ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲ୍ୟ ଜୀବନ କେମିତି କଟିଥିଲା? ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପାଠ ପଢ଼ିବା ତାଙ୍କ ପକ୍ଷେ କେତେ ଥିଲା ସଂଘର୍ଷମୟ? ପାଠ ପଢ଼ା ସହିତ ତାଙ୍କର ଆଉ କେଉଁ ବିଷୟରେ ଥିଲା ରୁଚି? ଜୀବନର ପ୍ରତି ପାହାଚରେ ସେ କେଉଁ କେଉଁ ପ୍ରତିବନ୍ଧକ ସାମ୍ନା କରିଥିଲେ? ଏହାର ସବୁ ଉତ୍ତର ମିଳିବ “ଭାରତ୍ରିନ୍ ପୁୟଲୁ ଆଦିବାସୀ ରାଷ୍ଟ୍ରପତି(ଜୀଅନ କାହାନି)”ରୁ। ସାନ୍ତାଳୀ ଭାଷାରେ ଏହି ରାଷ୍ଟ୍ରପତି ମାଡାମଙ୍କ ଜୀବନୀ ଲେଖିଛନ୍ତି ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା। ଆଜି ଏହି ପୁସ୍ତକ ଉନ୍ମୋଚନ ହୋଇଛି। ଏହି ବହିରେ ରାଇରଙ୍ଗପୁରରୁ ସାଇସିନା ହିଲ୍ ପର୍ଯ୍ୟନ୍ତ ଯାତ୍ରାରେ ପୂରା କାହାଣୀ ରହିଛି।
“ଭାରତ୍ରିନ୍ ପୁୟଲୁ ଆଦିବାସୀ ରାଷ୍ଟ୍ରପତି(ଜୀଅନ କାହାନି)” ପୁସ୍ତକରେ ରାଷ୍ଟ୍ରପତିଙ୍କ ସମ୍ପର୍କରେ ରହିଛି ଅନେକ ରୋଚକ ତଥ୍ୟ। ରାଷ୍ଟ୍ରପତିଙ୍କ ପିଲା ଦିନର ଚିତ୍ରକୁ ଜୀବନୀରେ ସ୍ଥାନୀତ କରିଛନ୍ତି ଶ୍ରୀମତୀ ବେଶ୍ରା। ସେ ଲେଖିଛନ୍ତି, ବିନା ଚପଲ ଓ ବ୍ୟାଗରେ ସ୍କୁଲ ଯାଉଥିଲେ ଦ୍ରୌପଦୀ ମୁର୍ମୁ। ପଢ଼ିବା ପାଇଁ ପାଖରେ ବହି ନଥିଲା। ବିନା ଟ୍ୟୁସନ୍ରେ ଉପର ଶ୍ରେଣୀର ପିଲାଙ୍କଠାରୁ ବହି ମାଗି ପାଠ ପଢ଼ୁଥିଲେ। ପାଠ ପଢ଼ିବା ସହିତ ନାଚ, ଗୀତ ଓ ଅଭିନୟରେ ରୁଚି ରଖିଥିଲେ ରାଷ୍ଟ୍ରପତି ମୁର୍ମୁ। ରମାଦେବୀ ମହିଳା ମହାବିଦ୍ୟାଳୟ(ସେତେବେଳେ)ରେ ପଢ଼ୁଥିବା ବେଳେ ଏକ ଡ୍ରାମା ହୋଇଥିଲା। ଡ୍ରାମାରେ ନାୟକ ଚରିତ୍ରରେ ଅଭିନେତା ଖୋଜା ଚାଲିଥିଲା। ମାତ୍ର କେହି ରାଜି ହୋଇନଥିଲେ। ମାତ୍ର ରାଷ୍ଟ୍ରପତି ମୁର୍ମୁ ନାୟକ ଭୂମିକାରେ ଅଭିନୟ କରି ଅନ୍ୟମାନଙ୍କ ମନ ଜିଣିପାରିଥିଲେ ବୋଲି ଶ୍ରୀମତୀ ବେଶ୍ରା ତାଙ୍କ ପୁସ୍ତକରେ ଲେଖିଛନ୍ତି।
ଜୀବନୀରେ ଆହୁରି ମଧ୍ୟ ଲେଖାଯାଇଛି, ଦ୍ରୌପଦୀ ମୁର୍ମୁ ବିଏ ପାସ୍ କରିବା ପରେ ଏମ୍ଏ ପଢ଼ିବାକୁ ଚାହୁଁଥିଲେ। ମାତ୍ର ପାଖରେ ସମ୍ୱଳ ପାଠ ପଢ଼ି ପାରିଲେ ନାହିଁ। ଚାକିରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଚାକିରି କରି ଯାହା ରୋଜଗାର କରୁଥିଲେ ବାପା ଓ ଭାଇମାନଙ୍କୁ ଦେଉଥିଲେ। ୨୫୫ ଟଙ୍କାରେ ଘର ଭଡ଼ାରେ ରହୁଥିଲେ ଓ ଭାଇମାନଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ଏପରି ଅନେକ ଘଟଣା ଏହି “ଭାରତ୍ରିନ୍ ପୁୟଲୁ ଆଦିବାସୀ ରାଷ୍ଟ୍ରପତି(ଜୀଅନ କାହାନି)”ରେ ରହିଛି।
ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା କହିଛନ୍ତି, ଯେତେବେଳେ ମାଡ଼ାମ ଜଳସେଚନ ବିଭାଗରେ ଚାକିରି କରୁଥିଲେ, ସେତେବେଳେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା। ଝିଅର ଦେହ ସବୁବେଳେ ଖରାପ ହେଉଥିଲା। ସେଥିପାଇଁ ସେ ବହୁ ଚିନ୍ତିତ ଥିଲେ। ପରେ ଏମିତି ହେଲା ସେ ଝିଅର ମୃତ୍ୟୁ ହୋଇଥିଲା। ତା’ପରେ ସେ ଚାକିରି ଛାଡ଼ି ପରିବାର କଥା ବୁଝିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଶ୍ରୀମତୀ ବେଶ୍ରା କହିଛନ୍ତି।
ସେ ଆହୁରି କହିଛନ୍ତି, ପରିବେଶ ସୁରକ୍ଷା ପାଇଁ ରାଞ୍ଚି ରାଜଭବନରେ ମାଡ଼ାମ ୫୦୦ ଶାଳ ଗଛ ଲଗାଇଛନ୍ତି। ଏହାଛଡ଼ା ମାଡ଼ାମ ନିଜର ଆଖି ଦାନ କରିଦେଇଛନ୍ତି। ରାଜ୍ୟପାଳ ଥିବା ବେଳେ ସେ ଗୋଟିଏ ହସ୍ପିଟାଲ ଯାଇଥିଲେ। ସେହିଠାରେ ଘୋଷଣା କରିଥିଲେ ବୋଲି ଶ୍ରୀମତୀ ବେଶ୍ରା କହିଛନ୍ତି।
ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି