Advertisment

ଯେତେ ବୁଝାଇଲେ ବୁଝୁନାହାନ୍ତି ଠିକା ବନ କର୍ମଚାରୀ, ଶିମିଳିପାଳ ଜଗିବ ପୁଲିସ : କ୍ଷେତ୍ର ନିର୍ଦ୍ଦେଶକ

୧୬ଟି ରେଞ୍ଜରେ ୩୦ ଜଣ ପୁଲିସ କର୍ମଚାରୀ ପାଟ୍ରୋଲିଂ କରିବେ। ଆଗକୁ ପାଟ୍ରୋଲିଂରେ ଆଉ ୩ ପ୍ଲାଟୁନ ପୁଲିସ ମୁତୟନ ହେବେ।

author-image
Niranjan Mishra
ଅଦ୍ୟତନ ହୋଇଛି
Similipal field director Prakash Gogineni

Similipal field director Prakash Gogineni

ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଶିମିଳିପାଳରେ ଆଜିଠୁ ପାଟ୍ରୋଲିଂ କରିବ ପୁଲିସ। ୧୬ଟି ରେଞ୍ଜରେ ୩୦ ଜଣ ପୁଲିସ କର୍ମଚାରୀ ପାଟ୍ରୋଲିଂ କରିବେ। ଆଗକୁ ପାଟ୍ରୋଲିଂରେ ଆଉ ୩ ପ୍ଲାଟୁନ ପୁଲିସ ମୁତୟନ ହେବେ। ଏନେଇ ଆଜି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗଗନେଇ।

Advertisment

ସେ କହିଛନ୍ତି, ୬ ଶହ ସୁରକ୍ଷା ସହାୟକ(ଠିକା ବନ କର୍ମଚାରୀ) ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ଗତକାଲି ଠାରୁ ଚାକିରିରେ ଅନୁପସ୍ଥିତ ଅଛନ୍ତି। ତାଙ୍କ ସହ ବନ କର୍ମଚାରୀମାନେ ଚାକିରିକୁ ଆସୁନାହାନ୍ତି। ଏଭଳି ପରିସ୍ଥିତି ଦେଖିବା ପରେ ମୟୂରଭଞ୍ଜ ଏସ୍‌ପିଙ୍କୁ ପାଟ୍ରୋଲିଂ ନିମନ୍ତେ ଆବଶ୍ୟକ ଫୋର୍ସ ଯୋଗାଇ ଦେବାକୁ ସହାୟତା ମଗା ଯାଇଥିଲା। ଯାହାପରେ ଯଶିପୁର, ଉଦଳା, ଖୁଣ୍ଟା ଥାନାରୁ ୩୦ ଜଣ ପୁଲିସ କର୍ମଚାରୀ ଜଙ୍ଗଲ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନେ ଅତି ସମ୍ୱେଦନଶୀଳ ଅଞ୍ଚଳରେ ଡ୍ୟୁଟି କରିବେ। ଏହାବାଦ୍ ପୁଲିସ ପକ୍ଷରୁ ଆଉ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଦେବା ପାଇଁ ମଧ୍ୟ ଆଲୋଚନା ହୋଇଛି। ଏହି ଫୋର୍ସ ଦିନେ କିମ୍ବା ଦୁଇଦିନ ଭିତରେ ଆସିଯିବେ। ତେଣୁ ଆଶା ରହିଛି ମୋଟ ୧୨୧ ଜଣ ପୁଲିସ ଫୋର୍ସ ମିଳିବା ପରେ ସେମାନଙ୍କୁ ରଖି ପାଟ୍ରୋଲିଂ କରାଯିବ।

ଜଙ୍ଗଲ ଜଗିବା ଡ୍ୟୁଟିରେ ଏବେ କେବଳ ରେଞ୍ଜର ଓ ଏସିଏଫ୍‌ମାନେ ହିଁ ଅଛନ୍ତି। ତେଣୁ ଅନ୍ୟ ଡିଭିଜନରରୁ ମଧ୍ୟ କିଛି ବନ କର୍ମଚାରୀ ଆଣିବାକୁ ପଦକ୍ଷେପ ନିଆଯାଇଛି। ସେମାନେ ଆସିବା ପରେ ପୁଲିସ ସହ ମିଶି ପାଟ୍ରୋଲିଂ କରିବେ। ଶିମିଳିପାଳରେ ମୋଟ ୧୬ଟି ରେଞ୍ଚ ରହିଛି। ଯାହାକୁ ଦୁଇଟି ଡିଭିଜନ କରାଯାଇଛି। ଜଙ୍ଗଲ ଜଗିବାକୁ ୬୦୦ରୁ ଅଧିକ କର୍ମଚାରୀ ଆବଶ୍ୟକ ଥିଲେ ହେଁ ସେମାନଙ୍କ ସ୍ଥାନରେ ପ୍ରାୟ ୩୦୦ ପୁଲିସ କର୍ମଚାରୀ କାମ କରିବେ। ସେମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହ ମିଶିଗଲେ ଜଙ୍ଗଲ ସୁରକ୍ଷା ଓ ଦେଖାରଖା କାମ ଠିକ୍ ଚାଲିପାରିବ।

Advertisment

ଆନ୍ଦଳନରତ କର୍ମଚାରୀ ମୋଟ ୭ଟି ଦାବି ରଖିଛନ୍ତି। ଯାହା ଭିତରେ କର୍ମଚାରୀଙ୍କୁ ସ୍ଥାୟି କରିବାକୁ ନେଇ ଗୋଟିଏ ଦାବି ରହିଛି। ହେଲେ ଏହି ବ୍ୟବସ୍ଥା ବନ ବିଭାଗ ଅଧୀନରେ ନାହିଁ। ଦୈନିକ କାମ ହିସାବରେ ସ୍ଥାନୀୟ ଲୋକଙ୍କୁ ଫରେଷ୍ଟ ୱାଚର ଭାବେ ମୁତୟନ କରାଯାଇଛି। ପୂରା ଦେଶରେ ଏହି ଗୋଟିଏ ପଲିସି କାମ କରୁଥିବା ଆନ୍ଦାଳନରତ କର୍ମଚାରୀଙ୍କୁ ବୁଝାଇ ଦିଆଯାଇଛି। ବାକି ଦାବିଗୁଡ଼ିକୁ ଧିରେଧିର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ହେଲେ ଆନ୍ଦୋଳନରତ କର୍ମଚାରୀ ଏହାକୁ ନେଇ ଖୁସି ନାହାନ୍ତି। ଏବାବଦରେ ପିସିସିଏଫ୍‌ଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି।

Odisha Police Similipal National Park Odisha Forest Department