Advertisment

‘ଆମେ କଲେକ୍ଟରଙ୍କ ପାଖକୁ ଗଲୁ, ସେ ଆମ ସମସ୍ୟା ଶୁଣିଲେନି’

ପୂରା ଗାଁରେ ଅଧିକାଂଶ ସମୟ ଲାଗି ରହୁଛି ଝାଡ଼ାବାନ୍ତି। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ବିପଦରେ ପଡ଼ୁଛି।

author-image
Niranjan Mishra
ଅଦ୍ୟତନ ହୋଇଛି
People collect drinking water from pond

People collect drinking water from pond

ପୂରା ଗାଁରେ ଅଧିକାଂଶ ସମୟ ଲାଗି ରହୁଛି ଝାଡ଼ାବାନ୍ତି। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ବିପଦରେ ପଡ଼ୁଛି। ପାନୀୟଜଳ ସୁବିଧା ନ ଥିବାରୁ ପୋଖରୀ ପାଣି ପିଇ ଗାଁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ହେଲେ ସମସ୍ୟା ସମାଧାନ କରିବାକୁ ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଭେଟି କହିଥିଲେ ହେଁ ସେମାନେ ଆମ କଥା ଶୁଣୁନାହାନ୍ତି। କ୍ଷୋଭର ସହ ଏହା କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାରଣା ଗ୍ରାମ ଅନ୍ତର୍ଗତ ଡୁଙ୍ଗୁରିସାହିର ଲୋକେ। ଏହି ଗାଁରେ ପ୍ରାୟ ୫୦୦ ଲୋକ ବସବାସ କରନ୍ତି। ସମସ୍ତେ ପାନୀୟ ଜଳ ପାଇଁ ବର୍ଷକ ୧୨ ମାସ ଡହଳବିକଳ ହେଉଛନ୍ତି।

Advertisment

ଏହି ଗ୍ରାମରେ ସୋଲାର ପାନୀୟଜଳ ପ୍ରକଳ୍ପ କରାଯାଇଛି ସତ, ହେଲେ ଏହା ଲୋକଙ୍କୁ ଆବଶ୍ୟକ ମୁତାବକ ପାନୀୟଜଳ ଯୋଗାଇବାରେ ଫେଲ୍‌ ମାରିଛି। ୫ରୁ ୭ ଗରା ପାଣି ବାହାରିବା ପରେ ଏହି ପ୍ରକଳ୍ପ ଅଚଳ ହୋଇଯାଉଛି। ଏହାଛଡ଼ା ଖୁବ୍‌ ଧୀମାଗତିରେ ପାଣି ଆସୁଥିବାରୁ ଲୋକଙ୍କୁ ଗରାଏ ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ପ୍ରକଳ୍ପ ନିକଟରେ ରହିଛି ତିନୋଟି ନଳକୂପ। ଯାହା ଅଚଳ ହୋଇପଡ଼ିଛି। ଖରାଦିନରେ ବହୁ କଷ୍ଟ ଭୋଗିଥିବା ଏହି ଗ୍ରାମବାସୀ ବର୍ଷା ଦିନରେ ଦୁଇଗୁଣା ସମସ୍ୟାକୁ ସମ୍ମୁଖୀନ ହୋଇଛନ୍ତି।

ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ରହିଥିବା ଏକମାତ୍ର ନଳକୂଅରୁ ପାଣି ସଂଗ୍ରହ କରିବା ଲୋକଙ୍କୁ କଷ୍ଟ ଦେଉଥିବାରୁ ସେମାନେ ବାଧ୍ୟ ହୋଇ ଗାଁ ପୋଖରୀ ପାଣି ଆଣି ପିଉଛନ୍ତି। ବିକଳ୍ପ ବାଟ ନ ଥିବାରୁ ଲୋକେ ଯେଉଁ ପୋଖରୀରେ ସ୍ନାନଶୌଚ କରୁଛନ୍ତି, ଗୃହପାଳିତ ପଶୁ ଗାଧଉଛନ୍ତି, ସେହିଠାରୁ ପିଇବା ଓ ରୋଷେଇ ନିମନ୍ତେ ପାଣି ସଂଗ୍ରହ କରୁଛନ୍ତି।

Advertisment
People gathered near solar water project for collect drinking waterସୋଲାର ପ୍ରକଳ୍ପ ନିକଟରେ ପାନୀୟଜଳ ସଂଗ୍ରହ ନିମନ୍ତେ ରୁଣ୍ଡ ହୋଇଛନ୍ତି ଗାଁ ଲୋକେ

ଗ୍ରାମବାସୀ ମାଳତୀ ଦାସ ଓ ଜେମଲତା ଗାଗରାଇ କହିଛନ୍ତି, ସରକାରଙ୍କ ବସୁଧା ଜଳ ପ୍ରକଳ୍ପ ଯୋଜନା ଦ୍ୱାରା ଗାଁ’କୁ ବହୁ ବର୍ଷ ତଳୁ ପଡ଼ି ସାରିଛି ପାଣି ପାଇପ୍। ହେଲେ ତାହା ଠିକ୍‌ ଭାବେ ବିଛା ଯାଇନି। ବହୁ ସ୍ଥାନରେ ପାଇପ୍ ଫାଟି ଆଁ’ କରି ପଡିରହିଛି। ପାଣି ଟ୍ୟାପ୍‌ ଠିକ୍‌ ଭାବେ ଲାଗିନି। ସେପଟେ ଲୋକଙ୍କ ନିକଟରେ ପାଣି ପହଞ୍ଚିବା ସାତସପନ ହୋଇ ରହିଛି। ଏ ସବୁ ଭିତରେ ପାଣି ପାଇଁ ଦଳିଚକଟି ହେଉଛନ୍ତି ଜନସାଧାରଣ। ବାଧ୍ୟ ହୋଇ ଗ୍ରାମରେ ଥିବା ଏକ ପୋଖରୀରୁ ଅପରିଷ୍କାର ପାଣି ବ୍ୟବହାର କରୁଛନ୍ତି ଓ ବିଭିନ୍ନ ପ୍ରକାର ରୋଗରେ ପଡ଼ୁଛନ୍ତି। ଏନେଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଅଭିଯୋଗପତ୍ର ଦେଇଥିଲେ ହେଁ ସେମାନେ ସମସ୍ୟାର ସମାଧାନ କରୁନାହାନ୍ତି। ତେଣୁ ଲୋକେ ଆଗକୁ ଅନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଗ୍ରାମବାସୀ ଭାରତ ସିଙ୍କୁ ଓ ଘାସିରାମ ପାତ୍ର କହିଛନ୍ତି, ଗାଁରେ ଆବଶ୍ୟକ ପାଣି ମିଳୁ ନ ଥିବାରୁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ଗାଁ’ ଠାରୁ ୨ କିମି ଦୂର ଯାଇ ପାଣି ଆଣିବା କଷ୍ଟ ହେଉଛି। ପର୍ବପର୍ବାଣୀ ଓ ପାରିବାରିକ ଉତ୍ସବ ସମୟରେ ଆବଶ୍ୟକ ସ୍ୱଚ୍ଛ ପାଣି ମିଳୁ ନ ଥିବାରୁ ଲୋକେ ପୋଖରୀ ପାଣି ବ୍ୟବହାର କରୁଛନ୍ତି। ଏଥିଯୋଗୁ ଲୋକେ ରୋଗରେ ପଡ଼ୁଛନ୍ତି। ତେଣୁ ପ୍ରଶାସନ ଏହାର ସମାଧାନ କରିବାକୁ ତୁରନ୍ତ ପଦକ୍ଷେପ ନେଉ।

ତେବେ ଏନେଇ ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ବାରିକ

Drinking Water Problem Mayurbhanj