ଗତକାଲି ରାତିରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱରର ପଟିଆର ଶ୍ରୀବିହାର ସ୍ଥିତ ବାସଭବନରୁ ନଗଦ ୪ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ। ନଗଦ ଟଙ୍କା ଜବତ କରାଯିବାରେ ଏଯାବତ୍ ଏହା ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ଅଧିକ।
ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବେପାରୀଙ୍କଠାରୁ ଗତକାଲି ରାତିରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ସର୍କଲର ଖଣି ଉପନିର୍ଦ୍ଦେଶ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ଏହା ପରେ ତାଙ୍କ ଭୁବନେଶ୍ୱରର ପଟିଆର ଶ୍ରୀବିହାର ସ୍ଥିତ ନେଚରସ୍ କ୍ରେଷ୍ଟ ଆପାର୍ଟମେଣ୍ଟର ୩୦୨ ନମ୍ବର ଫ୍ଲାଟ୍ ସହିତ ଭଦ୍ରକର ମଠସାହି ସ୍ଥିତ ପୈତୃକ ବାସଭବନ ଓ କଟକ ସ୍ଥିତ ତାଙ୍କ ଅଫିସ ଚ୍ୟାମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଶ୍ରୀ ମହାନ୍ତିଙ୍କର ଭୁବନେଶ୍ୱରର ପଟିଆର ଶ୍ରୀବିହାର ସ୍ଥିତ ନେଚରସ୍ କ୍ରେଷ୍ଟ ଆପାର୍ଟମେଣ୍ଟର ୩୦୨ ନମ୍ବର ଫ୍ଲାଟ୍ରୁ ନଗଦ ୪ କୋଟି ଟଙ୍କା ଜବତ କରାଯାଇଥିଲା। ଟ୍ରଲି ବ୍ୟାଗ୍ ଓ ଆଲମିରାଗୁଡ଼ିକରେ ଏହି ଟଙ୍କା ରଖାଯାଇଥିଲା।
ସେହିପରି ଶ୍ରୀ ମହାନ୍ତିଙ୍କର କଟକ ସ୍ଥିତ ଅଫିସ ଚ୍ୟାମ୍ବରର ଟେବୁଲ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ଏସବୁ ବାଦ୍ ଭୁବନେଶ୍ୱରର ପାହାଳରେ ତାଙ୍କର ଏକ ୨୪ ଶହ ବର୍ଗଫୁଟର ଏକ ଦ୍ୱିମହଲା କୋଠା ଠାବ କରାଯାଇଛି। ତାଙ୍କ ଘରୁ ପ୍ରାୟ ୧୩୦ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/mr-mohanty-and-money-2026-02-25-10-35-44.jpg)