mother-walk-4-kelomiter-in-koraput
ଜୟପୁର (ଟି.ଗୌରୀଶଙ୍କର): ମେଡିକାଲ୍ ପାଇଁ ଚାଲି ଚାଲି ୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଛି। ତାହା ପୁଣି ଜଙ୍ଗଲର ଆବୁଡ଼ା ଖାବୁଡ଼ା ଅଙ୍କା ଓ ବଙ୍କା ରାସ୍ତାରେ। ଜଣେ ମାଆ ଜଙ୍ଗଲୀ ରାସ୍ତାରେ ନିଜ ଜୀବନକୁ ବାଜି ଲଗାଇ ଏମିତି ପଥ ଅତିକ୍ରମ କରି ପହଞ୍ଚିଛନ୍ତି ମେଡିକାଲ୍ରେ। ଆଉ କହିଛି, ଡାକ୍ତରବାବୁ ମୋ’ ଛୁଆକୁ ଭଲ କରିଦିଅ! ଆଜି ହୃଦୟବିଦାରକ ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ଓ ନକ୍ସଲ ପ୍ରବଣ କୋରାପୁଟ୍ ଜିଲ୍ଲାରେ। ଯାହା ରାଜ୍ୟ ସରକାରଙ୍କ ବିକାଶର ଗୋଲାପି ଚିତ୍ରକୁ ପଦାରେ ପକାଇଛି।
ରଣ୍ଡାପାଲି ପଞ୍ଚାୟତର ରାମଗଡ଼ ଗାଁରେ ଜଣେ ନବଜାତ ଶିଶୁ ଅସୁସ୍ଥ ହୋଇଥିଲା। ପାଖରେ ଡାକ୍ତରଖାନା ନଥିବାରୁ ମାଆ ନିଜର ଛୁଆକୁ କାଖରେ ଧରି ଜଙ୍ଗଲି ରାସ୍ତାରେ ପ୍ରାୟ ୪ କିମି ଅତିକ୍ରମ କରି ପହଞ୍ଚିଥିଲା ବାଲାପୁଟ୍ରେ। ସେଠାରୁ ଅଟୋରେ କୁମୁଲିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇଥିଲେ। ଅବଶ୍ୟ ମହିଳାଙ୍କ ସାଥିରେ ସାହି ପଡ଼ିଶା ଥିଲେ। ତେବେ ଏଠି ପ୍ରଶ୍ନ ଉଠିଛୁ, ବିକାଶର ବାର୍ତ୍ତା ଓ ଅଧିକାରର କଥା କରୁଥିବା ରାଜ୍ୟ ସରକାର ଏହି ଗାଁକୁ କେବେ ରାସ୍ତା ଖଣ୍ଡିଏ ତିଆରି କରିବେ?
ରଣ୍ଡାପାଲି ପଞ୍ଚାୟତର ଏକ ଗାଁ ହେଉଛି ରାମଗଡ଼। ଯେଉଁଠି ୬୦ ପରିବାର ବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି। କିନ୍ତୁ ଦୁଃଖର ବିଷୟ ଏହି ଗାଁ ସରକାରଙ୍କ ସବୁ ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକେ ଜଙ୍ଗଲର ଆବୁଡ଼ା ଖାବୁଡା ଓ ଅଙ୍କାବଙ୍କା ପଥ ଅତିକ୍ରମ କରି ଆସୁଛନ୍ତି। ପ୍ରତି ସପ୍ତାହରେ ଗାଁ ଲୋକେ ୧୦ କିମି ଦୂରରେ ଥିବା କୁମୁଲିପୁଟ୍ ହାତକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କଣିବା ପାଇଁ ଆସି ଥାଆନ୍ତି।
ଗାଁ ଲୋକଙ୍କ କହିବା କଥା, ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ବହୁବାର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରୁଛୁ। ଆମକୁ ପ୍ରତିଶ୍ରୁତି ଦିଆଯାଇ ଫେରାଇ ଦିଆଯାଉଛି। ହେଲେ ଗାଁକୁ ରାସ୍ତା ତିଆରି ହୋଇପାରୁ ନାହିଁ। ଯାହାଫଳରେ ଆମେ ଯେମିତି ଜଙ୍ଗଲି ରାସ୍ତାରେ ଜୀବନକୁ ବାଜି ଲଗାଇ ଯାଉଥିଲୁ, ଠିକ୍ ସେମିତି ଯାଉଛୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/mother-walk-4-kelomiter-in-koraput.jpg)