Tara-and-bdo
ନବରଙ୍ଗପୁର (ନବଘନ ବିଷୋୟୀ): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତିଳେଇବଣି ବିଡିଓ ପରସ୍ପର ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଆଜି ଆଉ ଜଣେ ବିଧାୟକ ଓ ବିଡିଓଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଛି। ଉଭୟେ ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ତେବେ ଶେଷରେ ବିଡିଓ କ୍ଷମା ମାଗିବା ପରେ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
୧୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଜୋନ୍-୨ର କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଲିପିକା ମାଝୀଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ତରଫରୁ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଠାରୁ ଧାରଣା ଦିଆଯାଇଥିଲା। ଆଜି ଧାରଣାରେ ସାମିଲ ହୋଇଥିଲେ ଦଳର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଧାରଣାସ୍ଥଳରେ ସେ ଭାଷଣ ଦେଉଥିବା ବେଳେ ବିଡିଓ ରଞ୍ଜିତା ମଲ୍ଲିକ ମଧ୍ୟାହ୍ଣ ଭୋଜନ କରିବାକୁ ଅଫିସ୍ରୁ ବାହାରିଥିଲେ। କିନ୍ତୁ ବ୍ଳକ୍ ଅଫିସ୍ ଫାଟକ ସମ୍ମୁଖରେ ବିଧାୟକ ଶ୍ରୀବାହିନୀପତି ତାଙ୍କୁ ଅଟକାଇ ଥିଲେ।
ବିଧାୟକ ତାରା ବାହିନୀପତି କହିଛନ୍ତି, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରଙ୍କ ଉପସ୍ଥିତିରେ ଆମ ଦାବି ସଂପର୍କରେ ଆଲୋଚନା କରାଗଲା। ଯେଉଁ ସବୁ ଦୁର୍ନୀତି ହୋଇଛି, ତା’ର ତଦନ୍ତ ହେବ। ଆମର ଦାବି ପୂରଣ ପାଇଁ ପ୍ରଶାସନ ପକ୍ଷରୁ ପତିଶ୍ରୁତି ମିଳିଛି। ମାସେ ଭିତରେ ଦାବି ପୂରଣ ନହେଲେ ଆମେ ପୁଣି ଆସି ଏଠି ଆନ୍ଦୋଳନ କରିବୁ।
ସେ ଆହୁରି କହିଛନ୍ତି, ବିଭିନ୍ନ ଦଳର ଲୋକଙ୍କ ମଧ୍ୟରେ ବିଡିଓ ଯେଉଁ ପକ୍ଷପାତିତା କରୁଛନ୍ତି, ତାହା ଆଉ କରିବେ ନାହିଁ ବୋଲି କହିଛନ୍ତି। ତା’ସହିତ ମୋତେ ଯେଉଁ ପ୍ରକାର ବ୍ୟବାହାର କରିଥିଲେ, ସେଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।
ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ କହିଛନ୍ତି, ନିଜ ବ୍ୟବହାର ପାଇଁ ବିଧାୟକଙ୍କୁ କ୍ଷମା ମାଗିଛନ୍ତି ବିଡିଓ। ଆଉ ବିଧାୟକ ଓ ତାଙ୍କ ଦଳ ପକ୍ଷରୁ ଯେଉଁ ଦାବି ଗୁଡ଼ିକ କରାଯାଇଛି, ତାକୁ ପୂରଣ କରିବା ପାଇଁ ବିଭିନ୍ନ ସ୍ତରରେ କେମିତି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆମେ ପ୍ରୟାସ କରିବୁ।
ସୂଚନାଯୋଗ୍ୟ, ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। ସେ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଡିଓ ତାଙ୍କ ଏତଲାରେ ଦର୍ଶାଇଥିଲେ। ଅନ୍ୟପକ୍ଷରେ ବିଧାୟକ ମଧ୍ୟ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ ବିଡିଓ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/Tara-and-bdo.jpg)