/odisha-reporter/media/media_files/2026/02/11/dead-person-2026-02-11-18-33-58.jpg)
ସୋଶାଲ ମିଡିଆରୁ ହୋଇଥିଲା ଚିହ୍ନାପରିଚୟ। ପରେ ପ୍ରେମରେ ପଡ଼ି ଯାଇଥିଲେ। ହେଲେ କୌଣସି କାରଣରୁ ଏହି ସଂପର୍କକୁ ଆଉ ଆଗକୁ ବଢ଼ାଇବାକୁ ଚାହିଁନଥିଲେ ନାବାଳିକା ପ୍ରେମିକା। ଅନ୍ୟପକ୍ଷରେ ପ୍ରେମିକ ମାନିବାକୁ ରାଜି ନଥିଲେ। ଆଉ ତା’ପରେ ରଚାଯାଇଥିଲା ହତ୍ୟା ଷଡ଼ଯନ୍ତ୍ର। ୬ ଦିନ ତଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବିରିଡି ଟ୍ରେନ୍ ଲାଇନ କଡ଼ରୁ ଟିଲୋ (କଣ୍ଟାପଡା) ଗାଁର ରଞ୍ଜନ ଦାସଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ଏଭଳି ଖୁଲାସା କରିଛି ପୁଲିସ।
ରଞ୍ଜନ ଦାସଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ୨ ଜଣ ନାବାଳିକାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି, ମୃତକଙ୍କ ନାବାଳିକା ପ୍ରେମିକା, ପ୍ରେମିକାଙ୍କ ଭିଣୋଇ ଓ ପ୍ରେମିକାଙ୍କ ସାଙ୍ଗ (ସେ ବି ନାବାଳିକା)। ରଞ୍ଜନଙ୍କ ପ୍ରେମିକାଙ୍କ ଭିଣୋଇଙ୍କ ନାଁ ନୀଳମଣି ଓଝା।
ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ, ରଞ୍ଜନକୁ ସବୁ ଦିନ ପାଇଁ ହଟାଇ ଦେବାକୁ ତାଙ୍କ ନାବାଳିକା ପ୍ରେମିକା ଓ ଭିଣୋଇ ଯୋଜନା କରିଥିଲେ। ଆଉ ସେହି ଯୋଜନା ପ୍ରକାରେ ନାବାଳିକା ପ୍ରେମିକା ଫୋନ୍ କରି ରଞ୍ଜନଙ୍କୁ ବେଙ୍ଗାଲୁରୁରୁ ଡକାଇ ଥିଲେ।
ଫେବ୍ରୁଆରୀ ୪ ତାରିଖରେ ରଞ୍ଜନ ଆସି ବିରିଡିରେ ପହଞ୍ଚିଥିଲେ। ବିରିଡି ରେଳ ଷ୍ଟେସନ ନିକଟରେ ଏକ ବନ୍ଧ ଉପରେ ରଞ୍ଜନ ବସିଥିବା ବେଳେ ସେଠାରେ ପହଞ୍ଚିଥିଲେ ତିନି ଅଭିଯୁକ୍ତ (ରଞ୍ଜନଙ୍କ ପ୍ରେମିକା, ତାଙ୍କ ସାଙ୍ଗ ଓ ଭିଣୋଇ)।
ଉକ୍ତ ଝିଅ ସହିତ ଆଉ ପ୍ରେମ ସଂପର୍କ ନରଖିବାକୁ ସେମାନେ ସମସ୍ତେ ରଞ୍ଜନଙ୍କୁ ବୁଝାଇଥିଲେ। କିନ୍ତୁ ରଞ୍ଜନ ବୁଝି ନଥିଲେ। ସେ ତାଙ୍କ ଜିଦ୍ରେ ଅଟଳ ରହିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।
ଏହି ସମୟରେ ନୀଳମଣି ଏକ ପଥରରେ ରଞ୍ଜନ ଦାସଙ୍କୁ ପିଟି ଦେଇଥିଲେ। ଫଳରେ ରଞ୍ଜନ ଦାସ ଚେତା ହରାଇ ପଡ଼ି ଯାଇଥିଲେ। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ରଞ୍ଜନଙ୍କ ଗୋଡ଼କୁ ମାଡ଼ି ବସିଥିଲେ। ଆଉ ଜଣେ ନାବାଳିକା ଓ ନୀଳମଣି ଓଝା ରଞ୍ଜନଙ୍କ ବେକ ଚିପି ଦେଇଥିଲେ। କାଳେ ରଞ୍ଜନ ବଞ୍ଚି ଯିବେ ଭାବି ତାଙ୍କ ବେକରେ ଗିଲ କଣ୍ଟାରେ ବେକକୁ ଚିପି ଦେଇଥିଲେ।
ରଞ୍ଜନ ଫେବ୍ରୁଆରୀ ୪ ତାରିଖରେ ବିରିଡିରେ ପହଞ୍ଚିଥିବା ତାଙ୍କ ଘର ଲୋକେ ଜାଣି ଥିଲେ। କିନ୍ତୁ କିଛି ସମୟ ପରେ ରଞ୍ଜନଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯିବାରୁ ସେମାନେ ବ୍ୟସ୍ତ ହୋଇପଡ଼ିଥିଲେ ଓ ଖୋଜାଖୋଜି କରିଥିଲେ। ୫ ତାରିଖରେ ରଞ୍ଜନଙ୍କ କ୍ଷତାକ୍ତ ମୃତ ଦେହ ମିଳିଥିଲା। ଏହା ପରେ ସେହି ଦିନ ରାତିରେ ରଞ୍ଜନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ରଞ୍ଜନଙ୍କୁ ତାଙ୍କ ପ୍ରେମିକାଙ୍କ ସମ୍ପର୍କୀୟମାନେ ମାରି ଦେଇଥିବା ଅଭିଯୋଗ କରିଥିଲେ। ଆଉ ତା’ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
