Advertisment

Mohan Majhi Govt @ 500days : ୭.୭ଲକ୍ଷ କୋଟି ଟଙ୍କାର ୩୩୦ ନିବେଶ ପ୍ରକଳ୍ପକୁ ମଞ୍ଜୁରୀ, ୪.୭ଲକ୍ଷ ନୂଆ ନିଯୁକ୍ତି ସମ୍ଭାବନା

ଏହି ୫୦୦ଦିନ ମଧ୍ୟରେ ରାଜ୍ୟରେ ୭.୭ଲକ୍ଷ କୋଟି ଟଙ୍କାର ୩୩୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ତଥା ୪.୭ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି । ଏହା ‘ବିକଶିତ ଓଡ଼ିଶା ୨୦୩୬' ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

author-image
Prakash Sethi
CM-Mohan-charan-Majhi

Chief Minister Mohan charan Majhi (File Pic)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଜି ୫୦୦ ଦିନ ପୂରଣ କରିଛନ୍ତି । ଏହି ଅବସରରେ ଆଜି ୧.୪୬ଲକ୍ଷ କୋଟି ଟଙ୍କାର ୩୩ଟି ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୬୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ୫୦୦ଦିନ ମଧ୍ୟରେ ରାଜ୍ୟରେ ୭.୭ଲକ୍ଷ କୋଟି ଟଙ୍କାର ୩୩୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ତଥା ୪.୭ଲକ୍ଷ ନୂଆ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି । ଏହା ‘ବିକଶିତ ଓଡ଼ିଶା ୨୦୩୬' ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Advertisment

ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଓ ଜିଲ୍ଲାସ୍ତରରେ ବିକାଶ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ( CM Mohan Majhi)  କହିଛନ୍ତି, “ଏହି ୫୦୦ ଦିନ ଏକ ଆତ୍ମବିଶ୍ୱାସୀ, ପ୍ରଗତିଶୀଳ ଓ ପୁଞ୍ଜିନିବେଶ ପାଇଁ ପ୍ରସ୍ତୁତ ଓଡ଼ିଶାକୁ ପ୍ରତିଫଳନ କରୁଛି । ଭାରତ ଓ ବିଦେଶରୁ ପୁଞ୍ଜିନିବେଶକାରୀମାନେ ଯେଉଁ ଆସ୍ଥା ପୋଷଣ କରିଛନ୍ତି ତାହା ଆମର ନୀତିର ଦୃଢ଼ତା, ତ୍ୱରିତ୍ ଶାସନ ଓ ଏକ ଆତ୍ମନିର୍ଭର ଓ ବିକାଶଶୀଳ ରାଜ୍ୟ ପାଇଁ ଆମ ଦୃଷ୍ଟିକୋଣକୁ ଉଜାଗର କରୁଛି” । ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଆଇଟି ଓ ଇଏସଡିଏମ୍‌, ଏରୋସ୍ପେସ୍ ଓ ଡିଫେନ୍ସ, ଟେକ୍ସଟାଇଲ୍ସ ଓ ଆପାରେଲ୍‌, ଫୁଡ୍ ପ୍ରୋସେସିଂ, ଟୁରିଜିମ୍‌, ଗ୍ରୀନ୍ ଏନର୍ଜି ଉପକରଣ, ଡାଟା ସେଂଟର, ସ୍ପେସିଆଲିଟି ଷ୍ଟିଲ୍‌, ଆଲୁମିନିୟମ୍‌, ବିଦ୍ୟୁତ୍ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଆମୋନିଆ ଭଳି ବିଭିନ୍ନ କ୍ଷେତ୍ରକୁ ସାମିଲ ଅଛି ।

ପୁଞ୍ଜିନିବେଶକୁ ରାଜ୍ୟର(Odisha) ୧୪ଟି ପ୍ରମୁଖ ଜିଲ୍ଲା ଯଥା- ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ହୋଇଛି, ଯାହା ସନ୍ତୁଳିତ ଶିଳ୍ପାୟନ ଓ ଆଂଚଳିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରାଇବ ।

Advertisment


୪୨ତମ ଏଚଏଲସିଏ ବୈଠକରେ ୧.୪୧ଲକ୍ଷ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧,୪୧,୯୯୩.୫୪ କୋଟି ମୂଲ୍ୟର ୧୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ୪୯,୭୪୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଅଦାନୀ ଏଂଟରପ୍ରାଇଜେସ୍ ଲିମିଟେଡ୍ ଦ୍ୱାରା କୋଇଲାରୁ ରାସାୟନିକ ପ୍ରକଳ୍ପ ସୁନ୍ଦରଗଡ଼ରେ (୮୪ହଜାର କୋଟି ଟଙ୍କା ଓ ୩୬ହଜାର ନିଯୁକ୍ତି) ଏବଂ ଜିନ୍ଦଲ ଇଣ୍ଡିଆ ପାୱାର ଲିମିଟେଡ୍ ପାୱାର କ୍ଷେତ୍ରରେ (୧୪୮୦୦ କୋଟି, ଅନୁଗୁଳ) ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ସାମିଲ ଅଛି ।

୧୪୧ତମ ସିଙ୍ଗଲ୍‌ୱିଣ୍ଡୋ କମିଟି ବୈଠକରେ ୨୧ଟି ପ୍ରକଳ୍ପକୁ ମଞ୍ଜୁରୀ

ଆଜି ଏଚଏଲସିଏ ବୈଠକ ପୂର୍ବରୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ୪୦୧୯.୫୩ କୋଟିର ୨୧ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରୁ ୧୬,୫୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରିଲାଏନ୍ସ କଞ୍ଜ୍ୟୁମର ଦ୍ୱାରା ଖୋର୍ଦ୍ଧାରେ ବିସ୍କୁଟ୍ ଓ ପାନୀୟ ଉତ୍ପାଦନ କେନ୍ଦ୍ର (୯୩୮ କୋଟି) ଏବଂ ଟୋରେ ମାସ୍ ଆପାରେଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପୋଷାକ ଉତ୍ପାଦନ ୟୁନିଟ୍ (୩୯୨ କୋଟି ଟଙ୍କା ଓ ୨୧୭୪ ନିଯୁକ୍ତି) ପ୍ରମୁଖ ପୁଞ୍ଜିନିବେଶ ପ୍ରକଳ୍ପ ସାମିଲ ଅଛି ।

୫୦୦ ଦିନରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି

ଗତ ୫୦୦ ଦିନ ମଧ୍ୟରେ, ଓଡ଼ିଶା ସରକାର ‘ଡବଲ୍ ଇଞ୍ଜିନ୍ – ୱାନ୍ ଭିଜନ, ଡବଲ୍ ଇଂପାକ୍ଟ' ଦୃଷ୍ଟିକୋଣରେ ଏକ ନୂତନ ମାନକ ସ୍ଥାପିତ କରିଛନ୍ତି । ଏହି ୫୦୦ଦିନ ମଧ୍ୟରେ, ୧୨ଟି ସିଙ୍ଗଲ୍ ୱିଣ୍ଡୋ ଏବଂ ୭ଟି ହାଇଲେଭଲ୍ କ୍ଲିଅରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ମୋଟ ୩୩୦ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମୋଟ ୭.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ଓ ଏହାଦ୍ୱାରା ପ୍ରାୟ ୪.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି ।

ନୂତନ ପ୍ରକଳ୍ପ ସମେତ ୭୬ଟି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ଏବଂ ୮ଟି ପ୍ରକଳ୍ପ ଉଦଘାଟନ କରାଯାଇଛି, ଯାହା ମୋଟ ୨.୦୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଅଟେ । ରାଜ୍ୟରେ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଶ୍ରମିକଙ୍କ ଅଂଶଗ୍ରହଣ ଏବଂ ଦକ୍ଷତା ଭିତ୍ତିିକ ଶିଳ୍ପ ଅଭିବୃଦ୍ଧିକୁ ପ୍ରାଥମିକତା ଦିଆଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

Odisha CM Mohan Majhi