
ରାଜ୍ୟରେ ଶିଳ୍ପସଂସ୍ଥାଗୁଡ଼ିକ ଦ୍ୱାରା ଜଳ ଉପଯୋଗ ଓ ପରିଚାଳନାଗତ ଅବ୍ୟବସ୍ଥାର ନଗ୍ନଚିତ୍ର ପଦାରେ ପଡ଼ିଛି । ରାଜ୍ୟରେ ବାର୍ଷିକ ଆଦାୟ ହେଉଥିବା ଜଳକର ତୁଳନାରେ ପ୍ରାୟ ୭ଗୁଣ ଅଧିକ(ଜଳକର) ବକେୟା ପଡ଼ିଛି । ଶିଳ୍ପସଂସ୍ଥାଗୁଡ଼ିକ ବିଭିନ୍ନ ନଦୀରୁ ନିୟମିତ ଭାବେ ଜଳ ନେଉଥିଲେ ମଧ୍ୟ ଜଳକର ପୈଠ କରିବାରେ ଉତ୍ତରଦାୟିତ୍ୱ ନଥିବା ଜଳଜଳ ହୋଇ ଦିଶୁଛି । କେବଳ ଘରୋଇ ଶିଳ୍ପ ସଂସ୍ଥା ନୁହେଁ ସରକାରଙ୍କ ମାଲିକାନାରେ ଥିବା ଶିଳ୍ପ ସଂସ୍ଥା ମଧ୍ୟ ଏହି ଜଳକର ଖିଲାପୀ ତାଲିକାରେ ରହିଛନ୍ତି । ରାଜ୍ୟ ଜଳସମ୍ପଦ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଦେଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି ।
ବାର୍ଷିକ ଜଳକର ତୁଳନାରେ ବକେୟା ୭ଗୁଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ୨୦୨୫ ମସିହା ମାର୍ଚ୍ଚ ସୁଦ୍ଧାର ତଥ୍ୟ ଅନୁୂସାରେ ରାଜ୍ୟ ସରକାର ୧୨୨ ଗୋଟି ଶିଳ୍ପ ସଂସ୍ଥାଠାରୁ ବାର୍ଷିକ ମୋଟ ୮୬୦.୯୭୯ କୋଟି ଟଙ୍କା ଜଳକର ଭାବେ ପାଇଥାନ୍ତି । ତେବେ ରାଜ୍ୟର ମୋଟ ୫୭ ଗୋଟି ଶିଳ୍ପସଂସ୍ଥା ଉପରେ ଏବେ ମୋଟ ୫୮୯୦.୬୫ କୋଟି ଟଙ୍କା ଜଳକର ବକେୟା ରହିଛି ।
ବକେୟା ଥିବା ଶିଳ୍ପସଂସ୍ଥାଙ୍କ ତାଲିକା ମଧ୍ୟରେ କେତେକ ବୃହତ ଶିଳ୍ପସଂସ୍ଥାଙ୍କ ନାମ ରହିଛି । ସେମାନଙ୍କ ମଧ୍ୟରେ ଜୟପୁରସ୍ଥିତ ସେବା ପେପର ମିଲ ଉପରେ ସର୍ବାଧିକ ୧୫୦୮.୭୦ କୋଟି ଟଙ୍କା ବକେୟା ଥିବାବେଳେ ଚୌଦ୍ୱାରର ବଲ୍ଲାରପୁର ଉଦ୍ୟୋଗ ଉପରେ ୧୪୫୭ କୋଟି ଟଙ୍କା ଜଳକର ବାକି ଅଛି । ଏହି ଦୁଇ ଶିଳ୍ପ ସଂସ୍ଥା ଏବେ ବନ୍ଦ ପଡ଼ିଛି । ସେହିପରି ରାୟଗଡ଼ାର ଜେ.କେ. କାଗଜ ମିଲ୍ ଉପରେ ୪୮୯ କୋଟି ଟଙ୍କା ଓ ଆରତୀ ଷ୍ଟିଲ୍ ଲିମିଟେଡ୍ ଉପରେ ୩୦୩ କୋଟି ଟଙ୍କା , ଭୂଷଣ ପାୱାର ଆଣ୍ଡ ଇସ୍ପାତ ସଂସ୍ଥା ଉପରେ ୨୪୪ କୋଟି ଟଙ୍କା, ରାଠୀ ଇସ୍ପାତ ଓ ପାୱାର ଉପରେ ୨୩୧ କୋଟି ଟଙ୍କାରୁ ଅଧିକ ଜଳକର ବାକି ପଡ଼ିଛି ।
କେବଳ ଘରୋଇ ସଂସ୍ଥା ନୁହଁନ୍ତି, କେତେକ ସରକାରୀ ଉଦ୍ୟୋଗ ମଧ୍ୟ ଜଳକର ଖିଲାପକାରୀଙ୍କ ତାଲିକାରେ ରହିଛନ୍ତି । ବନହରପାଲିର ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ(ଓପିଜିସି) ଉପରେ ୧୧୮.୯୩ କୋଟି ଟଙ୍କାରୁ ଅଧିକ ବକେୟା ରହିଛି । ସେହିପରି କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଅନୁଗୁଳର ନାଲକୋ ଉପରେ ୮ଲକ୍ଷ ଓ ସୁନାବେଡ଼ା ହାଲ୍ ଉପରେ ୫୮ଲକ୍ଷ ଟଙ୍କାର ଜଳକର ବକେୟା ରହିଛି ।
ସବୁଠୁ ଉଦବେଗର କଥା ହେଉଛି, ଏହି ବକେୟା ତାଲିକାରେ ବିନ୍ଦାଲ ସ୍ପଞ୍ଜ, ସେବା ପେପର ମିଲ, ଓରିଏଣ୍ଟ କାଗଜ କଳ, ବଲ୍ଲାରପୁର ଉଦ୍ୟୋଗ ଏବଂ ରିଲାଏନ୍ସ ଉଦ୍ୟୋଗ ସଂସ୍ଥା ଭଳି କେତେକ ବନ୍ଦ ବା ଅଚଳ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟ ସାମିଲ ଅଛନ୍ତି ।
ବ୍ରାହ୍ମଣୀ ନଦୀରୁ ଶିଳ୍ପ ପାଇଁ ସର୍ବାଧିକ ଜଳ
ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଇନ୍ଦ୍ରାବତୀ, କୋଲାବ, ନାଗାବଳୀ ଓ ଋଷିକୁଲ୍ୟା ଭଳି ନଦୀଗୁଡ଼ିକ ଓଡ଼ିଶାର ଶିଳ୍ପ ଅର୍ଥନୀତିର ଜୀବନରେଖା ଭାବେ ପରିଚିତ । କିନ୍ତୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ବ୍ରାହ୍ମଣୀ ଅବବାହିକାରୁ ସର୍ବାଧିକ ୫୩୫.୭୭୩ କ୍ୟୁସେକ୍ ଜଳ ଓ ମହାନଦୀ ଅବବାହିକାରୁ ୪୯୭.୧୬ କ୍ୟୁସେକ୍ ଜଳ ଶିଳ୍ପସଂସ୍ଥାମାନେ ବ୍ୟବହାର କରୁଛନ୍ତି । ବୈତରଣୀ ଅବବାହିକାରୁ ୫୧.୩୫୫ କ୍ୟୁସେକ୍ , ନାଗାବଳୀରୁ ୧୭.୧୨ କ୍ୟୁସେକ୍ , କୋଲାବରୁ ୧୩.୪୩୬ କ୍ୟୁସେକ୍ , ଇନ୍ଦ୍ରାବତୀରୁ ୨.୦୦ କ୍ୟୁସେକ୍ ଏବଂ ଋଷିକୁଲ୍ୟା ଅବବାହିକାରୁ ୧.୧୩୬ କ୍ୟୁସେକ୍ ଜଳ ବ୍ୟବହାର କରାଯାଉଛି । ତେବେ ଜଳ ଉଠାଣ ଓ ଜଳକର ପଇଠ ମଧ୍ୟରେ ଏହି ପାର୍ଥକ୍ୟ କେବଳ ଏକ ଆର୍ଥିକ ସମସ୍ୟା ନୁହେଁ, ବରଂ ଏହା ପ୍ରଶାସନିକ ବିଫଳତା ବୋଲି ଜଳଜଳ ଜଣାପଡ଼ୁଛି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
