Advertisment

ମୃତ୍ୟୁ ପରେ ନିଜ ଆଖି ଦେଇଗଲେ କେଶବ ସାର୍‌

ବାରିପଦା ଟାଉନ୍‌ର ୱାଲିଗଞ୍ଜରେ ଜନ୍ମ ଗ୍ରହଣ କରିଥିଲେ କେଶବ ଚନ୍ଦ୍ର ସାହୁ। ପାଠ ପଢ଼ା ଶେଷ ପରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଭୀମଦା, ଗୁଡିଆଲବନ୍ଧ ପରି ସ୍କୁଲରେ ସେ ଶିକ୍ଷକତା କରିଥିଲେ।

author-image
Manoranjan Sial
Baripada

Baripada

ମୃତ୍ୟୁ ପୂର୍ବରୁ କଥା ଦେଇଥିଲେ। ମୃତ୍ୟୁ ପରେ ନିଜ ଆଖି ଦେଇଗଲେ। ସିଏ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ଚନ୍ଦ୍ର ସାହୁ। ସେ କେଶବ ସାର୍‌ ଭାବେ ସବୁଠି ପରିଚିତ। ସଡ଼କ ଦୁର୍ଘଟଣାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Advertisment

ବାରିପଦା ଟାଉନ୍‌ର ୱାଲିଗଞ୍ଜରେ ଜନ୍ମ ଗ୍ରହଣ କରିଥିଲେ କେଶବ ଚନ୍ଦ୍ର ସାହୁ। ପାଠ ପଢ଼ା ଶେଷ ପରେ ସେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଭୀମଦା, ଗୁଡିଆଲବନ୍ଧ ପରି ସ୍କୁଲରେ ସେ ଶିକ୍ଷକତା କରିଥିଲେ। ତେବେ ସୁରେଇଡିହି ହାଇସ୍କୁଲରୁ ପ୍ରଧାନ ଶିକ୍ଷକ ଭାବେ ୨୦୧୯ ମସିହାରେ ଅବସର ନେଇଥିଲେ। ସେ ଜଣେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଥିଲେ।

କେଶବ ସାର ଜଣେ ମେଳାପି ଓ ଛାତ୍ର ବତ୍ସଳ ଥିଲେ। ସେଥିପାଇଁ ସବୁବେଳେ ପିଲାଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଚାକିରି ଜୀବନରୁ ଅବସର ପରେ ମଧ୍ୟ ପାଠ ପଢ଼ାଠାରୁ ଦୂରେଇ ଯାଇନଥିଲେ। ଯେଉଁ ସବୁ ସ୍କଲରେ ଶିକ୍ଷକତା କରିଥିଲେ, ସେଠାକୁ ନିୟମିତ ଶିକ୍ଷାଦାନ କରିବାକୁ ଯାଉଥିଲେ। ପିଲାମାନଙ୍କୁ ପାଠ ପଢ଼ାଇ ନିଜ ସ୍କୁଟିରେ ଘରକୁ ଫେରୁଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କେଶବ ସାର୍ ସୁରେଇଡିହି ସ୍କୁଲରୁ ପାଠ ପଢ଼ାଇ ସ୍କୁଟିରେ ୧୮ ନମ୍ୱର ଜାତୀୟ ରାଜପଥରେ ଘରକୁ ଫେରୁଥିଲେ। ତେବେ ରାଗଧା ନିକଟରେ ସମ୍ମୁଖରୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ତାଙ୍କୁ ଧକ୍କା ଦେଇଥିଲା।

Advertisment

ସ୍ଥାନୀୟ ଲୋକ କେଶବ ସାରଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ସାରଙ୍କ ବୟସ ୬୩ ବର୍ଷ ହୋଇଥିଲା। କେଶବ ସାର୍‌ ପୂର୍ବରୁ ଚକ୍ଷୁ ଦାନ କରିଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ମେଡ଼ିକାଲ୍‌ ଟିମ୍‌ ଚକ୍ଷୁ ନେଇଥିଲେ। ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

କେଶବ ସାର୍‌ଙ୍କ ଦେହାନ୍ତ ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିଲା। ମୟୂରଭଞ୍ଜ ଜିଲ୍ଲା ଓଷ୍ଟା ସଂଘ, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସଂଘ, ପେନ୍‌ସନ ସଂଘର କର୍ମକର୍ତ୍ତା ମେଡିକାଲରେ ପହଞ୍ଚି ଶେଷଦର୍ଶନ କରିଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Accident Baripada Road Accident