mo-thana-k
ଭୁବନେଶ୍ୱର(ଲକ୍ଷ୍ମୀନାରାୟଣ କାନୁନ୍ଗୋ): ‘ମୋ ଥାନା’ରୁ ମିଳୁନି ପ୍ରାପ୍ତି ସ୍ୱୀକାର ବା’ ଷ୍ଟେସନ୍ ଡାଏରୀ। ପ୍ରାପ୍ତି ସ୍ୱୀକାର ପାଇଁ ବାରମ୍ବାର ଥାନା ଦୌଡ଼ୁଛନ୍ତି ଲୋକେ। ବାରମ୍ବାର ଦୌଡ଼ିଲା ପରେ ଯାଇ ମିଳୁଛି ଏଫଆଇଆର କପି। ୫ଟି ଅଧୀନରେ ‘ମୋ ପରିବାର’ କାର୍ଯ୍ୟକ୍ରମ ହୋଇଛି ଧୂଆଁବାଣ!
କେଉଁଠି ପହଞ୍ଚିଛି ‘ମୋ ସରକାର’ ଓ ‘ମୋ ଥାନା’ର ଅବସ୍ଥା? ତିନି ବର୍ଷ ତଳେ ‘ମୋ ସରକାର’ ଉପକ୍ରମ ଜରିଆରେ ଆରମ୍ଭ ହୋଇଥିଲା ‘ମୋ ଥାନା’ କାର୍ଯ୍ୟକ୍ରମ। ଥାନାକୁ ଗଲେ ଆପଣଙ୍କ ଅଭିଯୋଗ ରଖାଯିବ। ବିଶେଷକରି ଥାନାକୁ ଫୌଜଦାରୀ ମାମଲା ନେଇ ଗଲେ ଅଭିଯୋଗର ପ୍ରାପ୍ତୀ ସ୍ୱୀକାର ବା ଷ୍ଟେସନ୍ ଡାଏରୀ ମିଳିବ। ତା’ ପରେ ତଦନ୍ତ ଆଗେଇବ। ମାତ୍ର ଏବେ ଦେଖିବାକୁ ମିଳୁଛି ଥାନାକୁ ଅଭିଯୋଗ ନେଇ ଗଲେ ତଦନ୍ତ ତ ପର କଥା, ଅଭିଯୋଗର ପ୍ରାପ୍ତି ସ୍ୱୀକାର ବି ମିଳୁନି। ଚୋର ଫେରାର ହେଲା ପରେ, ଆଉ ବାରମ୍ବାର ଥାନାକୁ ଦୌଡ଼ିଲା ପରେ ଯାଇ ମିଳୁଛି ଏଫଆଇଆରର କପି ବା ନକଲ।
ଭୁବନେଶ୍ୱରରେ କିଛି ଥାନାର ଅଭିଜ୍ଞତା ନେଇ ଫେରିଥିବା ବ୍ୟକ୍ତିଙ୍କ ଅଭିଜ୍ଞତାଙ୍କ ଭିତରେ ଅଛନ୍ତି ଇନ୍ଦ୍ରଧନୁ ମାର୍କେଟର ବିରଂଚି ନାରାୟଣ ବରାଡ଼। ମାର୍କେଟରେ ରହିଛି ତାଙ୍କର ଚପଲ ଦୋକାନ। ସେପ୍ଟେମ୍ବର ୨୭ ତାରିଖରେ ସମ ହସ୍ପିଟାଲ ଯାଇଥିବା ବେଳେ ତାଙ୍କ ବାଇକ୍ ଚୋରି ହୋଇଗଲା। ମାତ୍ର ୩/୪ ଥର ଦୌଡ଼ିବା ପରେ ଯାଇ ତାଙ୍କୁ ଭରତପୁର ଥାନାରୁ ଏଫଆଇଆର ନକଲ ମିଳିଲା। ଦୋକାନ ବନ୍ଦ କରି ଅନ୍ୟ କାହା ଗାଡ଼ିରେ ବାରମ୍ବାର ଥାନାକୁ ଦୌଡ଼ିବା କଷ୍ଟକର ଥିଲା।
ସେମିତି ବାପୁଜୀ ନଗରରେ ମୋବାଇଲ ଦୋକାନ କରିଥିବା ମନୋଜ କୁମାର ପାତ୍ର କୁହନ୍ତି, ୟୁନିଟ-୧ ପାଖରୁ ଜୁଲାଇ ୩୦ ତାରିଖରେ ତାଙ୍କର ବାଇକ୍ ଚୋରି ହେଲା। ବାରମ୍ବାର ଦୌଡ଼ିବା ପରେ ଜଣେ ଚିହ୍ନା ପୁଲିସ ବାବୁଙ୍କ ଯୋଗୁଁ ତାଙ୍କୁ କ୍ୟାପିଟାଲ ଥାନାରୁ ୧୫ ଦିନ ପରେ ଏଫଆଇଆର କପି ମିଳିଲା।
ତିନି ବର୍ଷ ତଳେ ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ‘ମୋ ସରକାର’ ଉପକ୍ରମ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଶହୀଦ ନଗର ଥାନାରୁ ଆରମ୍ଭ ହୋଇଥିଲା ‘ମୋ ସରକାର’ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଓ ଥାନା ଯାଇଥିବା ୯ଜଣ ବ୍ୟକ୍ତିଙ୍କୁ କୁଆଡ଼େ ଫୋନ କରିଥିଲେ। ହସ୍ପିଟାଲ ଓ ଥାନା ସେବାରେ ସେମାନେ ସନ୍ତୁଷ୍ଟ କି ବୋଲି ପ୍ରଶ୍ନ କରିଥିଲେ। ୯ଜଣ ବ୍ୟକ୍ତିଙ୍କଠାରୁ ମିଳିଥିବା ମତାମତ ‘ଅତ୍ୟନ୍ତ ସନ୍ତୋଷଜନକ’ ଥିଲା ବୋଲି ଥାନା ପରିସରେର ସାମ୍ବାଦିକମାନଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଥିଲେ, ୫ଟି ଶାସନ ମଡେଲରେ ‘ମୋ ସରକାର’ ଏକ ବ୍ୟାପକ ପରିବର୍ତ୍ତନ ଆଣିବ। ହେଲେ ଏବେ ଦେଖାଯାଉଛି, କିଛି ଦିନର ତତ୍ପରତା ପରେ ଏସବୁ ଘୋଷଣା ପୁଣି ଏକପ୍ରକାର ଅଚଳ ହୋଇଯାଇଛି। ‘ମୋ ଥାନା’ ଉପରେ ଲୋକେ କେତେ ଖୁସି ତାହା ପଦାରେ ପଡ଼ିଯାଉଛି !
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/10/mo-thana-k.jpg)