ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଘଟିଛି ହିଂସାକାଣ୍ଡ। ଜଗତସିଂହପୁର ସଦର ବ୍ଲକର ପଟସରାରେ ଦୁର୍ବୃତ୍ତମାନେ ଆଜି ତୁମୁଳକାଣ୍ଡ ଘଟାଇଥିବା ବେଳେ ଭୋଟ୍ ବକ୍ସ ନେଇ ପଲାଇଛନ୍ତି । ଏଥିଯୋଗୁ ସ୍ଥାନୀୟ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥ୍ରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ବୁଥ୍ରେ ଭୋଟ୍ ବାକ୍ସ ଭାଙ୍ଗିବା ସହ ଅନ୍ୟ ଏକ ବୁଥ୍ରୁ ବାକ୍ସ ନେଇ ପଲାଇଛନ୍ତି ଦୁର୍ବୃତ୍ତ । ଘଟଣା ପରେ ମତଦାନକୁ ବନ୍ଦ କରାଯାଇଛି ।
ସେପଟେ ଜଗତସିଂହପୁର ସଦର ବ୍ଲକ ନାଥସାହିରେ ପୁଲିସ ଉପରକୁ ଆକ୍ରମଣ ହୋଇଛି। କିଛି ଯୁବକ ଭୋଜି କରୁଥିବା ବେଳେ ପୁଲିସ୍ ଅଟକାଇବାରୁ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ପରେ ପୁଲିସ୍ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୨ ଜଣ ପୁଲିସ୍ଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ବି ହୋଇଛନ୍ତି ।
ଏହାଛଡ଼ା ନାଉଗାଁ କୋରୁଅ ପଞ୍ଚାୟତରେ ଗତକାଲି ରାତିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି ।