କାକିନାଡାର ଅଶାନ୍ତ ସମୁଦ୍ର
ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା।ଭୀଷଣ ବାତ୍ୟା ‘ମୋନ୍ଥା’ ଏବେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି।
ଭୀଷଣ ବାତ୍ୟାର ରୂପ ନେଇସାରିଥିବା ‘ମୋନ୍ଥା’ ଆନ୍ଧ୍ର ପ୍ରଦେଶର ମଛଲିପଟନମଠାରୁ ୧୯୦ କିମି ଦୂରରେ ଥିବା ବେଳେ କାକିନାଡ଼ାଠାରୁ ୨୭୦ କିମି ଦୂରରେ ରହିଛି। ସେହିପରି ଏହା ଆନ୍ଧ୍ର ପ୍ରଦେଶର ବିଶାଖାପଟନମଠାରୁ ୩୪୦ କିମି ଦୂରରେ ରହିଥିବା ବେଳେ ଓଡ଼ିଶାର ଗୋପାଳପୁରଠାରୁ ୫୫୦ କିମି ଦୂରରେ ରହିଛି।
ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ବା ରାତିରେ ଆନ୍ଧ୍ର ପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ ମଧ୍ୟରେ ଥିବା କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୧୦ କିମି ରହିବ।
ମୋନ୍ଥା ପ୍ରଭାବରେ କାକିନାଡ଼ାରେ ଅଶାନ୍ତ ହେଲାଣି ସମୁଦ୍ର । ପବନର ବେଗ ବଢ଼ିବା ସହିତ ସମୁଦ୍ରରେ ଆସୁଛି ଉଚ୍ଚ ଉଚ୍ଚ ଜୁଆର। ବେଳାଭୂମି ରାସ୍ତା ଉପରକୁ ମାଡ଼ି ଆସୁଛି ସମୁଦ୍ର ପାଣି। ୮ କିମିର କାକିନାଡ଼ା ଓ ଉପପଡ଼ା ବେଳାଭୂମି ରାସ୍ତା କ୍ଷତିଗ୍ରସ୍ତ ହେଲାଣି।
ଭୀଷଣ ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ତା’ ସହିତ ପବନ ବି ହେଉଛି। ‘ମୋନ୍ଥା’ ପ୍ରଭାବରେ ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ନୟାଗଡ଼, ସୋନପୁର, ବରଗଡ଼, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାକି ସମସ୍ତ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୩୦ ତାରିଖ ସକାଳ ସାଢ଼େ ୮ଟାରୁ ୩୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଫୁଲୁଛି ଜଳଭଣ୍ଡାର
ମୋନ୍ଥା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ଜଳଭଣ୍ଡାର। ଚିକିଟି ବାଘଲଟି ଜଳଭଣ୍ଡାରର ୩ ଗେଟ୍ ଖୋଲାଯାଇଛି। ସେହିପରି ଭଞ୍ଜନଗର ଡହ ଜଳଭଣ୍ଡାରର ବି ଗୋଟିଏ ଗେଟ୍ ଖୋଲା ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/28/montha-2025-10-28-09-54-16.jpg)