Advertisment

Cyber Fraud: ଅପରେସନ ସାଇବର କବଚ: ୧୧,୧୫୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୩୮ ଜଣ ଅଭିଯୁକ୍ତ ଗିରଫ

‘ଅପରେସନ ସାଇବର କବଚ’ରେ ରାଜ୍ୟରେ ୧୧ ହଜାର୧୫୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ୪୮୦ଟି ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୧୧ଟି, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୧୮ଟି ଏବଂ ୯ଟି ନକଲି ସିମ୍/PoS ସମ୍ପର୍କିତ ମାମଲା ରୁଜୁ କରାଯାଇଛି।

author-image
Jitendra Garnayak
Cyber Fraud

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି।

Advertisment

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌ପି ଓ ଡିସିପିମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍‌ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ଼  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ରେ ସମଗ୍ର ରାଜ୍ୟରେ ମୋଟ ୧୧ ହଜାର୧୫୫ଟି ମ୍ୟୁଲ୍ ବା ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ୪୮୦ଟି ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ସାଇବର ମାମଲା, ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ ୧୧ଟି, ଚେକ୍ ଟଙ୍କା ଉଠାଣ ସମ୍ପର୍କିତ ୧୮ଟି ଏବଂ ୯ଟି ନକଲି ସିମ୍/PoS ସମ୍ପର୍କିତ ମାମଲା ରୁଜୁ କରାଯାଇଛି। ଏହାସହ ୨୩୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନୂଆ ଓ ପୁରୁଣା ୧୨୧ଟି ଏଫଆଇଆର ସହ ସଂପୃକ୍ତ ୩୦୫୯ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

Advertisment

ଏହି ଅଭିଯାନରେ କଟକ ଜିଲ୍ଲା ପୁଲିସ ୫୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରିଥିବା ବେଳେ ୧୦ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ସେହିପରି ଜଗତସିଂହପୁର ଜିଲ୍ଲା ପୁଲିସ ୧୦୭ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୧୦ଜଣଙ୍କୁ ନୋଟିସ୍ ଜାରି କରିଛି।

ଯାଜପୁର ଜିଲ୍ଲା ପୁଲିସ ୫୮ଟି, କେନ୍ଦ୍ରାପଡ଼ା ୧୭୫, ଖୋର୍ଦ୍ଧା ୧୧୮, ପୁରୀ ୪୪, ବଲାଙ୍ଗିର ୩୪, ଝାରସୁଗୁଡ଼ା ୧୮୮, ସୁବର୍ଣ୍ଣପୁର ୬, କେନ୍ଦୁଝର ୫୨, ରାଉରକେଲା ୧୩୦, ସୁନ୍ଦରଗଡ଼ ୧୫, ବାଲେଶ୍ୱର ୩୧୦, କଟକ (UPD) ୨, ଗଞ୍ଜାମ ୮୫, କନ୍ଧମାଳ ୧୧, ଦେବଗଡ଼ ୧୦୫, ନୂଆପଡ଼ା ୨୨ ଓ ରାୟଗଡ଼ା ଗୋଟିଏ ବେନାମୀ ଆକାଉଣ୍ଟ ଯାଞ୍ଚ କରି ସମ୍ପୃକ୍ତ ମାମଲା ରୁଜୁ, ଗିରଫ ଓ ଆଇନଗତ ନୋଟିସ୍ ଜାରି କରିଛନ୍ତି।

ସେହିପରି ନୟାଗଡ଼, ସମ୍ବଲପୁର, ଭଦ୍ରକ, ମୟୂରଭଞ୍ଜ, ବ୍ରହ୍ମପୁର, ବୌଦ୍ଧ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପୁଲିସ ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ବେନାମୀ ଆକାଉଣ୍ଟ ଯାଞ୍ଚ କରି ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି।

ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।