
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ରାଜ୍ୟର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ତୃତୀୟଥର ପାଇଁ ସେ ଏହି ବଜେଟ ଉପସ୍ଥାପନ କରିଛନ୍ତି। ଆଗାମୀ ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଗ୍ରାମାଂଚଳ ଓ ସହରାଂଚଳ ଭିତ୍ତିଭୂମିକୁ ସର୍ବାଧିକ ପ୍ରାଥମିକତା ଦେଇ ମୋଟ୍ ବଜେଟର ୫୮.୦୬ ପ୍ରତିଶତ ଅର୍ଥାତ୍ ୧.୮୦ଲକ୍ଷ କୋଟି ଟଙ୍କା କେବଳ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ((୫.୯% ଅଧିକ) ପାଇଁ ବ୍ୟୟବରାଦ କରିଛନ୍ତି।
ଏକାଧିକ ନୂଆ ଯୋଜନା ସହ ଚାକିରିଆଙ୍କୁ ଆଶ୍ୱସ୍ତି ଦେବାକୁ ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଅଷ୍ଟମ ବେତନ କମିଶନ ଲାଗୁ ନିମନ୍ତେ ପାଣ୍ଠି ବ୍ୟୟବରାଦର ଘୋଷଣା କରିଛନ୍ତି। ରାଜ୍ୟ ଅର୍ଥନୀତିର ସୁପରିଚାଳନା ଯୋଗୁଁ ଓଡ଼ିଶାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୯ ପ୍ରତିଶତ ହାରରେ ବୃଦ୍ଧି ପାଇ ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୧୧.୦୭ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆକଳନ କରିଛନ୍ତି। ଏଫଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ପରିମାଣକୁ ୩.୫ ପ୍ରତିଶତ(ମୋଟ ରାଜ୍ୟ ଜିଡିପିର) ମଧ୍ୟରେ ସୀମିତ ରଖିଥିବା ସରକାର ବର୍ଷ ଶେଷବେଳକୁ ପ୍ରାୟ ୩୩ହଜାର କୋଟି ଟଙ୍କାର ବିଶାଳ ରାଜସ୍ୱ ବଳକା ସୃଷ୍ଟି କରିବାରେ ସମର୍ଥ ହେବେ ବୋଲି ଜଣାପଡ଼ିଛି ।
ଟଙ୍କା କେଉଁଠୁ ଆସିବ ଓ କେଉଁଠି ଖର୍ଚ୍ଚ ହେବ
ପ୍ରଥମଥର ପାଇଁ ରାଜ୍ୟ ବଜେଟ( Odisha Budget) ପରିମାଣ ୩ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ବ୍ୟୟବରାଦ କରିଛନ୍ତି ସରକାର। ଯାହାକି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆକାର ୨.୯୦ ଲକ୍ଷ କୋଟି ଟଙ୍କା ତୁଳନାରେ ପ୍ରାୟ ୬.୯ ପ୍ରତିଶତ ଅଧିକ। ୨୦୨୬-୨୭ ଆର୍ଥିକ ବର୍ଷରେ ନିଜସ୍ୱ ଟିକସରୁ ୭୦ହଜାର କୋଟି ଓ ଅଣଟିକସ ରାଜସ୍ୱରୁ ୭୧ହଜାର କୋଟିର ମୋଟ୍ କେନ୍ଦ୍ର ସରକାରଙ୍କଠୁ ରାଜ୍ୟର ଟିକସ ବାବଦରେ ୬୭୬୪୦କୋଟି ଟଙ୍କା,କେନ୍ଦ୍ରୀୟ ଅନୁଦାନ ବାବଦରେ ୪୦,୦୩୯କୋଟି, ବିଭିନ୍ନ ସୂତ୍ରରୁ ଋଣ ଆକାରରେ ୪୭୮୦୦କୋଟି ଟଙ୍କା, ଋଣ ପରିଶୋଧରୁ ୭୦୦କୋଟି ଟଙ୍କା, ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟରୁ ୧୩ହଜାର କୋଟି ଟଙ୍କାକୁ ମିଶାଇ ମୋଟ ୩.୧୦ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
ରାଜ୍ୟର ନିଜସ୍ୱ ଟିକସ ସଂଗ୍ରହ ପ୍ରାୟ ୧ ଲକ୍ଷ ୪୧ ହଜାର କୋଟି ଟଙ୍କା ଆକଳନ କରିଥିବାବେଳେ ଏଥିରେ ୫୩ହଜାର କୋଟି ଟଙ୍କା କେବଳ ଖଣି ରାଜସ୍ୱ, ୧୦୯୦୦କୋଟି ଟଙ୍କା ଅବକାରୀ ଟିକସ ଓ ୫୧୦୦କୋଟି ଟଙ୍କା ବିଦ୍ୟୁତ ଟିକସରୁ ମିଳିବ।ସରକାର ଏହି ୩.୧୦ଲକ୍ଷ କୋଟି ଟଙ୍କାରୁ ୧.୧୪ଲକ୍ଷ କୋଟି ଟଙ୍କା ପ୍ରଶାସନିକ ବ୍ୟୟ, ୧.୮୦ଲକ୍ଷ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ, ୧୦୬୨୫କୋଟି ଟଙ୍କା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାକୁ ହସ୍ତାନ୍ତର ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୩୭୫କୋଟି ଆକାରରେ ଖର୍ଚ୍ଚ କରିବେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସରକାର ନିଜର ପୁଞ୍ଜି ବ୍ୟୟକୁ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି କରି ୭୨୧୦୦କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଯାହାକି ରାଜ୍ୟ ଜିଡିପିର ୬.୫ ପ୍ରତିଶତ ଓ ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି। ସରକାର ନିଜର ବଜେଟ୍ ଆକାରକୁ ବୃଦ୍ଧି କରିବା ସହ ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଦିଗରେ ଅଗ୍ରସର ହୋଇଥିବା ବଜେଟ ଆକଳନରୁ ଜଣାପଡ଼ିଛି ।
ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ,ଚାକିରିଆଙ୍କୁ ଆଶ୍ୱସ୍ତି
ନିମ୍ନ ମଧ୍ୟବିତ୍ତ ଓ ଚାକିରିଆଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ମୋହନ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀର୍ଘ ଦିନର ଦାବିକୁ ପୂରଣ କରି ୨୦୨୬ ଏପ୍ରିଲ ପହିଲାଠାରୁ ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ବୋଲି ବଜେଟ୍ରେ ଘୋଷଣା କରିଛନ୍ତି। ଏଥିଯୋଗୁ ସରକାରଙ୍କୁ ବାର୍ଷିକ ପ୍ରାୟ ୩୨୦କୋଟି ଟଙ୍କା ରାଜସ୍ୱ ହରାଇବାକୁ ପଡ଼ିବ। କିନ୍ତୁ ଲକ୍ଷ ଲକ୍ଷ କମର୍ଚାରୀ ସିଧାସଳଖ ଉପକୃତ ହେବେ। ସେହିପରି ଅଷ୍ଟମ ବେତନ କମିଶନ ଆଧାରରେ ରାଜ୍ୟର କର୍ମଚାରୀମାନଙ୍କୁ ଦରମା ଦେବା ଉଦ୍ଦେଶ୍ୟରେ ପ୍ରଶାସନିକ ଖର୍ଚ୍ଚରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି।
ଗାଁ ଓ ସହରୀ ଭୋଟରଙ୍କୁ ଆକୃଷ୍ଟ ପାଇଁ ନୂଆ ଯୋଜନା
ପଂଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଂଚଳକୁ ସୁଦୃଢ଼ କରିବା ପାଇଁ ସରକାର ‘ମିଶନ ପାୱାର’ (ଶକ୍ତି,ଜଳ ଓ ସଡ଼କ) ନାମରେ ନୂଆ ପଦକ୍ଷେପ ନେଇଛନ୍ତି। ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଗ୍ରାମାଂଚଳ ଭିତ୍ତିଭୂମି ବିକାଶ ପାଇଁ ୪୪୩୦୯କୋଟି ଟଙ୍କାର ବିଶାଳ ବ୍ୟୟବରାଦ କରିଛନ୍ତି, ଯାହାକି ବିଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ । ଗ୍ରାମାଂଚଳର ଅସଂପୂର୍ଣ୍ଣ ପାଇପ୍ ଜଳ ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ‘ରାଜ୍ୟ ସହାୟତାପ୍ରାପ୍ତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ’ ନାମରେ ଏକ ନୂଆ ପଦକ୍ଷେପ ନିଆଯାଇଛି । କୃଷି ବାଣିଜ୍ୟର ଆଧୁନିକୀକରଣ ପାଇଁ ରାଜ୍ୟରେ "୧୦୦ଟି ସ୍ମାର୍ଟ ଫାର୍ମ ମାର୍କେଟ୍’ (ମଡେଲ ମଣ୍ଡି) ସ୍ଥାପନ କରାଯିବ ।
ଗ୍ରାମାଂଚଳରେ ଶ୍ରମିକମାନଙ୍କୁ ୧୨୫ ଦିନର କାମ ଯୋଗାଇ ଦେବାକୁ ‘ଭିବି ଜି-ରାମ-ଜି’ ବା ରୋଜଗାର ଗ୍ୟାରେଣ୍ଟି ମିଶନ ପ୍ରଣୟନ ହୋଇଛି। ସ୍ଥାନାନ୍ତରଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ‘ଡାଲଖାଇ’ ନାମକ ନୂତନ କାର୍ଯ୍ୟକ୍ରମ ଓ ଜନଜାତିଙ୍କ ଆୟ ବୃଦ୍ଧି ପାଇଁ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଘୋଷଣା ହୋଇଛି । ଯୁବ ଶିକ୍ଷାର୍ଥୀଙ୍କ ପାଇଁ ‘ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା’ ମାଧ୍ୟମରେ ମାଗଣା ଲ୍ୟାପଟପ୍ ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ "ଶକ୍ତିଶ୍ରୀ ଯୋଜନା’ ଆରମ୍ଭ କରାଯିବ ।
ରାଜ୍ୟ ସରକାର ସମାଜର ଅବହେଳିତ ଓ ଅସହାୟ ବର୍ଗଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ପାଇଁ ‘ମଧୁବାବୁ ପେନସନ ଯୋଜନା’ ଏବଂ ଅନ୍ୟାନ୍ୟ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମର ପରିସର ବୃଦ୍ଧି କରିଛନ୍ତି । ପୂର୍ବ ସରକାରଙ୍କ ତ୍ରୁଟି ଯୋଗୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଓ ବିଭିନ୍ନ କାରଣରୁ ବାଦ୍ ପଡ଼ିଥିବା ପ୍ରାୟ ୬ ଲକ୍ଷ ୧୪ ହଜାର ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ସାମାଜିକ ପେନସନ(ମଧୁବାବୁ ଭତ୍ତା) ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା ହୋଇଛି। ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ପଦକ୍ଷେପ ଗ୍ରାମାଂଚଳ ଓ ସହରାଂଚଳର ଗରିବ ଭୋଟରଙ୍କ ଉପରେ ବଡ଼ ପ୍ରଭାବ ପକାଇବ।
ସହରାଞ୍ଚଳ ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ’ ନାମରେ ଏକ ନୂଆ ଯୋଜନା ସହ ମୋଟ ୧୦୭୩୮ କୋଟି ଟଙ୍କା ବିନିଯୋଗ କରାଯିବ। ସହରୀ ଗରିବ ବାସଗୃହ ସମସ୍ୟା ଦୂର ପାଇଁ ନୂଆ ଯୋଜନା ‘ପିଏମଏୱାଇ ସହରୀ ବନ୍ଧୁ’ ଓ ‘ଅନ୍ତ୍ୟୋଦୟ ଗୃହ ଯୋଜନା" ମାଧ୍ୟମରେ ସୁଲଭ ଗୃହ ଯୋଗାଇ ଦିଆଯିବ।
ସେହିପରି ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଭଳି ନୂଆ ଯୋଜନାରେ କନ୍ୟା ସନ୍ତାନଙ୍କ ଶିକ୍ଷା ଓ ବିବାହ ପାଇଁ ଆର୍ଥିକ ସହାୟତା ମିଳିବ। ମହିଳାଙ୍କ ସ୍ୱାସ୍ଥ୍ୟ ଓ ସଚେତନତା ପାଇଁ ‘ସୁଭଦ୍ରା ୱେଲନେସ୍ ସେଂଟର’ ଏବଂ ସେମାନଙ୍କ ସମସ୍ୟା ଶୁଣିବା ପାଇଁ ‘ସୁଭଦ୍ରା ଶକ୍ତି ସମ୍ବାଦ’ ପ୍ଲାଟଫର୍ମ ପ୍ରତିଷ୍ଠା ଭଳି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଶିଶୁଙ୍କ ପୋଷଣ ଓ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ରୂପାନ୍ତରଣ ନିମନ୍ତେ ନୂତନ ଭାବେ "ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା’ ଆରମ୍ଭ କରାଯିବ ।
ରାଜ୍ୟର ଋଣବୋଝ ୧.୫୫ଲକ୍ଷ କୋଟି ଛୁଇଁବ
୨୦୨୬-୨୭ରେ ମୋଟ ୪୭୮୦୦ କୋଟି ଟଙ୍କାର ନୂଆ ଋଣ ସଂଗ୍ରହ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ଖୋଲାବଜାରରୁ ୨୪୪୬୫କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କଠୁ ୧୦୨୬୫କୋଟି ଟଙ୍କାର ଋଣ ଆହରଣ କରିବେ। ଆଉ ବର୍ଷ ଶେଷବେଳକୁ ରାଜ୍ୟର ଋଣବୋଝ ୧ ଲକ୍ଷ ୫୫ ହଜାର ୭୧୦ କୋଟି ଟଙ୍କା ବୋଲି ଆକଳନ ହୋଇଛି । ତେବେ ରାଜ୍ୟର ଋଣବୋଝ ରାଜ୍ୟ ଜିଡିପିର ୨୫%ରୁ ବହୁ କମ୍ (ମାତ୍ର ୧୪.୧%) ଥିବା ଓ ଏଫଆରବିଏମ୍ ଆକ୍ଟର ସୀମା ମଧ୍ୟରେ ଏକ ସୁରକ୍ଷିତ ସ୍ଥିତିରେ ରହିଥିବା ସରକାର କହିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ଏହି ବଜେଟ୍ ଓଡ଼ିଶାର ସାମଗ୍ରିକ ବିକାଶ ଓ ପ୍ରତିଟି ବର୍ଗର ଲୋକଙ୍କ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ । ପଂଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ ହେଉଥିବା ମୋହନ ସରକାରଙ୍କ ଏହି ବିଶାଳ ବଜେଟ୍ ହିଁ ସରକାରଙ୍କ ବିକାଶମୂଳକ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
