Advertisment

Political Privilege: ମାଲାମାଲ୍ ହେବେ ବିଧାୟକ-ମନ୍ତ୍ରୀ, ପିଛିଲା ତାରିଖରୁ ମିଳିବ ବର୍ଦ୍ଧିତ ଦରମା ଓ ପେନସନ୍‌

ଏହି ସଂଶୋଧନରେ ପରେ ବିଧାୟକମାନଙ୍କ ମୂଳ ଦରମା ୯୦ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୨.୫୫ଲକ୍ଷକୁ ମିଶାଇଲେ ସେମାନେ ମୋଟ ନିଶ୍ଚିତ ଭାବେ ୩.୪୫ଲକ୍ଷ ଟଙ୍କା ପାଇବେ । ଯାହାକି ପ୍ରାୟ ୨୪୫% ବୃଦ୍ଧି ବୋଲି କୁହାଯାଉଛି । ଏହାବାଦ୍ ଦୈନିକ ଭତ୍ତା(ସିଟିଂ ଆଲାଉନ୍ସ) ମିଳିବ ।

author-image
Prakash Sethi
Odisha Assembly

ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ଏଣିକି ମାଲାମାଲ୍ ହେବେ । ସେମାନଙ୍କ ଦରମା-ଭତ୍ତା ଓ ପେନସନରେ ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି ହୋଇଛି । ଆଜି ବିଧାନସଭାରେ ଏ ସଂକ୍ରାନ୍ତ ୩ଟି ବିଲକୁ ସରକାର ଉପସ୍ଥାପନ କରିବାର ମାତ୍ର କିଛି ସମୟ ମଧ୍ୟରେ ପାରିତ କରାଇ ନେଇଥିବାରୁ ବିଧାନସଭା ସଦସ୍ୟମାନଙ୍କ ଆର୍ଥିକ ସୁବିଧାରେ ବ୍ୟାପକ ପରିବର୍ତ୍ତନ ଆସିବ । ଦୀର୍ଘ ପ୍ରାୟ ୮ବର୍ଷ ପରେ ବିଧାୟକମାନଙ୍କ ଏହି ଦରମା ଓ ଭତ୍ତା ବୃଦ୍ଧି ରାଜ୍ୟ ଇତିହାସରେ ସର୍ବାଧିକ ବୋଲି କୁହାଯାଉଛି । ଏହି ବର୍ଦ୍ଧିତ ଦରମା ଓ ପେନସନ୍ ପିଛିଲା ଭାବେ ୨୦୨୪ ମସିହା ଜୁନ୍ ୫ ତାରିଖରୁ ଲାଗୁ ହେବ ।

Advertisment

ଶେଷଦିନରେ ବିଲ୍ ଆଣି ପାସ୍ କରାଇନେଲେ

ବିଧାନସଭାର ଶୀତ ଅଧିବେଶନ୍ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟସୂଚୀ ଥିବାବେଳେ ଆଜି ଆଗୁଆ ଗୃହକୁ ସାଇନ୍ ଡାଏ ଘୋଷଣା କରାଯାଇଛି । ଆଉ ଶେଷଦିନରେ ତରବରିଆ ଭାବେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା,ଭତ୍ତା ଓ ପେନସନ୍ ସଂଶୋଧନ ବିଲ-୨୦୨୫,  ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ-୨୦୨୫ ଏବଂ ଓଡ଼ିଶା ବିଧାନସଭା ବାଚସ୍ପତି ଓ ଉପବାଚସ୍ପତି ଦରମା ଭତ୍ତା ସଂଶୋଧନ ବିଲ-୨୦୨୫କୁ ଆଜି ଗୃହରେ ଉପସ୍ଥାପନ କରିବାର କିଛି ସମୟ ମଧ୍ୟରେ ତାହା ପାରିତ ହୋଇଯାଇଛି । ଏହି ସଂଶୋଧନ ଫଳରେ ରାଜ୍ୟର ବିଧାୟକମାନେ ଏଣିକି ମାସିକ ପ୍ରାୟ ୩.୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଓ ଭତ୍ତା ପାଇବେ । ସେହିପରି ପୂର୍ବତନ ବିଧାୟକମାନେ ମାସିକ ପେନସନ୍ ଓ ଭତ୍ତା ବାବଦରେ ୧.୧୭ଲକ୍ଷ ଟଙ୍କା (ନୂତନ ଭାବେ ମାସିକ ଗସ୍ତ ଖର୍ଚ୍ଚ ସାମିଲ) ସହ ନିଜର କାର୍ଯ୍ୟକାଳ ହିସାବରେ(ପ୍ରତି ୫ବର୍ଷ କାର୍ଯ୍ୟକାଳ ପାଇଁ ୧୫ହଜାର ଟଙ୍କା) ପେନସନ୍ ପାଇବେ ।
ସେହିପରି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦରମା ଓ ଭତ୍ତା ପ୍ରାୟ ୧ଲକ୍ଷ ଟଙ୍କାରୁ ମାସିକ ୩.୭୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । 

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି ବର୍ଦ୍ଧିତ ଦରମା ସହିତ ଏଣିକି ପ୍ରତି ୫ ବର୍ଷରେ ମହଙ୍ଗା ସୂଚକାଙ୍କ ଆଧାରରେ ସ୍ୱୟଂଚାଳିତ ଭାବେ ଏହି ଦରମା ଓ ଭତ୍ତାରେ ସଂଶୋଧନ ହେବା ନେଇ ବିଲରେ ପ୍ରାବଧାନ ରହିଛି । ଯାହା ଫଳରେ ଭବିଷ୍ୟତରେ ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡିବ ନାହିଁ ।

Advertisment

କେତେ ପ୍ରତିଶତ ବଢିଲା ବିଧାୟକମାନଙ୍କ ଦରମା ଓ ଭତ୍ତା

ବିଧାୟକମାନେ ଏବେ ପାଉଥିବା ଦରମା ଓ ଭତ୍ତା ତୁଳନାରେ ଆଜି ପାରିତ ବିଲ୍ ଆଧାରରେ ପ୍ରାୟ ଅଢେ଼ଇ ଗୁଣ ଅଧିକ ଦରମା ଓ ଭତ୍ତା ପାଇବେ । ଶେଷଥର ପାଇଁ ବିଧାୟକମାନଙ୍କ ଦରମା ୨୦୧୭ ମସିହାରେ ସଂଶୋଧିତ ହୋଇଥିଲା । ୨୦୧୭ ମସିହା ସଂଶୋଧନ ଅନୁସାରେ ବିଧାୟକମାନଙ୍କ ଦରମା ୩୫ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୫୭ହଜାର ଟଙ୍କାକୁ ମିଶାଇ ମୋଟ ୯୨ହଜାର ଟଙ୍କା ଦରମା ରହିଛି । ଏହାବାଦ୍ ଗସ୍ତ ଖର୍ଚ୍ଚ ଓ ଦୈନିକ ଭତ୍ତାକୁ ମିଶାଇ ସେମାନେ ମାସିକ ପ୍ରାୟ ଏବେ ୯୮ହଜାରରୁ ୧ଲକ୍ଷ ଟଙ୍କା ପାଉଛନ୍ତି । 

ବିଧାୟକମାନଙ୍କର ମାସିକ ଚିକିତ୍ସା ଭତ୍ତାକୁ ୫ହଜାର ଟଙ୍କାରୁ ୩୫ହଜାର ଟଙ୍କା, ନିର୍ବାଚନ ମଣ୍ଡଳୀ ଭତ୍ତ ୨୦ହଜାର ଟଙ୍କାରୁ ୭୫ହଜାର ଟଙ୍କା, କନଭେନାନ୍ସ ଭତ୍ତା ୫୦ହଜାର ଟଙ୍କା, ଫିକ୍ସଡ୍ ଗସ୍ତ ଖର୍ଚ୍ଚ ୧୫ହଜାରରୁ ୫୦ହଜାର ଟଙ୍କା, ପୁସ୍ତକ ଓ ପତ୍ରପତ୍ରିକା ଖର୍ଚ୍ଚ ୧୦ହଜାର ଟଙ୍କା, ଇଲେକ୍ଟ୍ରିସିଟି ଭତ୍ତା ୨୦ହଜାର ଟଙ୍କା, ଟେଲିଫୋନ୍ ଭତ୍ତା ୧୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଗାଡି କିଣିବା ପାଇଁ ଅଗ୍ରୀମ ରାଶିକୁ ୫ ଲକ୍ଷରୁ ବଢାଇ ୧୦ ଲକ୍ଷ ଟଙ୍କା କରାଯାଇଛି । 

ଏହି ସଂଶୋଧନରେ ପରେ ବିଧାୟକମାନଙ୍କ ମୂଳ ଦରମା ୯୦ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୨.୫୫ଲକ୍ଷକୁ ମିଶାଇଲେ ସେମାନେ ମୋଟ ନିଶ୍ଚିତ ଭାବେ ୩.୪୫ଲକ୍ଷ ଟଙ୍କା ପାଇବେ । ଯାହାକି ପ୍ରାୟ ୨୪୫% ବୃଦ୍ଧି ବୋଲି କୁହାଯାଉଛି । ଏହାବାଦ୍ ଦୈନିକ ଭତ୍ତା(ସିଟିଂ ଆଲାଉନ୍ସ) ମିଳିବ । 

ମୁଖ୍ୟମନ୍ତ୍ରୀଙ୍କ ଦରମା ୩.୭୪ଲକ୍ଷ ଟଙ୍କାକୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ହଜାରରୁ ବଢି ୧ ଲକ୍ଷ ଟଙ୍କା ହୋଇଛି । ଏହାସହିତ କାର ଆଲାଉନ୍ସ ବାବଦରେ ୯୧ହଜାର ଟଙ୍କା, ସତ୍କାର ଭତ୍ତା ବାଦରେ ୧.୮୩ଲକ୍ଷ ଟଙ୍କା ପାଇବେ । ଫଳରେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ମାସିକ ଦରମା ଓ ଭତ୍ତା ବାବଦରେ ପ୍ରାୟ ୩.୭୪ଲକ୍ଷ ଟଙ୍କା ପାଇବେ । ଏହାବାଦ ସେ ସିଟିଂ ଆଲାଉନ୍ସ ବାବଦରେ ଦିନକୁ ୨ହଜାର ଟଙ୍କା ଓ ରହିବା ବାବଦରେ ଦିନକୁ ୨ହଜାର ଟଙ୍କା ପାଇବେ । ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ମୂଳ ଦରମା ୯୬ହଜାର ଟଙ୍କା, କାର ଆଲାଉନ୍ସ ୮୭ହଜାର ଟଙ୍କା ଓ ସତ୍କାର ଭତ୍ତା ୧.୭୯ଲକ୍ଷ ଟଙ୍କାକୁ ମିଶାଇଲେ ନିଶ୍ଚିତ ୩.୬୨ଲକ୍ଷ ଟଙ୍କା ଦରମା ଓ ଭତ୍ତା ପାଇବେ । ସେହିପରି ରାଷ୍ଟ୍ରମନ୍ତ୍ରୀଙ୍କ ଦରମା ୯୪ହଜାର ଟଙ୍କା, କାର ଆଲାଉନ୍ସ ୮୭ହଜାର ଟଙ୍କା ଓ ସତ୍କାର ଭତ୍ତା ୧.୭୯ ଟଙ୍କାକୁ ମିଶାଇଲେ ମୋଟ୍ ଦରମା ୩.୬୦ଲକ୍ଷ ଟଙ୍କା ପାଇବେ । ଏହାବାଦ୍ ସେମାନେ ସିଟିଂ ଆଲାଉନ୍ସ ବାବଦରେ ଦିନକୁ ୨ହଜାର ଟଙ୍କା ପାଇବେ ।


ସେହିପରି ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀଙ୍କୁ ମାସିକ ଦରମା ୯୮ହଜାର ଟଙ୍କା, କାର ଆଲାଉନ୍ସ ୮୯ହଜାର ଟଙ୍କା ଓ ସତ୍କାର ଭତ୍ତା ୧.୮୧ଲକ୍ଷ ଟଙ୍କା ସହ ମୋଟ ୩.୬୮ଲକ୍ଷ ଟଙ୍କା ଦରମା ମିଳିବ । ଉପବାଚସ୍ପତି ଓ ସରକାରୀ ମୁଖ୍ୟ ସଚେତକଙ୍କୁ ରାଷ୍ଟ୍ରମନ୍ତ୍ରୀଙ୍କ ସହ ସମାନ ଦରମା ଓ ଭତ୍ତା ମିଳିବ । ସରକାରୀ ଉପମୁଖ୍ୟ ସଚେତକଙ୍କୁ ମାସିକ ୯୨ହଜାର ଟଙ୍କା ଦରମା, ୮୩ହଜାର ଟଙ୍କାର କାର ଆଲାଉନ୍ସ ଓ ୧.୭୫ଲକ୍ଷ ଟଙ୍କାର ସତ୍କାର ଭତ୍ତା ମିଶାଇ ମୋଟ ୩.୫୦ଲକ୍ଷ ଟଙ୍କା ଦରମା ଓ ଭତ୍ତା ମିଳିବ ।

ପୂର୍ବତନ ବିଧାୟକମାନଙ୍କୁ  ବି ମିଳିବ ମାସିକ ଗସ୍ତ ଖର୍ଚ୍ଚ 

ପୂର୍ବତନ ବିଧାୟକମାନଙ୍କ ପାଇଁ ବେଶୀ ସୁବିଧାସୁଯୋଗର ବ୍ୟବସ୍ଥା ହୋଇଛି । ସେମାନଙ୍କ ମାସିକ ମୂଳ ପେନସନ ୩୦ହଜାର ଟଙ୍କାରୁ ବଢ଼ି ୮୦ହଜାର ଟଙ୍କା କରାଯାଇଛି ।  ୫ ବର୍ଷରୁ ଅଧିକ ସମୟ ବିଧାୟକ ରହିଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ହଜାରଟଙ୍କା ଲେଖାଏଁ ଅଧିକ ପେନସନ ମିଳିବ । ସେହିପରି ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨ହଜାରର ୨୫ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି । ପ୍ରଥମଥର ପାଇଁ ପୂର୍ବତନ ବିଧାୟକମାନଙ୍‌କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨୫୦୦ଟଙ୍କା ମିଳିବ । ପୂର୍ବତନ ବିଧାୟକମାନଙ୍କ ମାସିକ ପେନସନ୍ (ସର୍ବାଧିକ ୭୦ହଜାର ଟଙ୍କା) କ୍ୟାପିଂକୁ ମଧ୍ୟ ହଟାଇ ଦିଆଯାଇଛି । ଯଦି କୌଣସି ବିଧାୟକଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ହୁଏ ତାଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ୨୫ଲକ୍ଷ ଟଙ୍କାର ଏକକାଳୀନ ସହାୟତା ରାଶି ପ୍ରଦାନ କରାଯିବ ।

ପୂର୍ବରୁ କେବେ ବଢ଼ିଥିଲା ବିଧାୟକମାନଙ୍କ ଦରମା ଓ ଭତ୍ତା

ଓଡ଼ିଶାରେ ୨୦୦୩ ମସିହା ପର୍ଯ୍ୟନ୍ତ ବିଧାୟକମାନଙ୍କ ଦରମା ଓ ଭତ୍ତା ମିଶି ମୋଟ୍ ପ୍ରାୟ ୨୧୯୫୦ ଟଙ୍କା ଥିଲା । ଯାହାକୁ ବିଜେଡି ସରକାର ୨୦୧୧ ମସିହାରେ ପ୍ରାୟ ତିନି ଗୁଣ ବୃଦ୍ଧି କରି ମାସିକ ୬୦ହଜାର ଟଙ୍କା କରିଥିଲେ । ଶେଷଥର ୨୦୧୭ ମସିହାରେ ହୋଇଥିବା ସଂଶୋଧନ ପରେ ଏହି ଦରମା ଓ ଭତ୍ତାରେ ପ୍ରାୟ ୬୩ ପ୍ରତିଶତ ବୃଦ୍ଧି ପାଇଥିଲା  ଓ ଏହା ୯୮ହଜାର ଟଙ୍କା ହୋଇଥିଲା । କିନ୍ତୁ ୨୦୨୫ ମସିହାର ଏହି ନୂଆ ବିଲ୍ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରିଛି । ଏହାସହିତ ଏଣିକି ପ୍ରତି ୫ ବର୍ଷରେ ମହଙ୍ଗା ସୂଚକାଙ୍କ ଆଧାରରେ ଦରମା ସ୍ୱୟଂଚାଳିତ ଭାବେ ବୃଦ୍ଧି ପାଇବାର ବ୍ୟବସ୍ଥା ମଧ୍ୟ ବିଲରେ କରାଯାଇଥିବା ଜଣାପଡ଼ିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦରମା ଓ ଭତ୍ତା ବୃଦ୍ଧି ପାଇ ବିଧାୟକମାନେ ଦାବି କରି ଆସୁଥିଲେ । ଗତ ୩ବର୍ଷ ପୂର୍ବରୁ ବିଧାୟକମାନଙ୍କ ବାର୍ଷିକ ଲ୍ୟାଡ୍ ମଧ୍ୟ ୩୫କୋଟି ଟଙ୍କା କରାଯାଇଛି ।