ଆଠଗଡ଼(ନୀଳକଣ୍ଠ ଦୋରା): ବନ୍ୟା ପାଣିରେ ଗାଧୋଉଥିବା ବେଳେ ଭାସିଗଲେ ୫ ନାବାଳକ । ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି କୁଳକୁ ଆସିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳି ନ ଥିଲା। ଗ୍ରାମବାସୀ ବହୁ ଖୋଜାଖୋଜି କରି ନାବାଳକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏପରି ଦୁଃଖଦ ଘଟଣା କଟକ ଜିଲ୍ଲା ଆଠଗଡ଼ରେ ଘଟିଛି। ମୃତକ ହେଲେ ବ୍ରହ୍ମଣବସ୍ତ ଗାଁର ପ୍ରଦ୍ୟୁମ୍ନ ରାଉତ(୧୪) ।
ବ୍ରହ୍ମଣବସ୍ତ ଗାଁର ୫ ନାବାଳକ ଆଜି ବିଷ୍ଣୁପୁର ଜୋର ନିକଟରେ ଗାଧୋଉଥିଲେ। ଏହି ସମୟରେ ନଦୀର ସ୍ରୋତ ପ୍ରଖର ଥିବାରୁ ସମସ୍ତେ କିଛି ଦୂର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୁଳକୁ ଆସିଥିଲେ। ହେଲେ ପ୍ରଦ୍ୟୁମ୍ନଙ୍କର କୌଣସି ପତ୍ତା ମିଳି ନ ଥିଲା। ବହୁ ଖୋଜାଖୋଜି ପରେ ଗାଁ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ।
ତୁରନ୍ତ ତାଙ୍କୁ ମାଧପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଆଠଗଡ଼ ରେଫର କରିଦେଇଥିଲେ। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଛନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ଆସିବାରୁ ଏପରି ଅଘଟଣ ଘଟିଥିବା ପ୍ରଦ୍ୟୁମ୍ନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
ରାଜ୍ୟରେ ଏବେ ବନ୍ୟା ବିତ୍ପାତ ଲାଗି ରହିଥିବା ବେଳେ ଆଠଗଡ଼ର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ବହୁ ଗାଁ । ଏବେ ନଦୀର ଜଳସ୍ରୋତ କମୁଥିବା ବେଳେ ପାଣିର ବେଗ କିନ୍ତୁ ଖୁବ୍ ପ୍ରଖର ରହିଛି। ତେଣୁ ପାଣିକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଏହି ଅଘଟଣ ଘଟିଗଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।