Advertisment

ଟମାଟୋ ଅମଳ ବେଳେ ଶୋଇଥିଲେ! ଏବେ ବର୍ଷାକୁ ଦୋଷ ଦେଲେ ମନ୍ତ୍ରୀ

ଲଗାଣ ବର୍ଷା ଯୋଗୁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡ଼ିଛି। ମୁଁ ଭାବୁଛି ବେଙ୍ଗାଳୁରୁରୁ ଟମାଟୋ ଆସିଯିବ ଓ ଯେଉଁ ସମସ୍ୟା ଦେଖାଦେଇଛି, ତାହା ସମାଧାନ ହୋଇଯିବ

author-image
Manoranjan Sial
ଅଦ୍ୟତନ ହୋଇଛି
Tamato

Tamato

ରାଜ୍ୟରେ ଯେତେବେଳେ ପର୍ଯ୍ୟନ୍ତ ପରିମାଣର ଟମାଟୋ ଅମଳ ହେଉଥିଲା, ସେତେବେଳେ ନାହିରେ ତେଲ ମାରି ଶୋଇଥିଲେ ରାଜ୍ୟ ସରକାର। ଟମାଟୋ ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ। ଏବେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ୧୦୦ ଟଙ୍କା ଛୁଇଁଲାଣି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବର୍ଷା ଉପରେ ଦୋଷ ଲଦିଛନ୍ତି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁ ଚାଷୀଙ୍କ ସହ ବଜାର ଉପରେ ପ୍ରଭାବ ପଡ଼ିଛି। ମୁଁ ଭାବୁଛି ବେଙ୍ଗାଳୁରୁରୁ ଟମାଟୋ ଆସିଯିବ ଓ ଯେଉଁ ସମସ୍ୟା ଦେଖାଦେଇଛି, ତାହା ସମାଧାନ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୋମବାର ରାଜଧାନୀ ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ପିଛା ପ୍ରାୟ ୪୦ରୁ ୫୦ଟଙ୍କା ବିକ୍ରି ହେଉଥିବାବେଳେ ମଙ୍ଗଳବାର ଅଚାନକ କିଲୋପିଛା ୮୦ରୁ ୯୦ଟଙ୍କାକୁ ବୃଦ୍ଧି ପାଇଥିଲା। କଟକରେ ଟମାଟୋ କିଲୋ ପିଛା ୯୦-୧୦୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁର ଓ ବାଲେଶ୍ୱରରେ କିଲୋ ପିଛା ୧୦୦ରୁ ୧୨୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ଜଣାପଡ଼ିଛି। ଭୁବନେଶ୍ୱରର ଏକ ନମ୍ବର ହାଟରେ ଟମାଟୋ କିଲୋ ପିଛା ୮୦ରୁ ୯୦ ଟଙ୍କା ଥିବାବେଳେ ରାଜଧାନୀର ଅନ୍ୟ ଅଂଚଳରେ ଏହି ଦର ପ୍ରାୟ ୧୦୦ଟଙ୍କା ଅଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପଉଛି।

Advertisment

ସୂଚନାରୁ ପ୍ରକାଶ, ଚଳିତବର୍ଷ ଓଡ଼ିଶାରେ ପର୍ଯ୍ୟନ୍ତ ପରିମାଣରେ ଟମାଟୋ ଚାଷ ହୋଇଥିଲା। ହେଲେ ଶୀତଳଭଣ୍ଡାର ବ୍ୟବସ୍ଥା ନଥିବାରୁ କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଟମାଟୋ ନଷ୍ଟ ହୋଇଥିଲା। ଚାଷୀ ଟମାଟୋ ବିକ୍ରି କରିନପାରି ରାସ୍ତାରେ ଫିଙ୍ଗି ଦେଇଥିଲେ। ଆଉ କେତେକ ସ୍ଥାନରେ ଚାଷ ଜମିରେ ଟମାଟୋ ପଚି ସଢ଼ି ଯାଇଥିଲା। ଟମାଟୋ ଅମଳ ସମୟରେ ଏମିତି ମାଳ ମାଳ ଖବର ରାଜ୍ୟର କୋଣ ଅନୁକୋଣରୁ ଆସୁଥିଲା। ସେତେବେଳେ ରାଜ୍ୟ ସରକାର ଟମାଟୋ ସଂରକ୍ଷଣ ନେଇ କୌଣସି ବ୍ୟବସ୍ଥା କଲେ ନାହିଁ। ନାହିରେ ତାଲ ମାରି ଶୋଇଥିଲେ। ଏବେ ପଡୋଶୀ ରାଜ୍ୟରୁ ଟମାଟୋ ଆମଦାନୀ କରି ବର୍ଷା ଉପରେ ଦୋଷ ଲଦୁଛନ୍ତି। ଧନ୍ୟ ଆମ ସରକାରୀ ବ୍ୟବସ୍ଥା!

Bhubaneswar Vegetable Prices