Advertisment

Mohan’s Googly: ସତ୍ୟବ୍ରତଙ୍କୁ କୋଣଠେସା, ଦେଓରଞ୍ଜନ ଉନ୍ନୟନ କମିଶନର, ହେମନ୍ତ ଗୃହ ସଚିବ

ମୋହନ ସରକାର ଗତ ସପ୍ତାହରେ ଅନୁ ଗର୍ଗଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେବାପରେ ଶ୍ରୀ ସାହୁ ଛୁଟିରେ ପଳାଇଥିଲେ । ଆଜି କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ ସରକାର ତାଙ୍କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ କଟକସ୍ଥିତ ବୋର୍ଡ ଅଫ ରେଭେନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ।

author-image
Prakaash Sethi
ଅଦ୍ୟତନ ହୋଇଛି
ANU-GARG-&-TEAM

ନୂଆବର୍ଷରେ ନୂଆ ମୁଖ୍ୟ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେବା ପରେ ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇଛି । ମୁଖ୍ୟ ସଚିବ ରେସରେ ଥିବା ୧୯୯୧ ବ୍ୟାଚର ସତ୍ୟବ୍ରତ ସାହୁଙ୍କୁ ଲୋକସେବା ଭବନରୁ ସମ୍ପୂର୍ଣ୍ଣ ଆଉଟ୍ କରିଦିଆ ଯାଇଥିବାବେଳେ ୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ୍ ଦେଓରଞ୍ଜନ କୁମାର ସିଂଙ୍କୁ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ୧୯୯୫ ବ୍ୟାଚର ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି । ଅନୁ ଗର୍ଗ  ନିଜର ଟିମ୍ ଗଢ଼ିଥିଲେ ମଧ୍ୟ ଏଭଳି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ‘ଗୁଗଲି’ ବୋଲି ରାଜ୍ୟ ପାୱାର କରିଡରରେ ଚର୍ଚ୍ଚା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ବଦଳିକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

Advertisment


ସତ୍ୟବ୍ରତ କୋଣଠେସା, କନିଷ୍ଠଙ୍କୁ ମିଳିଲା ଉନ୍ନୟନ କମିଶନର ପଦବୀ


୧୯୯୧ ବ୍ୟାଚର ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରୁ ହଟାଇ କେବଳ ବୋର୍ଡ ଅଫ ରେଭନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁ ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିଲେ । ସୂତ୍ର ଅନୁସାରେ, ଶ୍ରୀ ସାହୁ ମୁଖ୍ୟ ସଚିବ ପାଇଁ ରେସରେ ଥିଲେ । କିନ୍ତୁ ମୋହନ ସରକାର ଗତ ସପ୍ତାହରେ ଅନୁ ଗର୍ଗଙ୍କୁ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେବାପରେ ଶ୍ରୀ ସାହୁ ଛୁଟିରେ ପଳାଇଥିଲେ । ଆଜି କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ ସରକାର ତାଙ୍କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ କଟକସ୍ଥିତ ବୋର୍ଡ ଅଫ ରେଭେନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି ।


ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ସାହୁ ଉନ୍ନୟନ କମିଶନର ହେବାକୁ ଦାବିଦାର ଥିଲେ ମଧ୍ୟ ସରକାର ତାଙ୍କ ବଦଳରେ ୧୯୯୩ ବ୍ୟାଚର ଦେଓରଞ୍ଜନ କୁମାର ସିଂଙ୍କୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଯୋଜନା ଓ ସଂଯୋଜନ ବିଭାଗର ସଚିବ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ଦେଓରଞ୍ଜନଙ୍କୁ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରାଯିବା ଓ ସତ୍ୟବ୍ରତଙ୍କୁ ଲୋକସେବା ଭବନରୁ ବାହାରକୁ ପଠାଇ ଦିଆଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment


ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗ, ଶୁଭା-ଭାସ୍କର ଯୋଡ଼ିଙ୍କୁ ଗୁରୁ ଦାୟିତ୍ୱ


ସେହିପରି ୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ କୁମାର ଶର୍ମାଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଶର୍ମା ଏବେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଇପିକଲ୍ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।


 ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଦମ୍ପତି ଶୁଭା ଶର୍ମା ଓ ତାଙ୍କ ପତି ଭାସ୍କରଜ୍ୟୋତି ଶର୍ମାଙ୍କ ଉପରେ ରାଜ୍ୟ ସରକାର ଅଧିକ ଭରସା କରିଛନ୍ତି । ୧୯୯୯ ବ୍ୟାଚ ଆଇଏଏସ୍ ଭାସ୍କରଜ୍ୟୋତିଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ଶର୍ମା ଏବେ ଅବକାରୀ ବିଭାଗର ପ୍ରମୁଖ ସଚିବ ସମେତ ଓଡ଼ିଶା ମଦ ନିଗମର ଅଧ୍ୟକ୍ଷ, ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
 ତାଙ୍କ ପତ୍ନୀ ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ମହିଳା ଓ ଶିଶୁ ବିଭାଗ ବିଭାଗ ସମେତ ଏହି ନୂଆ ଦାୟିତ୍ୱକୁ ମଧ୍ୟ ତୁଲାଇବେ ।


ସେହିପରି ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଓସଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ପାଟିଲ ଏବେ ସମବାୟ ବିଭାଗର କମିଶନର-ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ସହ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । 


ଦୁଇ ଜିଲ୍ଲାରେ ନୂଆ ଜିଲ୍ଲାପାଳ


ରାଜ୍ୟ ସରକାର ନୟାଗଡ଼ ଜିଲ୍ଲାପାଳ ୨୦୧୯ ବ୍ୟାଚ୍ ଆଇଏଏସ୍ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି । ସେହିପରି ନୟାଗଡ଼ ଜିଲ୍ଲାପାଳ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମଧୁସ୍ମିତା ରଥଙ୍କୁ ବଦଳି କରାଯାଇଛି । ଗଜପତି ଜିଲ୍ଲାପାଳ ସୁଶ୍ରୀ ମଧୁସ୍ମିତା ଛୁଟିରେ ଥିବା ଜଣାପଡ଼ିଛି ।


ମୋହନ ସରକାରଙ୍କ ‘ଗୁଗଲି’


ବରିଷ୍ଠତା ଭିତ୍ତିରେ ଅନୁ ଗର୍ଗଙ୍କୁ ମୁଖ୍ୟ ସଚିବ ପଦବୀରେ ଅବସ୍ଥାପିତ କରିଥିବା ମୋହନ ସରକାରଙ୍କ ଆଜିର ଆଇଏଏସ୍ ଅଦଳବଦଳକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିବା ବରିଷ୍ଠ ଓଡ଼ିଆ ଆଇଏଏସ୍ ସତ୍ୟବ୍ରତ ସାହୁଙ୍କୁ ସରକାର ସମ୍ପୂର୍ଣ୍ଣ ଭାବେ କୋଣଠେସା କରିଦେଇଛନ୍ତି । ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଓ ଥର୍ ଗାଡ଼ି କିଣା ଘଟଣାରେ ତାଙ୍କର ଭୂମିକାକୁ ନେଇ ବିରୋଧୀ ଦଳ ଅଭିଯୋଗ କରି ଆସୁଥିଲା । ସେହିପରି ୧୯୯୬ ବ୍ୟାଚର ଅନ୍ୟଜଣେ ବରିଷ୍ଠ ଆଇଏଏସ୍ ମଧ୍ୟ ଗୃହ ସଚିବ ହେବା ପାଇଁ ଆଶା ବାନ୍ଧି ବସିଥିଲେ । ଓଡ଼ିଆ ଅସ୍ମିତା କଥା କହି ଏହି ଅଫିସରମାନେ ନିଜ ନିଜର ଲବି କରୁଥିଲେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ‘ଗୁଗଲି’ ଏବେ ଉଭୟ ପ୍ରଶାସନିକ ଓ ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।