/odisha-reporter/media/post_attachments/uploads/2022/09/telma.jpg)
telma
କଟକ(ଓଡ଼ିଶା ରିପୋର୍ଟର): ବଜାରରେ ବିକ୍ରି ହେଉଥିଲା ନକଲି ମେଡିସିନ୍। ଏନେଇ ପ୍ରମାଣ ପାଇବା ପରେ ଥାନାରେ ଏତଲା। ପୁରୀଘାଟ ଥାନାରେ ଏତଲା କଲେ କଟକ ଡ୍ରଗ୍ ଇନ୍ସପେକ୍ଟର। ଯାଉଁଳିଆପଟି ଅଞ୍ଚଳର ଦୁଇଟି ଡିଷ୍ଟ୍ରିବ୍ୟୁଟରଙ୍କ ନାଁରେ ଏତଲା ହୋଇଛି। ଦୁଇ ଡିଷ୍ଟ୍ରିବ୍ୟୁଟର ବେଙ୍ଗାଲୁରୁ ଓ ଗୟାରୁ ଆଣିଥିଲେ ମେଡିସିନ୍। ଏମାନେ ନକଲି ମେଡିସିନ୍ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ରାଜ୍ୟ ବାହାରୁ ମେଡିସିନ୍ ଆଣି ଶହେରୁ ଅଧିକ ଦୋକାନୀଙ୍କୁ ଦେଇଛନ୍ତି। ଥାନାରେ ଏତଲା ସହ SDJM କୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏନ୍ଡିପିଏସ୍ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରାଯାଇଛି।
ଭିଆର ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍ ବିରୋଧରେ ଏହି ଏତଲା ଦିଆଯାଇଛି। ତେଣୁ ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଇଥିବା ସ୍ପଷ୍ଟ ହେବାରେ ଲାଗିଛି। କାରଣ ଜବତ ମେଡିସିନ୍ ଯେଉଁ କମ୍ପାନୀର ବୋଲି ଏହା ଉପରେ ବ୍ୟାଚ୍ ମରାଯାଇଛି, ତାହା ଉକ୍ତ କମ୍ପାନୀର ନୁହେଁ। ସମ୍ପୃକ୍ତ କମ୍ପାନୀ ଏହି ମେଡିସିନ୍ ଗୁଡ଼ିକ ତା’ର ନୁହେଁ ବୋଲି ସଫାସଫା ମନା କରିଦେଇଛି। ଆନ୍ଧ୍ର ଓ ବେଙ୍ଗଲୁରୁରୁ ଏହି ନକଲି ଔଷଧ ଚାଲାଣ ହୋଇ ଆସିଥିବା ସ୍ପଷ୍ଟ ହୋଇଛି।
ସେପଟେ ଡ୍ରଗ୍ସ କଣ୍ଟ୍ରୋଲର ଓ ଡ୍ରଗ୍ସ ଇନ୍ସପେକ୍ଟର ଜବତ ମେଡିସିନ୍କୁ ପରୀକ୍ଷା ନିମନ୍ତେ ଲାବ୍ରୋଟରୀକୁ ପଠାଯାଇଥିବା ସୂଚନା ଦେଇଛନ୍ତି। କଟକ, ଭୁବନେଶ୍ୱର ଏବେ ମେଡିକାଲ ହବ୍ ହୋଇଥିବାରୁ ସରକାରଙ୍କ ଆଖି ତଳେ ଏହି ନକଲି ମେଡିସିନ୍ ଚାଲାଣା ଚାଲିଛି। ଅନ୍ୟପଟେ ନକଲି ମେଡିସିନ ବିକ୍ରି ଘଟଣା ଜଣାପଡ଼ିବା ପରେ ଦୁଇ ଡିଷ୍ଟ୍ରିବ୍ୟୁଟର ବିକ୍ରି କରିଥିବା ମେଡିସିନର ସମସ୍ତ ଷ୍ଟକ୍ ଜବତ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ହେଲେ ଏହି ନକଲି ଔଷଧ କାରବାର କେତେଦିନ ହେବ ଚାଲିଛି ଓ ଏହା ଦ୍ୱାରା କେତେ ରୋଗୀ ପ୍ରଭାବିତ ହୋଇଛନ୍ତି ସେ ସମ୍ପର୍କରେ ତାହା ଜଣାପଡ଼ିନି।
ସୂଚନା ଥାଉକି, କିଛିଦିନ ତଳେ ବଜାରରେ ନକଲି ଔଷଧ ଟେଲମା-୪୦ ବିକ୍ରି ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଔଷଧର ପ୍ରଭାବ ରୋଗ ନିୟନ୍ତ୍ରଣ ପଡ଼ୁ ନ ଥିବା ନେଇ ଜଣେ ଗ୍ରାହକ ଅଭିଯୋଗ କଲା ପରେ କଟକ, ଭୁବନେଶ୍ୱର, ରାଉରକେଲାରେ ରେଡ୍ ହୋଇଥିଲା। ଟେଲମା-୪୦ ବିଶେଷ ଭାବେ ହୃଦରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀ ବ୍ୟବହାର କରିଥାନ୍ତି। ଏହାର ସବୁଠାରୁ ବେଶୀ ବିକ୍ରି ହେଉଥିବା ମେଡିସିନ୍।
ଲୁଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ନକଲି ଖାଦ୍ୟ ସାମଗ୍ରୀ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ଚଢ଼ାଉରେ ଧରାପଡ଼ୁଥିବା ବେଳେ ଏବେ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ନକଲି ହେଉଥିବା ଜଣାପଡ଼ିବା ପରେ ସାଧାରଣରେ ଉଦ୍ବେଗ ବଢ଼ିଯାଇଛି। ନକଲି ଔଷଧର କୁପ୍ରଭାବ ପଡ଼ିବା ଆଶଙ୍କାକୁ ନେଇ ଲୋକେ ଛାନିଆ ହୋଇପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
