Advertisment

Mission PoWaR: ପଂଚାୟତ ନିର୍ବାଚନ ପାଇଁ ମୋହନ ସରକାରଙ୍କ ‘ପାୱାର’, ୧୧ରେ ୧୧ ବିଭାଗର ବୈଠକ

୨୦୨୭ ମସିହା ସୁଦ୍ଧା ରାଜ୍ୟର ସବୁ ଗାଁରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ ଓ ରାସ୍ତା ସଂଯୋଗକୁ ସୁଦୃଢ଼  ତଥା ସୁନିଶ୍ଚିତ କରାଇବା ନିମନ୍ତେ ଏହି ମିଶନ ପାୱାରର ପରିକଳ୍ପନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅକ୍ଟୋବର ୧୫ତାରିଖରେ ‘ନୋଟ୍ ସିଟ୍ ’ ପଠାଇ ସୂଚନା ଦେଇଛନ୍ତି ।

Village-Road

Low level road work(file pic)

Advertisment

୨୦୨୭ ପଂଚାୟତ ନିର୍ବାଚନ ପାଇଁ ଏବେଠୁ ସମରସଜ୍ଜା କଲାଣି ଶାସକ ବିଜେପି । ଗ୍ରାମାଂଚଳ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏକ ବଡ଼ ରଣନୀତି ଆପଣାଇଛନ୍ତି । କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଗ୍ରାମାଂଚଳରେ ବିଜେଡିର ଗଡ଼କୁ ଭାଙ୍ଗି ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ‘ମିଶନ ପାୱାର’କୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର ନିମନ୍ତେ ଯୋଜନା କରିଛି ।

Advertisment

୨୦୨୭ ମସିହା ସୁଦ୍ଧା ରାଜ୍ୟର ସବୁ ଗାଁରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ ଓ ରାସ୍ତା ସଂଯୋଗକୁ ସୁଦୃଢ଼  ତଥା ସୁନିଶ୍ଚିତ କରାଇବା ନିମନ୍ତେ ଏହି ମିଶନ ପାୱାର( ପାୱାର, ୱାଟର, ରୋଡ୍‌)ର ପରିକଳ୍ପନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅକ୍ଟୋବର ୧୫ତାରିଖରେ ‘ନୋଟ୍ ସିଟ୍ ’ ପଠାଇ ସୂଚନା ଦେବା ପରେ ଆସନ୍ତା ୧୧ତାରିଖ ୧୧ଟାବେଳେ ବିଭାଗଗୁଡ଼ିକର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ମୋହନଙ୍କ ‘PoWaR’- ଫୋକସରେ ଗ୍ରାମାଂଚଳ

ପଂଚାୟତ ନିର୍ବାଚନ(Panchayat Election)କୁ ଦୃଷ୍ଟିରେ ରଖି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ମୋହନ ମାଝୀଙ୍କ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ (CM Mohan Charan Majhi) ନିଜେ ନୋଟ୍ ସିଟ୍ ପଠାଇ ରାଜ୍ୟର ପ୍ରତ୍ୟେକ ଗାଁରେ ବିଦ୍ୟୁତ, ପାନୀୟ ଜଳ ଓ ସବୁଦିନିଆ ରାସ୍ତା ସଂଯୋଗ ୨୦୨୭ ମସିହା ସୁଦ୍ଧା ସୁନିଶ୍ଚିତ କରାଇବା ପାଇଁ Mission PoWaR (Power, Water ,Road) ‘ପାୱାର’ର ପରିକଳ୍ପନା କରାଯାଇଥିବା ସୂଚନା ଦେଇଛନ୍ତି । ୨୦୨୭ ଫେବୃୟାରୀ ମାସରେ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୋହନ ସରକାର ଏଭଳି ଆଗୁଆ ପ୍ରସ୍ତୁତି ନେଉଥିବା ଜଣାପଡ଼ିଛି । ୨୦୨୨ ପଂଚାୟତ ନିର୍ବାଚନରେ ବିଜେଡି ରାଜ୍ୟର( Odisha) ସମସ୍ତ ୩୦ ଜିଲ୍ଲା ପରିଷଦ ଗଠନ କରିବା ସହ ୭୦ପ୍ରତିଶତରୁ ଅଧିକ ପଂଚାୟତ ସମିତିକୁ ମଧ୍ୟ କବଜା କରିଥିଲା । ବିଜେଡିର ଗ୍ରାମାଂଚଳରେ ଥିବା ଏହି ଦୁର୍ଗରେ ଛିଦ୍ର କରିବା ନିମନ୍ତେ ବିଗତ ଦେଢ଼ବର୍ଷ ଧରି ରାଜ୍ୟରେ ଶାସକ ବିଜେପି ପକ୍ଷରୁ ଉଦ୍ୟମ ଜାରି ରହିଛି । ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଭଳି ଜିଲ୍ଲାରେ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟମାନଙ୍କୁ ମିଶ୍ରଣ କରାଉଥିଲେ ମଧ୍ୟଏବେବି ବିଜେଡିର ଦବଦବା ଗ୍ରାମାଂଚଳରେ ରହିଛି । ଯାହାକୁ ଦୃଷ୍ଟିରେ ରଖି ମୋହନ ମାଝୀଙ୍କ ସରକାର ଏବେ ସବୁ ଗାଁରେ ଏହି ୩ଟି ମୌଳିକ ସୁବିଧାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ପହଂଚାଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚାହୁଁଥିବା ଜଣାପଡ଼ିଛି ।

Advertisment

ନଭେମ୍ବର ୧୧ରେ ବୈଠକ, ଲକ୍ଷ୍ୟ ୨୦୨୭ ପଂଚାୟତ ନିର୍ବାଚନ

ଆସନ୍ତା ୧୧ତାରିଖରେ ହେବାକୁ ଥିବା ପ୍ରଥମ ଆନ୍ତଃବିଭାଗୀୟ ପ୍ରସ୍ତୁତି ବୈଠକ କେବଳ ଯୋଜନାର ରୂପରେଖ ପ୍ରସ୍ତୁତ ପାଇଁ ନୁହେଁ ବରଂ ପଂଚାୟତ ନିର୍ବାଚନ ପୂର୍ବରୁ କ୍ଷେତ୍ରସ୍ତରରେ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଧାରିତ ସମୟସୀମା ସହ ବିଭାଗଗୁଡ଼ିକର ଉତ୍ତରଦାୟିତ୍ୱ ସ୍ଥିର କରାଯିବ ବୋଲି ଜଣାପଡ଼ିଛି । ବିଶେଷକରି ଏହି ୩ଟି ମୌଳିକ ସୁବିଧା ଯଥା ଶକ୍ତି, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସମେତ ବୈଠକରେ ଅନୁସୂଚିତ ଜାତିଜନଜାତି ବିକାଶ, ଜଳସମ୍ପଦ ବିଭାଗ ଆଦି ସମେତ ମୋଟ ପ୍ରାୟ ୧୧ଟି ବିଭାଗର ସଚିବମାନଙ୍କ ସମେତ ମୁଖ୍ୟ ସଚିବ ମଧ୍ୟ ଏହି ବୈଠକରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

ବିଜେଡି ଗଡ଼ରେ ବିଜେପି କରିବ ସର୍ଜିକାଲ ଷ୍ଟ୍ରାଇକ୍ 

ବିଜେଡିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ବିଜେପି ଆସନ୍ତାବର୍ଷରୁ ବିଭିନ୍ନ ପଂଚାୟତ ସମିତିକୁ ଦଖଲ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟମାନଙ୍କୁ ଦଳରେ ସାମିଲ କରି ବିଜେପି ୨୦୨୭ ପଂଚାୟତ ନିର୍ବାଚନରେ ଜୋରଦାର ଢଙ୍ଗରେ ଓହ୍ଲାଇବାକୁ ଚାହୁଁଛି । ଯଦିଓ ଏବେବି ରାଜ୍ୟର ଅଧିକାଂଶ ପଂଚାୟତରେ ବିଜେପିର ଭଲ ସଂଗଠକ ଅବା ଜନାଧାର ନାହିଁ, ତଥାପି ରାଜ୍ୟରେ ବିଜେପିର ସରକାର କ୍ଷମତାସୀନ ଥିବାରୁ ତା’ର ଫାଇଦା ଉଠାଇ ବିଜେଡି ସମର୍ଥିତ ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରି ତୃଣମୂଳସ୍ତରରେ ନିଜକୁ ସୁଦୃଢ଼ କରିବାକୁ ବିଜେପି ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ବିଜେଡିର ସ୍ଥାନୀୟ କ୍ୟାଡ଼ରରୁ ନିଜ ଦଳରେ ମିଶାଇ ସେମାନଙ୍କର ସାଂଗଠନିକ ଶକ୍ତିକୁ ଦୁର୍ବଳ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାଷ୍ଟରଷ୍ଟ୍ରୋକ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି ।

Odisha Panchayat Election CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe