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ପଶ୍ଚିମବଙ୍ଗ ଏବଂ ପରେ ସେଠାରୁ ଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି।

ସୂଚନା ଥାଉକି, ଏକଦା ରାଷ୍ଟ୍ରପତିଙ୍କ ଗାଁ ଉପରବେଡାବାସୀଙ୍କୁ ବିଜୁଳି ସେବାରୁ ବଞ୍ଚିତ କରାଯାଇଥିଲା। ଖବର ପ୍ରକାଶ ପରେ ସରକାରଙ୍କ ନିଦ ଭାଙ୍ଗିଥିଲା ଓ ରାଷ୍ଟ୍ରପତିଙ୍କ ଗାଁକୁ ବିଜୁଳି ଖୁଣ୍ଟ ପୋତାଯାଇ ଲାଇନ୍‌ ସଂଯୋଗ ଦିଆଯାଇଥିଲା। ଆଉ ଏବେ ରାଷ୍ଟ୍ରପତି ସେହି ଜନ୍ମମାଟିରେ ଅଭିଭାଷଣ ରଖୁଥିବାବେଳେ ବିଜୁଳି ବିଭ୍ରାଟଜନିତ ଦାୟିତ୍ୱହୀନତାର ସମସ୍ୟାକୁ ଅଙ୍ଗେ ଲିଭାଇଛନ୍ତି। ଏହା ସାରା ଦୁନିଆ ଦେଖିଛି। ସମାଲୋଚନାର ବିଷୟ ହୋଇଛି। ଯାହା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

President Of India Draupadi Murmu Mayurbhanj Droupadi Murmu