school dress
ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ ସମେତ ୟୁନିଫର୍ମର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଛାତ୍ରଛାତ୍ରୀ ପିଛା ବର୍ଷକୁ ୨ ହଳ ଡ୍ରେସ୍ ଦେବାର ବ୍ୟବସ୍ଥା ବି ରହିଛି। ହେଲେ ପିଲାଙ୍କୁ ବଣ୍ଟା ଯିବା ବଦଳରେ ଜଙ୍ଗଲରେ ଖତ ଖାଉଛି ଗଦା ଗଦା ସ୍କୁଲ ୟୁନିଫର୍ମ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ପଛପଟ ବନଦୁର୍ଗା ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ହେଲେ ଏହାକୁ କିଏ ଓ କାହିଁକି ଫୋପାଡ଼ିଲେ ତାହା ଉପରୁ ପରଦା ହଟିନି।
ବନଦୁର୍ଗା ମନ୍ଦିରକୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲରେ ଶିକ୍ଷା ଅଧିକାର, ସର୍ବଶିକ୍ଷା ଅଭିଯାନ ଲୋଗ ରହିଥିବା ହଜାର ହଜାର ନୂଆ ପୋଷାକ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି। ଏହି ଡ୍ରେସ୍ଗୁଡ଼ିକ ୨୦୧୫-୧୬ ମସିହାର ବୋଲି ଜଣାଯାଇଛି। ଏପରିକି ବହୁ ପୋଷାକ ପ୍ୟାକେଟ ଭିତରେ ପଶିଥିବା ବେଳେ ତାହାର ପ୍ୟାକେଟ ମଧ୍ୟ ଖୋଲାଯାଇ ନାହିଁ। ପ୍ରାୟ ୨ ଦିନ ମଧ୍ୟରେ କିଏ ଏହି କାରସାଦି କରିଥିବା ଜଣାଯାଇଛି।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ପରିବାର ଗରୀବ ସୀମାରେଖା ତଳେ ରହୁଛନ୍ତି। ଶିକ୍ଷା କ୍ଷେତ୍ରରେ ଏହି ଜିଲ୍ଲାରେ ସେମିତି ଆଖିଦୃଶିଆ ଅଭିବୃଦ୍ଧି ହୋଇ ନ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖୁବ୍ କମ୍। ସେହିଭଳି ଡ୍ରପଆଉଟ ପିଲାଙ୍କ ସଂଖ୍ୟା ମଧ୍ୟ ପ୍ରଶାସନର ଚିନ୍ତା ବଢ଼ାଉଛି।
ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଆଦି ବିନାମୂଲ୍ୟରେ ବିତରଣ କରୁଛନ୍ତି। ହେଲେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସବୁ ଜିନିଷ ପିଲାଙ୍କ ନିକଟରେ ପହଞ୍ଚି ପାରୁଛି ନା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣାର ତଦନ୍ତ କରାଯାଇ ଏପରି କାମ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରରୁଆଁ ବ୍ଲକ ଶିକ୍ଷା ଅଧିକାରୀ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us