ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ସିସିଟିଭି କଭରେଜ୍ ଭିତରେ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାଦ୍ୱାରା ପରୀକ୍ଷାରେ କପି ରୋକାଯିବା ସହ ଏହାର ସ୍ୱଚ୍ଛତା ରହିବ ବୋଲି କୁହାଯାଇଥିଲା। ହେଲେ ପରୀକ୍ଷା ସମୟରେ କେନ୍ଦ୍ରରେ ସିସିଟିଭି ଲଗାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଖୋଦ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଆଶଙ୍କା ପ୍ରକାଶ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, “ସିସିଟିଭି ଲଗାଇବାରେ ବଜେଟ୍ ବାଧକ ସାଜିଛି। କଲେଜଗୁଡିକରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ରହିଛି। ଉକ୍ତ ଫଣ୍ଡରେ କଲେଜ୍ କର୍ତ୍ତୃପକ୍ଷ ସିସିଟିଭି ଲଗାଇ ପାରିବେ। ହେଲେ ସ୍କୁଲ୍ରେ ସେମିତି ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ନାହିଁ।”
ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷାରେ ସିସିଟିଭି ଲାଗିବ ବୋଲି କୁହାଯାଇଥିଲା। ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ।