/odisha-reporter/media/post_attachments/uploads/2020/08/SRC-1199999.jpg)
SRC
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମକୁ ୮ ଲକ୍ଷ କ୍ୟୁସେକ ଜଳ ପଶୁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି,ହୀରାକୁଦ ଡ୍ୟାମର ୩୬ ଗେଟ୍ ଖୋଲିଛି। ୬ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବ। ତଳମୁଣ୍ଡ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ଜଳ ଯିବ। ଖଇରିମାଳରୁ ମୁଣ୍ଡଳି ଯାଏ ଏବଂ କଟକ ତଳକୁ ଆଜି ଆଉ ବର୍ଷା ହୋଇନି। ବର୍ଷା ହୋଇ ନଥିବାରୁ ଆଉ ପାଣି ମିଶିବନି। ସେହି ୧୦ ଲକ୍ଷ ପାଖାପାଖି ଯିବ। ଆଗକୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କ୍ୟୁସେକ୍ ଯାଏ ଜଳ ପ୍ରବାହ ସମ୍ଭାଳିଛି। ତେଣୁ ୧୦ରୁ ସାଢ଼େ ୧୦ ଲକ୍ଷରେ ଏକ ମଧ୍ୟମ ଧରଣର ବନ୍ୟା ଆଶା କରୁଛୁ। ମହାନଦୀ ସିଷ୍ଟମର ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି। ଓଡ୍ରାଫ୍ ଓ NDRF ଟିମ୍ ଆଗୁଆ ପଠାଯାଇଛି, ସେମାନେ ପ୍ରସ୍ତୁତ ଅଛନ୍ତି।”
ସେ ଆହୁରି କହିଛନ୍ତି,“ ସୁବର୍ଣ୍ଣରେଖା ରାଜଘାଟଠାରେ ସ୍ଥିର ଅଛି, ପରିସ୍ଥିତିରେ ସୁଧାର ଆଶା କରାଯାଉଛି। ବୁଢ଼ାବଳଙ୍ଗ ବିପଦ ସଂକେତ ତଳେ ଅଛି, ଜଳସ୍ତର କମି କମି ଚାଲିଛି। ବୈତରଣୀ ଆଖୁଆପଦାରେ ବିପଦ ସଂକେତ ଉପରେ ଥିଲେ ବି ଜଳସ୍ତର କମୁଛି। ବୈତରଣୀ ନଦୀର ଦତ୍ତପୁର ଠାରେ ୮୦ ମିଟରର ଏକ ଘାଇ ହୋଇଛି।
ବ୍ରାହ୍ମଣୀ ନଦୀ ଜଳସ୍ତର ସ୍ଥିର ଅଛି। ୨୪ ଘଣ୍ଟା ପରେ କମିବା ଆଶା କରାଯାଉଛି। ବ୍ରାହ୍ମଣୀ ନଦୀରେ ବରୀ ବ୍ଲକରେ ୧୪ଟି ଜାଗାରେ ଘାଇ ସୃଷ୍ଟି ହୋଇଛି। କାଣୀ ନଦୀରେ ଦଶରଥପୁର ବ୍ଲକର ନୂଆଶାସନ ଠାରେ ଘାଇ ହୋଇଛି। କାନ୍ଥ ପଡ଼ି ଯାଜପୁରରେ ଜଣେ, ନୂଆପଡ଼ା ଜିଲ୍ଲା କୋମନାରେ ଜଣଙ୍କ ମୃତ୍ୟୁ ହୋଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
