
ସରକାରୀ ଅଫିସରେ ନୂଆବର୍ଷ ସେଲିବ୍ରେସନ୍ ହେବ ନାହିଁ । ଇଂରାଜୀ ନୂଆବର୍ଷର ଠିକ୍ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ନିଷ୍ପତ୍ତି ନେଇଛନ୍ତି ଯାହାକି ଓଡ଼ିଶା ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ଆଭାସ ଦେଇଛି । ୨୦୨୬ ଇଂରାଜୀ ନବବର୍ଷର ପ୍ରଥମଦିନ ଏକ ସାଧାରଣ କାର୍ଯ୍ୟଦିବସ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଫିସରେ କୌଣସି ପ୍ରକାରର ନୂଆବର୍ଷ ସେଲିବ୍ରେସନ୍ ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏପରିକି ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ଅଫିସରଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବ୍ୟକ୍ତିଗତ ଭାବେ ଅଫିସକୁ ଆସିବା ନିମନ୍ତେ ମଧ୍ୟ ବାରଣ କରାଯାଇଛି । ସରକାରୀ ଅଫିସଗୁଡ଼ିକରେ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଷ୍ପତ୍ତି ନେବାପରେ ଅନ୍ୟ କିଛି ମନ୍ତ୍ରୀ ନିଜ ଅଫିସଗୁଡ଼ିକରେ ନୂଆବର୍ଷ ସେଲିବ୍ରେସନ୍ ନିମନ୍ତେ କରୁଥିବା ପ୍ରସ୍ତୁତି ଉପରେ ରୋକ୍ ଲାଗିଥିବା ଜଣାପଡ଼ିଛି ।
ପୂର୍ବ ପରମ୍ପରା ଉପରେ ରୋକ୍: ସରକାରୀ ଅଫିସ୍ ହେବନି ସେଲିବ୍ରେସନ୍ ସ୍ଥଳୀ
ଇଂରାଜୀ ନୂଆବର୍ଷରେ ସରକାରୀ ଅଫିସଗୁଡ଼ିକରେ ହେଉଥିବା ପାରମ୍ପରିକ ଭାବେ ନୂଆବର୍ଷ ସେଲିବ୍ରେସନ୍ ହୋଇଥାଏ। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୦୨୬ ଇଂରାଜୀ ନୂଆବର୍ଷରେ ନିଜ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଫିସ୍ ପରିସରରେ କୌଣସି ପ୍ରକାର ଭୋଜିଭାତ, ଭେଟଘାଟ ଓ ପାର୍ଟି ଆଦି ଆୟୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିଛନ୍ତି । କେବଳ ପରସ୍ପରକୁ ସୌଜନ୍ୟମୂଳକ ଶୁଭେଚ୍ଛା ଜଣାଇବା ବ୍ୟତୀତ ଅନ୍ୟ କୌଣସି ପ୍ରକାର ଭେଟଘାଟ କିମ୍ବା ଆୟୋଜନ ଉପରେ ରୋକ ଲଗାଯାଇଛି । ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ସରକାରୀ କାର୍ଯ୍ୟଶୈଳୀରେ ଏକ ନୂଆ ସଂସ୍କାର ଆଣିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ନିଷ୍ପତ୍ତି ପୂର୍ବରୁ ଚାଲିଆସିଥିବା ନୂଆବର୍ଷ ସେଲିବ୍ରେସନ୍ ପରମ୍ପରା ଉପରେ ରୋକ୍ ଲଗାଇଛି । ଏପରିକି ତାଙ୍କୁ କିମ୍ବା ତାଙ୍କ କାର୍ଯ୍ୟାଳୟକୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ନିମନ୍ତେ କେହି ବ୍ୟକ୍ତିଗତ ଭାବେ ନଆସିବାକୁ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି ।
ବିଜେଡି ଓ ବିଜେପି ଶାସନରେ ନୂଆବର୍ଷ ପାଳନର ଫରକ
ପୂର୍ବରୁ ବିଜେଡି ସରକାର ସମୟରେ ଇଂରାଜୀ ନୂଆବର୍ଷ ଦିନ ସରକାରୀ ଅଫିସ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରକାର ଉତ୍ସବର ମାହୋଲ ଲାଗି ରହୁଥିଲା । ଲୋକସେବା ଭବନକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରଖାଯାଉଥିଲା । ଶୁଭେଚ୍ଛା ଜଣାଇବା ନାମରେ ହେଉଥିବା ଜନଗହଳି ଯୋଗୁଁ ସରକାରୀ ଅଫିସଗୁଡ଼ିକରେ ନିୟମିତ କାର୍ଯ୍ୟ ବି ବାଧାପ୍ରାପ୍ତ ହେଉଥିଲା । ଏପରିକି ବିଭିନ୍ନ କମ୍ପାନୀର ପ୍ରତିନିଧି ଓ ଠିକାଦାରମାନେ ଏହି ସୁଯୋଗରେ ବରିଷ୍ଠ ଅଫିସର ଓ ମନ୍ତ୍ରୀମାନଙ୍କୁ ଭେଟି ମୂଲ୍ୟବାନ ଉପହାର ଦେବାକୁ ପଛାଉନଥିଲେ ।
ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତଥର ଏହି ନୂଆବର୍ଷ ସେଲିବ୍ରେସନ୍ ଅପେକ୍ଷା କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ଏକ ସକରାତ୍ମକ ଉଦାହରଣ ସୃଷ୍ଟି କରିବା ସହ ଏଭଳି ଗିଫ୍ଟ ଦେବା ପରମ୍ପରାରେ ବି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସରକାରୀ କାର୍ଯ୍ୟ ଦିବସରେ ‘କାମକୁ ପ୍ରାଥମିକତା’ ଦେବା ପାଇଁ ପୂର୍ବରୁ ଚାଲିଆସୁଥିବା ସେଲିବ୍ରେସନ୍ ସଂସ୍କୃତିକୁ ସେ ବନ୍ଦ କରିଛନ୍ତି।
ପ୍ରଶାସନିକ ସଂସ୍କାର ଦିଗରେ ନୂଆ ପ୍ରୟାସ
ନୂଆବର୍ଷରୁ ରାଜ୍ୟର ପ୍ରଶାସନିକ ମୁଖିଆ ପଦବୀରେ ଜଣେ ବରିଷ୍ଠ ମହିଳା ଆଇଏଏସ କାର୍ଯ୍ୟ କରିବେ । ମୋହନ ମାଝୀ ସରକାରରେ ଜଣେ ମହିଳା ଆଇଏଏସ୍ ରାଜ୍ୟର ମୁଖ୍ୟ ସଚିବ ହେବା ସହ ଓଡ଼ିଶା ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସରକାରୀ ଅଫିସରେ ଇଂରାଜୀ ନୂଆବର୍ଷ ସେଲିବ୍ରେସନ୍ ଉପରେ କଟକଣା ଜାରି କରି ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏକ ଶୃଙ୍ଖଳିତ କାର୍ଯ୍ୟଶୈଳୀ ଉପରେ ଗୁରୁତ୍ୱ ଦେଇଛନ୍ତି । ଇଂରାଜୀ ନୂଆବର୍ଷର ପ୍ରଥମଦିନକୁ ଏକ ସାଧାରଣ ଦିନ ଭଳି ଲୋକଙ୍କ ସେବାରେ ଉତ୍ସର୍ଗ କରିବା ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସଂସ୍କାରବାଦୀ ଚିନ୍ତାଧାରାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
