ବାତ୍ୟା ମୋନ୍ଥାର ଗତିପଥ
ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’। ୨୮ ସନ୍ଧ୍ୟା ପରେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ କାକିନଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ଏହି ସମ୍ଭାବ୍ୟ ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିପାରେ। ଶନିବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି।
ମନୋରମା ମହାନ୍ତି କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ତା’ସହିତ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା। ତା’ ସହିତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକର ପାଖାପାଖି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୨୮ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋପରାପୁଟ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ପାଖାପାଖି ଜିଲ୍ଲାଗୁଡ଼ିକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୯ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ପାଖାପାଖି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୩୦ ତାରିଖରେ ବର୍ଷା କମିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
୨୮ ଓ ୨୯ ତାରିଖରେ ରାଜ୍ୟରେ ବର୍ଷା ସହିତ ପବନ ହୋଇପାରେ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ରହିବାର ସମ୍ଭାବନା ରହିଛି। ତା’ ସହିତ ଘଣ୍ଟାପ୍ରତି ୮୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ହେବାର ସମ୍ଭାବନା ଥିବା ବେଳେ ଘଣ୍ଟାପ୍ରତି ୭୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ମନୋରମା ମହାନ୍ତି କହିଛନ୍ତି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତକାଲି ସନ୍ଧ୍ୟା ସାଢ଼େ ୫ଟା ବେଳେ ସେହି ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଅବପାତରେ ଘନୀଭୂତ ହୋଇ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ସେହି କ୍ଷେତ୍ରରେ ରହିଛି। ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ-ପୂର୍ବରେ, ତାମିଲନାଡୁର ଚେନ୍ନାଇଠାରୁ ୯୯୦ କିମି ପୂର୍ବ-ଦକ୍ଷିଣ-ପୂର୍ବରେ, ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ୧୦୦୦ କିମି ଦକ୍ଷିଣ-ପୂର୍ବ ଓ ଓଡ଼ିଶାର ଗୋପାଳପୁରଠାରୁ ୧୦୪୦ କିମି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ରହିଛି।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି (ଅକ୍ଟୋବର ୨୬) ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୭ ତାରିଖ ସକାଳ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ, ୨୮ ତାରିଖରେ ବାତ୍ୟା ‘ମୋନ୍ଥା’ ଭୀଷଣ ରୂପ ନେଇପାରେ ଓ ସନ୍ଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ।
ସମ୍ଭାବ୍ୟ ବାତ୍ୟା ନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ଏହି ବାତ୍ୟା ଯୋଗୁ ରାଜ୍ୟର ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ। ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ସରକାର ପ୍ରସ୍ତୁତ ଅଛନ୍ତି। ଜଳସମ୍ପଦ, ପଞ୍ଚାୟତିରାଜ, କୃଷି ଓ ଶକ୍ତି ବିଭାଗକୁ ସଜାଗ କରାଯାଇଛି। ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନିଆଯାଇଛି। ଯଦି କେହି ପାଣି ଘେରରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ଲୋକଙ୍କ ଜୀବନ ରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ୨୮ ଓ ୨୯ ଦୁଇ ଦିନ ଧରି ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/25/mantho-map-2025-10-25-14-10-49.jpg)