ଉପୁଡ଼ି ପଡ଼ିଛି ଗଛ
ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଅଭିମୁଖେ ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’। ଏହା ଘଣ୍ଟାପ୍ରତି ୧୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ‘ମୋନ୍ଥା’ ଏବେ ଆନ୍ଧ୍ର ପ୍ରଦେଶର ମଛଲିପଟନମଠାରୁ ୧୪୦ କିମି ଦୂରରେ ଥିବା ବେଳେ କାକିନାଡ଼ାଠାରୁ ୨୪୦ କିମି ଦୂରରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶାର ଗୋପାଳପୁରଠାରୁ ୫୩୦ କିମି ଦୂରରେ ରହିଛି। ଆଜି ସନ୍ଧ୍ୟା ବା ରାତିରେ ଏହା କାକିନାଡ଼ା ପାଖରେ ଲ୍ୟାଣ୍ଡଫଲ କରିବ।
‘ମୋନ୍ଥା’ ବଳ ଗୋଟାଇ ସ୍ଥଳଭାଗର ନିକଟତର ହେଉଥିବା ବେଳେ ଏହାର ପ୍ରଭାବ ଗତକାଲିଠାରୁ ଓଡ଼ିଶାରେ ପଡ଼ିସାରିଲାଣି। ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ହେଉଛି। ଗଜପତି ଜିଲ୍ଲାରେ ମଧ୍ୟ ଗତକାଲିଠାରୁ ବର୍ଷା ହେଉଛି। ଗତକାଲି ସନ୍ଧ୍ୟା ପରଠାରୁ ବର୍ଷାର ପରିମାଣ ବଢ଼ିଛି। ରାତି ତମାମ ଜିଲ୍ଲାର ମୋହନା ଓ ଆର. ଉଦୟଗିରି ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି।
ପ୍ରବଳ ବର୍ଷା ଯୋଗୁ ମୋହନା ବ୍ଲକ୍ ଆକିଲି ଗାଁର ବାସୁଦେବ ପରିଛାଙ୍କ ଘର ଭୁଶୁଡ଼ି ପଡିଛି l ସେ ରାତିରେ ଶୋଇଥିବା ବେଳେ ଘରର ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ ଟିଣ ଛାତ ତଳେ ଚାପି ହୋଇଯାଇଥିଲେ। ବାସୁଦେବ ଆହତ ହୋଇଥିବା ବେଳେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଘରେ ଥିବା ଧାନ,ଚାଉଳ ଓଦା ହୋଇ ନଷ୍ଟ ହୋଇଯାଇଛି। ସେହିପରି ପବନରେ ଗାଁର ସୁରଥ ଲିମାଙ୍କ ଟିଣ ଛପର ଉଡ଼ିଯାଇଛି।
ବର୍ଷା,ପବନ ଯୋଗୁ ମୋହନାର ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ମହେନ୍ଦ୍ରଗଡ଼-ଖମାରସାହି ଓ ରାମଗିରି-ଦବାରସିଂହ ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ରାସ୍ତା ସଫା କରାଯାଉଛି।
ବର୍ଷାର ପ୍ରଭାବରେ ଆର୍.ଉଦୟଗିରିର ସୁଣ୍ଡରବା ଗାଁ ନିକଟରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା l ଖବର ପାଇ ଆର.ଉଦୟଗିରି ଅଗ୍ନିଶମ ବାହିନୀ ପହଞ୍ଚି ଗଛକାଟି ରାସ୍ତା ଅବରୋଧ ହଟାଇଛି।
ବର୍ଷା ପ୍ରଭାବରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ପାର୍ତ୍ତଡା ପଞ୍ଚାୟତର ଲିଙ୍ଗା-ବାରଭା ରାସ୍ତାରେ ପାହାଡ଼ ଧସିଛି। ରାସ୍ତାରେ ବଡ଼ ବଡ଼ ପଥର ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ କାମ ଆରମ୍ଭ ହୋଇଛି।
ସେହିପରି ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ଥିବା ଜଳଭଣ୍ଡାରଗୁଡ଼ିକ ଫୁଲୁଛି। ଏହାକୁ ଦୃଷ୍ଟିରେ ରଖି ଅଡ଼ବା ହରଭଙ୍ଗୀ ଡ୍ୟାମର ୨ଟି ଗେଟ୍ ଖୋଲି ଦିଆଯାଇଛି। ଏହାର ତଳିଆ ଅଞ୍ଚଳରେ ଥିବା ୧୨ଟି ଗାଁର ଲୋକଙ୍କୁ ନଦୀକୁ ନଦୀକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଭୀଷଣ ବାତ୍ୟା ‘ମୋନ୍ଥା’ ର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଏହି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୩୦ ତାରିଖ ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଏହି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁସ୍ଖଳନ ପ୍ରବଣ, ତଳିଆ ଅଞ୍ଚଳ ଓ କଚା ଘରଗୁଡ଼ିକରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବର୍ଷା ହେଉଛି। ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଫୁଲୁଛି। ସେଥିପାଇଁ ଚିକିଟି ବାଘଲଟି ଜଳଭଣ୍ଡାରର ୩ଟି ଗେଟ୍ ଖୋଲାଯାଇଛି। ଭଞ୍ଜନଗର ଡହ ଜଳଭଣ୍ଡାରର ବି ଗୋଟିଏ ଗେଟ୍ ଖୋଲାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/28/tree-2025-10-28-13-01-20.jpg)