/odisha-reporter/media/post_attachments/uploads/2022/08/Cuttack-1.jpg)
Cuttack
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଥିଲା। ହେଲେ ବେଲ୍ରେ ବାହାରି ୧୮ ବର୍ଷ ହେଲା ଘରେ ରହୁଥିଲା ଅଭିଯୁକ୍ତ। ତାକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରି ଆଉ ଥରେ ଜେଲ୍କୁ ପଠାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଅଭିଯୁକ୍ତ ହେଉଛି ଦେବଗଡ଼ ରିଆମାଳ ଥାନା ତାଳବାହାଳୀ ଗାଁର ଯୁବକ ତପନ କୁମାର ପ୍ରଧାନ। ଭଗବତୀ ପ୍ରଧାନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଦେବଗଡ଼ ଅତିରିକ୍ତ ସେସନ୍ ଜଜ୍ ୨୦୦୩ ଜାନୁଆରୀ ୮ ତାରିଖରେ ତପନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ତପନ ଏହି ରାୟକୁ ଚାଲେଞ୍ଜ କରି ସେହି ବର୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେଠାରୁ ଜାମିନ ପାଇ ୨୦୦୪ ମସିହା ଅଗଷ୍ଟ ୩୧ ତାରିଖରେ ଜେଲ୍ରୁ ବାହାରି ଥିଲା।
ଏହି ଘଟଣାକୁ ୧୮ ବର୍ଷ ବିତିବା ପରେ ଏବେ ଆସିଛି ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ। ଯେଉଁଥିରେ ତପନକୁ ପୁଣିଥରେ ଦୋଷୀ ସାବ୍ୟସ୍ତ କରିବା ସହିତ ତା’ର ବେଲ୍ବଣ୍ଡ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଏଥିସହ ତଳକୋର୍ଟଙ୍କ ରାୟକୁ ସଂରକ୍ଷିତ ରଖି ଆଜୀବନ ଜେଲ୍ କାଟିବା ପାଇଁ ଆସନ୍ତା ୨୬ ତାରିଖ ସୁଦ୍ଧା ତପନଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ନଚେତ ପୁଲିସକୁ ତାକୁ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏବେବି ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ତପନ ପ୍ରଧାନ।
ଜଘନ୍ୟ ହତ୍ୟାକାଣ୍ଡ ବିବାଦର ସୂତ୍ରପାତ ହୋଇଥିଲା ତାଳବାହାଳୀ ଗାଁର ଜଣେ ଝିଅ ଘରୁ ଲୁଚି ପଳାଇଯିବାକୁ ନେଇ। ପରିବାର ଲୋକେ ଝିଅକୁ ଖୋଜି ଖୋଜି ତାଳବାହାଳୀ ଗାଁର ଦୟାନିଧି ପ୍ରଧାନଙ୍କ ଘରେ ପହଞ୍ଚି ଥିଲେ। ନିଖୋଜ ଝିଅ ସଂପର୍କରେ ଦୟାନିଧିଙ୍କ ଦୁଇ ଝିଅ ଭଗବତୀ ଓ ବିଶାଖାଙ୍କୁ ପଚାରିଥିଲେ। ଏହା ପରେ ଅର୍ଥାତ ୨୦୦୧ ଏପ୍ରିଲ ୧ ତାରିଖରେ ଗାଁକୁ ଫେରି ଆସିଥିଲେ ସମ୍ପୃକ୍ତ ନିଖୋଜ ଝିଅ ଓ ତପନ ପ୍ରଧାନ।
ତେବେ କଥା ଏତିକିରେ ସରିନଥିଲା। ସେମାନଙ୍କ ନାଁରେ ଅପପ୍ରଚାର କରାଯାଇଥିବା ଅଭିଯୋଗ ଆଣି ଉଭୟଙ୍କ ପରିବାର ଲୋକେ ଭଗବତୀ ଓ ବିଶାଖାଙ୍କ ସହ ଝଗଡ଼ା କରିଥିଲେ। ସେହିଦିନ ରାତିରେ ଭଗବତୀଙ୍କୁ ତପନ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଆଉ ସତକୁ ସତ, ଏହି ଘଟଣାର ପରଦିନ ସକାଳୁ ଘର ବାଡ଼ିପଟୁ ଭଗବତୀଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ତାଙ୍କ ଭଉଣୀ ବିଶାଖା। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ପୁଲିସ ହତ୍ୟା ମାମଲା ରୁଜୁ କରି ତପନକୁ ଗିରଫ କରିବା ସହିତ ତାଙ୍କ ଘରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲା। ଏଭଳି ନିର୍ମମ ହତ୍ୟାକାଣ୍ଡକୁ ୨୧ ବର୍ଷ ବିତି ଯାଇଥିବା ବେଳେ ହାଇକୋର୍ଟଙ୍କ ରାୟରେ ଖୁସି ପ୍ରକାଶ କରିଛନ୍ତି ମୃତ ଭଗବତୀଙ୍କ ସାନ ଭଉଣୀ ବିଶାଖା ପ୍ରଧାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
