/odisha-reporter/media/media_files/2025/11/09/death1-2025-11-09-20-08-49.jpg)
ମନୋଜଙ୍କ ମୃତଶରୀର ପାଖରେ ତାଙ୍କ ସଂପର୍କୀୟ
ଗର୍ଭବତୀ ପତ୍ନୀଙ୍କୁ ଦେଖା କରି ବାଇକ୍ରେ ମା’ଙ୍କ ସହିତ ଘରକୁ ଫେରୁଥିବା ବେଳେ ପିଟି ଦେଇ ପଳାଇଲା ଅଜଣା ଗାଡ଼ି। ଆଉ ଚାଲିଗଲା ମା’ପୁଅଙ୍କ ଜୀବନ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ।
ମୃତକ ଦ୍ୱୟ ହେଉଛନ୍ତି ମନୋଜ ମାଝୀ (୨୫) ଓ ତାଙ୍କ ମା’ ମଞ୍ଜୁ ମାଝୀ (୬୦)। ସେମାନଙ୍କ ଘର ରେଢ଼ାଖୋଲ ବ୍ଳକ ରେଙ୍ଗାଲି ପଞ୍ଚାୟତ ପିପିଲିକାନୀ ଗାଁରେ।
ମନୋଜ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଦେଖିବା ପାଇଁ ନାକଟିଦେଉଳ ବ୍ଲକ୍ ଝାରବେଡ଼ା ଗ୍ରାମ ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ମନୋଜଙ୍କ ସାଙ୍ଗରେ ତାଙ୍କ ମା’ ମଧ୍ୟ ଯାଇଥିଲେ।
ସେଠାରୁ ସେମାନେ ବାଇକ୍ରେ ଘରକୁ ଫେରୁଥିବା ବେଳେ ରେଢ଼ାଖୋଲର ଡିମିରିକୁଦ ନିକଟରେ କୌଣସି ଏକ ଗାଡ଼ି ସେମାନଙ୍କୁ ପିଟି ଦେଇ ଫେରାର ହୋଇଯାଇଥିଲା।
ରେଢ଼ାଖୋଲ ପୁଲିସ ଗୁରୁତର ଭାବେ ଆହତ ମା’ପୁଅଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲା। ସେଠାରେ ମନୋଜଙ୍କ ମା’ଙ୍କୁ ମୃତ ଘୋଷଣା କରାଯାଇଥିଲା। କିଛି ସମୟ ପରେ ଚିକିତ୍ସାଧୀନ ଥିବା ମନୋଜଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ଆଜି ସକାଳେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମ ନିକଟରେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ବାଇକ୍ଟିଏ ଧକ୍କା ଦେଇଥିଲା। ଫଳରେ ଉଭୟ ପଥଚାରୀ ଓ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।
ମୃତକ ଦ୍ୱୟ ହେଉଛନ୍ତି, ପୋଲସରା ରାଣୀପଡ଼ାର ମିଟୁ ପରିଡ଼ା (ବାଇକ ଚାଳକ) ଓ ବାଟୋଇ ଶାଳବଣ ଗାଁର କାଶୀନାଥ ସେଠୀ। ମିଟୁ ଜଣେ କଳାକାର ଥିଲେ। ବେଗୁନିଆପଡା ବ୍ଲକ ଉସ୍ତାଳି ଗ୍ରାମରେ ଚାଲିଥିବା ପୌରାଣିକ ନାଚରେ ଅଭିନୟ ସାରି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ସେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ବେଳେ ମର୍ଣ୍ଣିଂ ୱାକ୍ରେ ଯାଉଥିବା କାଶୀନାଥ ସେଠୀଙ୍କୁ ଧକ୍କା ଦେଇଥିଲେ। ପୋଲସରା ମେଡିକାଲରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ତୁରାମୁରା ନିକଟରେ ଏକ ଟ୍ରେଲର ଧକ୍କାରେ ତୁରାମୁରା ଗ୍ରାମର ସନ୍ତୋଷ ନନ୍ଦଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଟ୍ରେଲର ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଲୋକେ ପିସିଆର ଭ୍ୟାନକୁ ବାଢ଼େଇ ଭାଙ୍ଗି ଦେଇଥିଲେ। ତା’ ସହିତ ବନ ବିଭାଗର ଏକ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
